ପରିବେଶ ପାଇଁ ପୁରୀ ବେଳାଭୂମିରେ ମାନବ ଶୃଙ୍ଖଳ । ସାଗର ବଞ୍ଚିଲେ ସମାଜ ବଞ୍ଚିବ, ନଦୀ ବଞ୍ଚିଲେ ସମାଜ ବଞ୍ଚିବ ଏହି ମାନବ ଶୃଙ୍ଖଳର ସ୍ଲୋଗାନ

287

କନକ ବ୍ୟୁରୋ: ପରିବେଶ ପାଇଁ ମାନବ ଶୃଙ୍ଖଳ । ନ୍ୟାସନାଲ ଆଲାଏନ୍ସ ଅଫ ପିପୁଲସ ମୁଭମେଂଟ ପକ୍ଷରୁ ପୁରୀରେ ଚାଲିଛି ରାଷ୍ଟ୍ରୀୟ ବୈଠକ । ପୁରୀ ବେଳାଭୂମିରେ ଏଥିପାଇଁ ମାନବଶୃଙ୍ଖଳାର ଆୟୋଜନ କରାଯାଇଥିଲା । ଏଥିରେ କର୍ମୀମାନେ ଯୋଗଦେଇ ସାଗର ବଂଚିଲେ ସମାଜ ବଂଚିବ, ନଦୀ ବଂଚଲେ ସମାଜ ବଂଚିବ ସ୍ଲୋଗାନ ଦେଇଥିଲେ । ଶୀତୁଆ ସକାଳରେ ଅନେକ ଲୋକ ଏଥିରେ ସାମିଲ ହୋଇଥିଲେ ।

ରାଷ୍ଟ୍ରୀୟ ଜନ ଆନ୍ଦୋଳନ ସମୂହ (ଏନଏପିଏମ୍)ର ୨୫ ତମ ରାଷ୍ଟ୍ରୀୟ ସମ୍ମିଳନୀ ଗତକାଲିଠାରୁ ପୁରୀରେ ଡୁଡୁୱାଲା ଧର୍ମଶାଳାରେ ଆରମ୍ଭ ହୋଇଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ୨୨ଟି ରାଜ୍ୟର ପ୍ରାୟ ୪୦୦ରୁ ଅଧିକ ପ୍ରତିନିଧି ଯୋଗଦେଇଛନ୍ତି। ଏହି ରାଷ୍ଟ୍ରୀୟ ସମ୍ମିଳନୀରେ ଅନୁଷ୍ଠାନର ପ୍ରତିଷ୍ଠାତା ମେଧା ପାଟେକର ଯୋଗଦେଇ ଦେଶର ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ଆହ୍ବାନ ଦେଇଥିଲେ। ସେ କହିଥିଲେ ଯେ ଦେଶ ଏବେ ଘଡ଼ିସନ୍ଧି ଦେଇ ଗତି କରୁଛି। ଜାତି-ଧର୍ମ ଓ ସଂପ୍ରଦାୟ ନାମରେ ରାଜନୀତି କରାଯାଉଛି। ଦେଶରେ ସାଧରଣ ଜନତାଙ୍କ ମାନବାଧିକାର କ୍ଷୁଣ୍ଣ ହେଉଛି। ସରକାର କଂପାନି ସ୍ବାର୍ଥ ପାଇଁ ଆଇନ ବଦଳାଇ ଦେଉଛନ୍ତି। ଦେଶ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡ଼ିଲାଣି। ଦିଲ୍ଲୀ ପ୍ରଦୂଷଣର ସୀମା ଟପିଲାଣି। ଏଭଳି ସମୟରେ ଦେଶର ସମ୍ବିଧାନ ଓ ଗାଣତାନ୍ତ୍ରିକ ବ୍ୟବସ୍ଥାକୁ ବଞ୍ଚାଇବାକୁ ହେବ ବୋଲି କହିଥିଲେ ମେଧା ପାଟେକର । ଏହାଛଡ଼ା ବର୍ତ୍ତମାନ ଦେଶରେ ଚାଲଥିବା ମୂଲ୍ୟବୋଧ ହୀନ ରାଜନୀତିକୁ କଡ଼ା ସମାଲୋଚନା କରି ଗାନ୍ଧୀ ଓ ଆମ୍ବେଦରକଙ୍କ ଚିନ୍ତାଧାରାରେ ବିଶ୍ବାସ ରଖୁଥିବା ଜନ ଆନ୍ଦୋଳନ ସମୂହର କର୍ମକର୍ତ୍ତାଙ୍କୁ ଦେଶକୁ ଅହିଂସା ମାର୍ଗରେ ଏକତ୍ରିତ କରି ଦେଶର ଅଖଣ୍ଡତା ରକ୍ଷା କରିବାକୁ ମେଧା ଆହ୍ବାନ ଦେଇଥିଲେ।

 

ଆଜି ଉପକୂଳ ସୁରକ୍ଷା ପାଇଁ ପୁରୀ ସମୁଦ୍ର ବେଳାଭୂମିରେ ଏକ ମାନବ ଶୃଙ୍ଖଳ କରାଯାଇଛି । ଦେଶର ବିଭିନ୍ନ ପ୍ରାନ୍ତରେ ଚାଲିଥିବା ଜନ ଆନ୍ଦୋଳନଗୁଡିକ ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ଏନଏପିଏମ୍ ୧୯୯୪ରେ ଗଠନ କରାଯାଇଥିଲା। ସଂଗଠନ ସହଯୋଗରେ ସୂଚନା ଅଧିକାର ଆଇନ-୨୦୦୫, ଜଂଗଲ ଅଧିକାର ଆଇନ-୨୦୦୬, ନୂଆ ଜମି ଅଧିଗ୍ରହଣ ଆଇନ-୨୦୧୩ ଭଳି ଅନେକ ଜନାଭିମୁଖୀ ଆଇନର ପ୍ରଣୟନ କରାଯାଇଛି । ଆସନ୍ତା ୨୫ ତାରିଖରେ ଏହି ସମ୍ମିଳନୀ ଉଦ୍ୟାପିତ ହେବ।