କନକ ବ୍ୟୁରୋ : କେନ୍ଦ୍ରାପଡ଼ାର ରାଜନଗର ବ୍ଲକ୍ରେ ଜନସେବା କେନ୍ଦ୍ର ଖୋଲିବା ନାଁରେ ବ୍ୟାପକ ଦୁର୍ନୀତି ହୋଇଥିବା ଦେଖିବାକୁ ମିଳିଛି। କିଛିଦିନ ଧରି ଦୁର୍ନୀତି ସମ୍ପର୍କରେ ଖବର ପ୍ରକାଶ ପାଉଛି। ତେବେ, ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏବେ ମିଳିଥିବା ଖବର ଅନୁସାରେ, ଗୋଟିଏ ପଞ୍ଚାୟତ ପାଇଁ ଉଦ୍ଦିଷ୍ଟ ଜନସେବା କେନ୍ଦ୍ର ୧୦/୧୫ ଦୂର ପଞ୍ଚାୟତରେ ଖୋଲାଯାଇଛି। ଫଳରେ ସମ୍ପୃକ୍ତ ପଞ୍ଚାୟତବାସୀ ଡିଜିଟାଲ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।
ସିଏସ୍ସି ୱେବସାଇଟ୍ ତଥ୍ୟ ଅନୁସାରେ, ରାଜନଗର ଅଞ୍ଚଳରେ ସମୁଦାୟ ୬୫ଟି ଜନସେବା କେନ୍ଦ୍ର ଚାଲୁଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ୨୫ଟି ଜନସେବା କେନ୍ଦ୍ରର କୌଣସି ଚିହ୍ନବର୍ଣ୍ଣ ନାହିଁ। ସିଏସି ଆଇଡି ପାଇବା ପରଠୁଁ କିଏ ଆଦୌ ଜନସେବା କେନ୍ଦ୍ର ଖୋଲିନାହାନ୍ତି ତ ଆଉ କିଏ ଅଳ୍ପ କେତେଦିନ ଖୋଲି ଦୀର୍ଘଦିନ ହେଲା ଜନସେବା କେନ୍ଦ୍ରକୁ ବନ୍ଦ କରିଦେଇଛନ୍ତି। ଏବେ ଯେତିକି ବି ଜନସେବା କେନ୍ଦ୍ର ଚାଲୁଛି, ସେଥିରୁ ଅଧିକାଂଶ ସୀମା ଡେଇଁ ଅନ୍ୟ ପଞ୍ଚାୟତରେ ଚାଲୁଥିବା ନେଇ ଅଭିଯୋଗ ହୋଇଛି। ରାଜନଗର ବ୍ଲକରେ ୮ଟି ଜନସେବା କେନ୍ଦ୍ର ସେମାନେ ପାଇଥିବା ପଞ୍ଚାୟତ ପରିବର୍ତ୍ତେ ଅନ୍ୟ ପଞ୍ଚାୟତରେ ଖୋଲିଛନ୍ତି। ଫଳରେ ସେହି ପଞ୍ଚାୟତର ଲୋକେ ଡିଜିଟାଲ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଉଲ୍ଲେଖଥାଉ କି, ଗ୍ରାମାଂଚଳ ଲୋକ ଯେପରି ଘର ନିକଟରେ ଡିଜିଟାଲ ସେବା ଓ ବିଭିନ୍ନ ସରକାରୀ ସେବା ପାଇପାରିବେ, ସେହି ଲକ୍ଷ୍ୟ ନେଇ ପଞ୍ଚାୟତଗୁଡିକରେ ଜନସେବା କେନ୍ଦ୍ର ଖୋଲାଯାଉଛି। ମାତ୍ର ରାଜନଗର ବ୍ଲକରେ ୮ଟି ଜନସେବା କେନ୍ଦ୍ର କିପରି ସୀମା ଡେଇଁ ୧୦/୧୫ କିମି ଦୂରରେ ଓ ଅନ୍ୟ ପଞ୍ଚାୟତରେ ଜନସେବା କେନ୍ଦ୍ର ଖୋଲିଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସଂପର୍କରେ ସେଣ୍ଟରର ଜିଲ୍ଲା ପରିଚାଳକ ରଜନୀକାନ୍ତ ରାଉତଙ୍କୁ ପଚାରିବାରୁ, ଯିଏ ଯେଉଁ ପଞ୍ଚାୟତ ପାଇଁ ଆଇଡି ପାଇଛନ୍ତି, ସେହି ପଞ୍ଚାୟତରେ ଜନସେବା କେନ୍ଦ୍ର ଖୋଲିବେ। ଅନ୍ୟ ପଞ୍ଚାୟତରେ କେହି ଖୋଲିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଜନସେବା କେନ୍ଦ୍ର ଅଧିକାରୀମାନେ ବର୍ଷକୁ ଥରେ ଜନସେବା କେନ୍ଦ୍ର ଚାଲୁଛି କି ନାହିଁ, ସେ ନେଇ ତଦନ୍ତ କରି ରିପୋର୍ଟ ଦେଉଥିବା ବେଳେ ଦୀର୍ଘଦିନ ଧରି ଅନ୍ୟ ପଞ୍ଚାୟତରେ ଚାଲୁଥିବା ଜନସେବା କେନ୍ଦ୍ରଗୁଡିକ ସମ୍ପର୍କରେ କିପରି ଜାଣିପାରିଲେ ନାହିଁ, ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।