ରାଜଧାନୀରେ ଗର୍ଜିଲା ଜନଜାତି ସୁରକ୍ଷା ମଞ୍ଚ । ପ୍ରକୃତ ଜନଜାତିଙ୍କୁ ଚିହ୍ନଟ କରି ସଂରକ୍ଷଣ ସୁବିଧା ଦେବା ପାଇଁ ତେଜିଲା ସ୍ୱର

506

କନକ ବ୍ୟୁରୋ: ଆଜି ରାଜଧାନୀ ଭୁବନେଶ୍ୱରରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଆଦିବାସୀ । ପ୍ରକୃତ ଜନଜାତିଙ୍କୁ ସୁବିଧା-ସୁଯୋଗ ଯୋଗାଇ ଦେବା ପାଇଁ ଗର୍ଜିଛି ଜନଜାତି ସୁରକ୍ଷା ମଞ୍ଚ । ସେହିପରି ନିଜ ସ୍ୱାର୍ଥ ପାଇଁ ଧର୍ମ ପରିବର୍ତ୍ତନ କରୁଥିବା ଜନଜାତି ଲୋକଙ୍କୁ ସଂରକ୍ଷଣ ଓ ସୁବିଧା ନଦେବା ପାଇଁ ଦାବି କରିଛି । ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ରାଜନୀତିର ଗନ୍ଧ ବାରିଛି ବିଜୁ ଜନତା ଦଳ ଆଉ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି ।

  • ରାଜଧାନୀରେ ଗର୍ଜିଲା ଜନଜାତି ସୁରକ୍ଷା ମଞ୍ଚ
  • ପ୍ରକୃତ ଜନଜାତିଙ୍କୁ ସୁବିଧା ପାଇଁ ତେଜିଲା ସ୍ୱର

ରାଜଧାନୀ ଭୁବନେଶ୍ୱରରେ ଶକ୍ତି ପ୍ରଦର୍ଶନ କରିଛି ଜନଜାତି ସୁରକ୍ଷା ମଞ୍ଚ । ସହରର ରାସ୍ତାଘାଟରେ ଜମିିଲା ଆଦିବାସୀଙ୍କ ମେଳି । ଧର୍ମାନ୍ତରିତ ଜନଜାତିଙ୍କୁ ସରକାରୀ ସଂରକ୍ଷଣ ସୁବିଧାରୁ ବାଦ ଦେବା ପାଇଁ ସ୍ୱର ଉଠାଇଛି ମଞ୍ଚ । ନିଜ ସ୍ୱାର୍ଥ ପାଇଁ ଧର୍ମ ପରିବର୍ତନ କରୁଥିବା ଲୋକ ଜନଜାତିର ସୁବିଧା ନପାଇବା ପାଇଁ ଦାବି କରିଛି ମଞ୍ଚ । ରାଜଧାନୀର ବିଭିନ୍ନ ଛକରୁ ବାହାରିଥିଲା ଶୋଭାଯାତ୍ରା । ହାତରେ ପାରମ୍ପାରିକ ଅସ୍ତ୍ର ଶସ୍ତ୍ର ଧରି, ପାରମ୍ପାରିକ ବାଦ୍ୟ ଓ ନାଚ ଗୀତରେ ପ୍ରତିବାଦ କରିଥିଲେ । ଆଉ ନିଜ ହକ ପାଇଁ ରଣ ହୁଙ୍କାର ଦେଇଥିଲା ଜନଜାତି ସୁରକ୍ଷା ମଂଚ ।

  • ବିଜେପି ଖେଳିଲା ଆଦିବାସୀ କାର୍ଡ?
  • ମୁହାଁମୁହିଁ ବିଜେପି ଓ ବିଜେଡି

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୬୨ ପ୍ରଜାତିର ଆଦିବାସୀ ଏହି ସମାବେଶରେ ସାମିଲ ହୋଇଥିଲେ । ଜନଜାତିଙ୍କ ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ସାମିଲ ହୋଇଥିଲେ । ତେବେ ଏହି ସମାବେଶ ଆୟୋଜନ ପଛରେ ବିଜେପିର ହାତ ଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ । ବିଜେପି ଆଦିବାସୀ କାର୍ଡ ଖେଳୁଥିବା ବିଜେଡି ଅଭିଯୋଗ କରିଛି । ବିଜେଡିର ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ତେବେ ରାଜନୀତିର ଏହି ବୟାନବାଜି ଭିତରେ ପ୍ରକୃତ ଜନଜାତିକୁ ସଂରକ୍ଷଣ ଦେବା ପାଇଁ ସ୍ୱର ଉଠାଇଛି ଜନଜାତି ସୁରକ୍ଷା ମଞ୍ଚ ।