କରୋନା ବିପକ୍ଷରେ ଲଢୁଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲା ପୂରା ଦେଶ । ତାଳି, ଥାଳି, ଘଣ୍ଟ ଓ ଶଙ୍ଖ ବଜାଇ ଧନ୍ୟବାଦ ଜଣାଇଲେ ଲୋକେ ।

1,425

କନକ ବ୍ୟୁରୋ : କରୋନା ବିପକ୍ଷରେ ଲଢୁଥିବା ହିରୋଙ୍କୁ ଅଭିବାଦନ ଜଣାଇଲା ପୂରା ଦେଶ । ଘଣ୍ଟି, ତାଳି ଓ ଥାଳି ବଜାଇ କରୋନା ବିପକ୍ଷରେ ଲଢୁଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲେ ପୂରା ଦେଶବାସୀ । ଏହାପୂର୍ବରୁ ଜନତା କର୍ଫ୍ୟୁ ପାଳନ କରିବା ବେଳେ ସନ୍ଧ୍ୟା ୫ଟାରେ ଧନ୍ୟବାଦ ଜଣାଇବାକୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ।

କରୋନା ମୁକାବିଲା ପାଇଁ ପୂରା ଦେଶରେ ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଏପରିକି ଏହି ସମୟରେ ଅତି ଜରୁରୀ ନଥିଲେ ଘରୁ ନ ବାହାରିବାକୁ ଆହ୍ୱାନ ଦେଇଥିଲେ ମୋଦି । ତେବେ ଏହି ସ୍ଥିତିରେ ମଧ୍ୟ ସେବା ଯୋଗାଉଥିବା ଡାକ୍ତର, ନର୍ସ, ପୋଲିସ, ସଫେଇ କର୍ମଚାରୀ ଓ ଗଣମାଧ୍ୟମ କର୍ମଚାରୀ ସେବା ଯୋଗାଉଥିବାରୁ ଏମାନଙ୍କୁ ସନ୍ଧ୍ୟା ୫ଟାରେ ୫ ମିନିଟ୍ ଘଣ୍ଟ, ତାଳି ଓ ଥାଳି ବଜାଇ ଧନ୍ୟବାଦ ଜଣାଇବାକୁ କହିଥିଲେ । ଆଉ ଆଜି ସନ୍ଧ୍ୟା ୫ଟା ହେବା କ୍ଷଣି ନିଜ ଘରେ ଘଣ୍ଟ, ଥାଳି ଓ ତାଳି ବଜାଇ ଧନ୍ୟବାଦ ଜଣାଇଛନ୍ତି ଦେଶବାସୀ । ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ସମସ୍ତେ ଜନତା କର୍ଫ୍ୟୁକୁ ସମର୍ଥନ କରିବା ସହ କରୋନା ବିପକ୍ଷରେ ଲଢୁଥିବା ଯୋଦ୍ଧାଙ୍କୁ ଘଣ୍ଟ, ଥାଳି ଓ ତାଳି ବଜାଇ ଧନ୍ୟବାଦ ଜଣାଇଛନ୍ତି । କିଛି କିଛି ଲୋକ ଶଙ୍ଖ ବଜାଇ ଧନ୍ୟବାଦ ଜଣାଇଥିଲେ ।

ଏହାପୂର୍ବରୁ ଜନତା କର୍ଫ୍ୟୁର ପ୍ରଭାବ ପୂରା ଦେଶରେ ଦେଖିବାକୁ ମିଳିଥିଲା । କେବଳ କିଛି ଅତ୍ୟାବଶ୍ୟକ ସାମଗ୍ରୀ ଥିବା ଦୋକାନକୁ ଛାଡି ଦେଇ ବାକି ସମସ୍ତ ଦୋକାନ ବନ୍ଦ ରହିଥିଲା । ରାସ୍ତାଘାଟ ଶୂନଶାନ ଥିବା ବେଳେ ବଜାର ପୂରା ଖାଁ ଖାଁ ରହିଥିଲା । ଆଜି ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।