ଶତ୍ରୁ ପାଇଁ ଆତଙ୍କ ଆମ ପାଇଁ ହିରୋ: ଭାରତମାତାର ସାହସୀ ସେନାଙ୍କୁ ସଲାମ୍

121

କନକ ବ୍ୟୁରୋ: ବାହୁରେ ବାହୁବଳୀ ପରି ବଳ, ହାତରେ ଶତ୍ରୁ ସଂହାର ପାଇଁ ଶହ ଶହ ଶସ୍ତ୍ର । ଛପନ୍ ଇଂଚ୍ର ଛାତି ପତାଇ ଏଲଓସିରେ ଲକ୍ଷ୍ମଣରେଖା ଟାଣି ଛିଡ଼ା ହୋଇଛନ୍ତି ଭାରତର ବୀର ଯବାନ । ଖରାତରାକୁ ଖାତିର ନକରି ଶତ୍ରୁର ପ୍ରତିଟି ଷଡ଼ଯନ୍ତ୍ରକୁ ମାତ୍ ଦେବାପାଇଁ ସବୁବେଳେ ସଜାଗ ଥାନ୍ତି ଆମ ସାହସୀ ଯବାନ । ଆଜି ଆର୍ମି ଡେ’ରେ ସମସ୍ତ ଯବାନଙ୍କ ବୀରତ୍ୱକୁ ନେଇ ଏହି ରିପୋର୍ଟ…

ସେମାନେ ଚେଇଁଥାନ୍ତି ବୋଲି ଆମେ ଶାନ୍ତିରେ ଶୋଉଛୁ । କେତେବେଳେ ମାଟି ମା’ ପାଇଁ ଛାତିରେ ଗୁଳିଖାଇ ସହିଦ ହୁଅନ୍ତି ତ କେତେବେଳେ ମାଟି ମା’ର ଇଜ୍ଜତ ପାଇଁ ଶତ୍ରୁର ଛାତିକୁ ବନ୍ଧୁକ ଗୁଳିରେ ଛାଉଣି କରିଦିଅନ୍ତି । ସେଥିପାଇଁ ତ କୁହାଯାଏ ପଛଘୁଞ୍ଚା ନାହିଁ ବୀରର ଜାତକେ, ନ ମରେ ସେ କେଭେ ପରାଣ ଆତଙ୍କେ । । ବର୍ଡରରେ ସେମାନେ ହସି ହସି ବଳିଦାନ ଦେଉଛନ୍ତି ବୋଲି ଆଜି ଆମ ପରିବାର ଓ ଆମେ ହସଖୁସିରେ ରହିପାରୁଛୁ । ସତରେ ସେମାନେ ସୀମାରେ ସୁରକ୍ଷା କବଚ ସାଜିଛନ୍ତିି ବୋଲି ଆମେ ସମସ୍ତେ ସୁରକ୍ଷିତ ଅଛୁ ।

ଆଜି ହେଉଛି ଭାରତୀୟ ସେନା ଦିବସ । ଦେଶ ପାଇଁ ସେନାଙ୍କ ବୀରତ୍ୱ ଓ ବଳିଦାନକୁ ମନେ ରଖିବା ପାଇଁ ଆଜି ହେଉଛି ଦିନଟିଏ । ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ସେନା ଦିବସ ପାଳନ କରାଯାଏ । ଏହି ଦିନ ଭାରତୀୟ ଯବାନଙ୍କ ସମ୍ମାନର ଦିନ ଯିଏ ଆମ ଦେଶକୁ ସୁରକ୍ଷା ଦେଉଛନ୍ତି । ଭାରତୀୟ ସେନାଙ୍କ ପାଇଁ ଆଜିର ଦିନ ବହୁତ ଖାସ । କାରଣ ଆଜିର ଦିନରେ ଫିଲ୍ଡ ମାର୍ଶଲ କେଏମ କାରିୟପ୍ପା ସେନାର ପ୍ରଥମ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଆଉ ସେବେଠାରୁ ଆଜି ପର୍ଯ୍ୟନ୍ତ କେଏମ କରିୟପ୍ପାଙ୍କୁ ସମ୍ମାନ ଦେବାକୁ ଯାଇ ଜାନୁଆରୀ ୧୫ ତାରିଖରେ ସେନା ଦିବସ ପାଳନ କରାଯାଉଛି ।

ସ୍ୱାଧୀନତା ପୂର୍ବରୁ ଭାରତରେ ବ୍ରିଟିଶ ରାଜ ଚାଲିଥିଲା । ୧୯୪୯ ମସିହା ସ୍ୱାଧିନତା ପରେ ବ୍ରିଟିଶ କମାଣ୍ଡର ଇନ ଚିଫ ଜେନେରାଲ ଥିଲେ । ଏହା ପରେ ସ୍ୱାଧୀନ ଭାରତର ପ୍ରଥମ ସେନା ମୁଖ୍ୟ ଭାବେ ଲେପ୍ଟନାଣ୍ଟ ଜେନେରାଲ କେଏମ କରିୟପ୍ପା କମାଣ ସମ୍ଭାଳିଥିଲେ । ଭାରତ-ପାକ୍ ଯୁଦ୍ଧରେ ବି ସେ ନେତୃତ୍ୱ ନେଇଥିଲେ । ଏହାପରେ କରିୟପ୍ପା ଫିଲ୍ଡ ମାର୍ଶଲ ବନିଥିଲେ ।

ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ସେନାରେ ବହୁତ କିଛି ପରିବର୍ତ୍ତନ ହୋଇଛି । ଏବେ ଭାରତୀୟ ସେନା ବିଶ୍ୱର ଶକ୍ତିଶାଳୀ ସେନା ମଧ୍ୟରେ ୪ର୍ଥ ସ୍ଥାନରେ ରହିଛି । ଭାରତୀୟ ସେନାରେ ଏବେ ୧୨ ଲକ୍ଷ ୩୭ ହଜାର ୧୧୭ ଜଣ ସକ୍ରିୟ ସେନା ରହିଛନ୍ତି । ସେହିପରି ୯ ଲକ୍ଷ ୬୦ ହଜାର ରିଜର୍ଭ ସେନା ସାମିଲ ଅଛନ୍ତି । ଅତିତରେ ବଡ ବଡ ଯୁଦ୍ଧରେ ଦେଶକୁ ରକ୍ଷା କରିଛନ୍ତି ଭାରତୀୟ ସେନା ।

ଭାରତୀୟ ସେନା ଆମ ଦେଶ ପାଇଁ ଗର୍ବ ଆଉ ଗୌରବ । ନିଜ ପରିବାର ହସ ଖୁସି ଛାଡି ସେମାନେ ସେନାରେ ଯୋଗ ଦିଅନ୍ତି । ବାପା ମା, ସ୍ତ୍ରୀ, ପିଲା ଛୁଆଙ୍କୁ ଛାଡି ବର୍ଷ ବର୍ଷ ବର୍ଡରରେ ଦେଶର ସୁରକ୍ଷାରେ ନିଜକୁ ସମର୍ପଣ କରିଥାନ୍ତି । ଏମିତି କି ଯୁଦ୍ଧରେ ନିଜର ସହିଦ ହେବାର ଜାଣି ମଧ୍ୟ ସେମାନେ ପଛ ଘୁଞ୍ଚା ଦିଅନ୍ତିନି । ଦେଶକୁ ରକ୍ଷା କରିବା ପାଇଁ ସେମାନେ କେତେବେଳେ ଶତ୍ରୁତୁ କଡା ଜବାବ ଦେଇଥାନ୍ତି ତ ଆଉ କେତେବେଳେ ନିଜର ବଳିଦାନ ଦେଇଥାନ୍ତି । ଦେଶ ପାଇଁ ସେନାଙ୍କ ବୀରତ୍ୱ ଓ ବଳିଦାନକୁ ଦେଶବାସୀ କେବେ ବି ଭୁଲିବେନି ।