କଂଗ୍ରେସ-ଆରଜେଡି ଭାରତର ନାଁକୁ ଖରାପ କରୁଛନ୍ତି । ବିହାରରେ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦୀ

152

କନକ ବ୍ୟୁରୋ : ବିଗତ ୧୦ ବର୍ଷରେ ଯାହା ସବୁ ବିକାଶ ହୋଇଛି ତାହା କେବଳ ଟ୍ରେଲର ଅଟେ, ଆଗକୁ ଆହୁରି ଅନେକ କାମ କରିବା ବାକି ରହିଛି । ଯୁବକ ଯୁବତୀ, ମହିଳା, ବୟଷ୍କ ସମସ୍ତେ ଲେଖିକି ରଖନ୍ତୁ ଆପଣମାନଙ୍କ ସ୍ୱପ୍ନ ପୂରା କରିବା ହେଉଛି ମୋର ସଂକଳ୍ପ । ବିହାରରେ ଆୟୋଜିତ ଏକ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦୀ ଏପରି କହିଛନ୍ତି । ସଭାରେ ନାଁ ନନେଇ ଲାଲୁଙ୍କ ପରିବାରକୁ ମଧ୍ୟ କଡା ସମାଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ସଭାରେ କହିଛନ୍ତି, ବିହାରର ଲୋକେ ସବୁବେଳେ ମନେରଖନ୍ତୁ, ରେଲୱେରେ ଚାକିରି ଦେବା ଆଳରେ ଗରିବଙ୍କ ଜମି ହଡପ କରୁଥିବା ଲୋକ କେବେ ବି ଦେଶର କିମ୍ବା ରାଜ୍ୟର ବିକାଶ କରିପାରିବେ ନାହିଁ । ୨୮ମିନିଟର ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି କି, ପୂର୍ବରୁ ଲୋକଙ୍କ ଖାତାକୁ ଟଙ୍କା ଆସିବା ପୂର୍ବରୁ ଲୋକଙ୍କ ଟଙ୍କାକୁ ଲୁଟିନିଆଯାଉଥିଲା । ଯେଉଁମାନେ ଲୁଟିକି ନେଇଛନ୍ତି, ସେମାନଙ୍କୁ ଟଙ୍କା ପେରାଇବାକୁ ପଡିବ । ଆଜି ଦେଶର ସବୁ ଦୁର୍ନୀତିଗ୍ରସ୍ତ ଲୋକ ଏକାଠି ହୋଇଛନ୍ତି । କିନ୍ତୁ ଏଠାଲେ ଲୋକେ ମୋଦୀ ସରକାର ସରକାର ନାରା ଦେଉଛନ୍ତି । ଜନତାଙ୍କଠୁ ମତେ ଅନେକ ଭଲପାଇବା ଓ ସ୍ନେହ ମିଳିଛି

ସ୍ୱାଧୀନତା ସଂଗ୍ରାମରେ ବିହାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । କିନ୍ତୁ ଦୁର୍ଭାଗ୍ୟବସତଃ, ସ୍ୱାଧୀନତା ପରେ ବି ବିହାରକୁ ନ୍ୟାୟ ମିଳିପାରିନି । ଏନଡିଏ ସହଯୋଗୀ ଦଳ ବିହାରକୁ ଗଭୀର ଜଳରୁ ବାହାର କରିଥିଲା, ଯେଉଁଥିରେ ନୀତୀଶ କୁମାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମୀକା ଗ୍ରହଣ କରିଥିଲେ । ୨୦୨୪ ନିର୍ବାଚନ ଭାରତ ଏବଂ ଏହାର ଭବିଷ୍ୟତ ପାଇଁ ନିର୍ଣ୍ଣାୟକ ଅଟେ । ଏହି ନିର୍ବାଚନ ହେଉଛି ବିକଶିତ ଭାରତ ଏବଂ ବିହାରର ସଂରଳ୍ପ । ଆଜି ଗୋଟିଏ ପଟେ ଆରଜେଡି-କଂଗ୍ରେସ ଭଳି ଦଳ ଅଛନ୍ତି, ଯାହା ଭାରତର ନାଁକୁ ଖରାପ କରିଦେଇଛନ୍ତି । ଆଉ ଗୋଟିଏ ପଟେ ଆମେ ଅଛୁ, ଯାହାଙ୍କ ବିକଶିତ ଭାରତ ଓ ବିକଶିତ ବିହାର ବନାଇବା ଲକ୍ଷ ରହିଛି