ମହାରାଷ୍ଟ୍ରର ନାଗପୁର ଯାଉଛି ନବରଙ୍ଗପୁରର ଜାମୁକୋଳି: ନିଆରା ସ୍ୱାଦ ଓ ଔଷଧିୟ ଗୁଣ ପାଇଁ କୋଳିର ରହିଛି ଚାହିଦା

74

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାର ଜାମୁକୋଳି ଏବେ ମହାରାଷ୍ଟ୍ରର ନାଗପୁର ମୁହାଁ,ଯେଉଁ ଜାମୁକୋଳି ଦିନେ ମାଟିରେ ପଡି ନଷ୍ଟ ହେଉଥିଲା ତାହା ଏବେ ରୋଜଗାର ଯୋଗାଇବା ସହ ଅନ୍ୟ ରାଜ୍ୟ କୁ ରପ୍ତାନି ହେଉଛି । ଜଙ୍ଗଲରୁ ନିଜ ବାଡ଼ି ବଗିଚା ରୁ ଜାମୁକୋଳି ସଂଗ୍ରହ କରି ଗୋଟାଳି ମାନେ ବେପାରୀଙ୍କୁ ବିକ୍ରି କରୁଛନ୍ତି । ପ୍ରତିଦିନ ଭ୍ୟାନ୍ରେ ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ଅଂଚଳରୁ ନାଗପୁରକୁ ଯାଉଛି ଜାମୁ କୋଳି ।

ଜାମୁକୋଳିର ନିଆରା ସ୍ୱାଦ ଓ ଔଷଧିୟ ଗୁଣ ପାଇଁ ସମସ୍ତେ ଋତୁ କାଳୀନ ଫଳ ହିସାବରେ ଏହାକୁ ଖାଇଥାଆନ୍ତି । ନବରଙ୍ଗପୁର ଜିଲ୍ଲାରେ ଏହି ଗଛ ପ୍ରଚୁର ପରିମାଣରେ ଦେଖାଯାଏ । କିନ୍ତୁ ଏଠାରେ ଏହାର ବିଶେଷ ମୂଲ୍ୟ ମିଳେ ନାହିଁ । ବାହାର ରାଜ୍ୟରେ ଏହାର ଚାହିଦା ରହିଛି ଏଣୁ ବ୍ୟବସାୟୀ ବାହାର ରାଜ୍ୟକୁ ରପ୍ତାନି କରୁଛନ୍ତି । ବିଶେଷକରି ଜିଲ୍ଲାର ରାଇଘର ଓ ଉମରକୋଟ ବ୍ଲକର ବିଭିନ୍ନ ଗାଁରୁ କୁଇଂଟାଲ କୁଇଂଟାଲ ଜାମୁକୋଳି ବାହାର ରାଜ୍ୟକୁ ପଠାଯାଉଛି । ବର୍ଷକୁ ଖୁବ୍ କମ୍ ଦିନ ଏହି କୋଳି ଉତ୍ପାଦନ ହେଉଥିବାରୁ ରୁତୁକାଳିନ ଫଳ ଭାବେ ବ୍ୟବସାୟୀ ଭଲ ରୋଜଗାର କରୁଛନ୍ତି । ବର୍ଷାଦିନେ ଜାମୁକୋଳି ସଂଗ୍ରହ କରିବା କଷ୍ଟକର ହୋଇଥାଏ । କାରଣ ଜାମୁକୋଳିର ଉପରଅଂଶ ଅତ୍ୟନ୍ତ କୋମଳ ହୋଇଥିବାରୁ କୋଳି ତୋଳିବା କିମ୍ବା ଗଛରୁ ଝଡିବା ସମୟରେ ମାଡ ହେଲେ ପରିବହନ ପାଇଁ ଯୋଗ୍ୟ ହୋଇନଥାଏ ।

ନବରଙ୍ଗପୁର ଅଂଚଳରୁ ପ୍ରତିଦିନ ପ୍ରାୟ ୫ଟି ଭ୍ୟାନରେ ପ୍ରାୟ ୭୫ କୁଇଂଟାଲ କୋଳି ମହାରାଷ୍ଟ୍ରର ନାଗପୁର ଯାଉଛି । ଏହି ବ୍ୟବସାୟରେ ୧୦୦ରୁ ୧୫୦ ଗୋଟାଳି ଜୀବିକା ନିର୍ବାହ କରୁଛନ୍ତି । ପ୍ରତିଦିନ କିଏ ୧୦ କିଲୋ ତ’ ଆଉ କିଏ ୨୦ କିଲୋ ସଂଗ୍ରହ କରୁଛନ୍ତି । ଜଣେ ଗୋଟାଳି କୋଳି ବିକ୍ରି କରି ଦିନକୁ ୨୦୦ ଶହ ଟଙ୍କାରୁ ରୁ ୪ଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା କହିଛନ୍ତି । ସବୁଠୁ ବଡ କଥା ହେଲା ନବରଙ୍ଗପୁର ଅଂଚଳବାସୀ ଜାମୁକୋଳିରୁ ରୋଜଗାର କରୁଥିବାରୁ ସେମାନେ ଗଛର ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦେଇଥାନ୍ତି । ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବା କାରଣରୁ ଆଗ ଅପେକ୍ଷା ଏବେ ଉତ୍ପାଦନ କମୁଛି । ଜଙ୍ଗଲ ସୁରକ୍ଷା ପ୍ରତି ବନ ବିଭାଗ ଓ ଗୋଟାଳିମାନେ ମିଳିତ ଭାବେ ଗୁରୁତ୍ୱ ଦେଲେ ଗଛ ବଂଚିବା ସହ ଆଗାମୀ ଦିନରେ ଗୋଟାଳି ମାନେ ଅଧିକ ଉପକୃତ ହୋଇପାରିବେ ବୋଲି କୁହାଯାଉଛି ।

ବଣପାହାଡ଼ ଘେରା ନବରଙ୍ଗପୁର ଅଂଚଳରେ ବନଜାତ ସାମଗ୍ରୀ ସଂଗ୍ରହ କରି ରୋଜଗାର କରନ୍ତି ସ୍ଥାନୀୟ ବାସିନ୍ଦା । ଏବେ ଲୋକଙ୍କ ରୋଜଗାରର ମାଧ୍ୟମ ପାଲଟିଛି ଜାମୁକୋଳି ।