କନକ ବ୍ୟୁରୋ : ଯୁଗ ବଦଳିଲାଣି । ଲୋକଙ୍କ ବିଚାରାଧାରାରେ ପରିବର୍ତ୍ତନ ହେଲାଣି । ହେଲେ ଏବେବି ଏମିତି କିଛି ଘଟଣା ସାମ୍ନାକୁ ଆସୁଛି, ଯାହା ଅତି ଚିନ୍ତାଜନକ । କେନ୍ଦୁଝର ତେଲକୋଇ ବ୍ଲକ ଡିମିରିଆ ଗାଁରୁ । ସ୍ତ୍ରୀର ବନ୍ଧ୍ୟାକରଣ ପରେ ମହିଳାଙ୍କୁ ଆଉ ଘରେ ପଶିବାକୁ ଦେଉନାହାନ୍ତି ସ୍ୱାମୀ । ଆଉ ଏବେ ନବଜାତକଙ୍କୁ ଧରି ଗଛମୂଳେ ଆଶ୍ରୟ ନେଇଛନ୍ତି ମହିଳା ଜଣକ ।

Advertisment

ଖବର ଅନୁସାରେ ଡିମିରିଆ ଗାଁର ରବି ଦେହୁରୀ ଓ ସ୍ତ୍ରୀ ଜାନକୀ ଦେହୁରୀଙ୍କ ୧୧ଟି ସନ୍ତାନ । ଗରିବ ପରିବାର । ପିଲାମାନଙ୍କୁ ଲାଳନପାଳନ କଷ୍ଟକର ହୋଇପଡ଼ିଛି । ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ ଦ୍ୱିତୀୟ ବିବାହ କରିଛନ୍ତି ରବି । ବିବାହ ପରଠାରୁ ପ୍ରତି ବର୍ଷ ସନ୍ତାନଟିଏ ଜନ୍ମ ନେଉଛି । ଗତ ୧୪ ତାରିଖରେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟୋଜନ ଶିବିର ଅନୁଷ୍ଠିତ ହୋଇଥିଲା ।

ଆଶାକର୍ମୀ ଓ ଡାକ୍ତରଙ୍କ ପରାମର୍ଶ କ୍ରମେ ଜାନକୀ ସ୍ଥାୟୀ ଅସ୍ତ୍ରୋପଚାର କରିଥିଲେ । ହେଲେ ଏହାକୁ ନେଇ ସେ ଏବେ ଦହଗଞ୍ଜ ହେଉଛନ୍ତି । କାହିଁକି ଅସ୍ତ୍ରୋପଚାର କରାଇଲୁ, ଘରେ ଆଉ ଠାକୁର ପୂଜା ପାଇବେ ନାହିଁ, ଏପରି କହି ଘରୁ ସ୍ୱାମୀ ତାଙ୍କୁ ବାହାର କରିଦେଇଛନ୍ତି । ଏବେ ଜାନକୀ ୩୦ ଦିନର ପିଲାକୁ ଧରି ଘର ଅଗଣାରେ ଥିବା ଆମ୍ବ ଗଛ ମୂଳରେ ଆଶ୍ରୟ ନେଇଛନ୍ତି । ଏହି ଅଭାବନୀୟ ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି ।