ଜମ୍ମୁ-କାଶ୍ମୀର : ପୁଲୱାମା ଏନକାଉଣ୍ଟରରେ ଲସ୍କର କମାଣ୍ଡର ସହ ୫ ଆତଙ୍କବାଦୀ ନିହତ । ସେନାର ଅପରେଶନ ଜାରୀ

104

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ପୁଲୱାମା ଠାରେ ପୋଲିସ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ ଲସ୍କର-ଏ-ତୋଏବାର ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଏନେଇ ସୂଚନା ଦେଇଛନ୍ତି । ବିଜୟ କୁମାରଙ୍କ ସୂଚନା ମୁତାବକ ଏହି ଗୁଳି ବିନିମୟରେ ସେନାର ଜଣେ ଯବାନ ସହିଦ ହୋଇଛନ୍ତି । ଏହାସହ ଲସ୍କର-ଏ-ତୋଏବାର ଜିଲ୍ଲା କମାଣ୍ଡର ନିଶାଜ ଲୋନେ ଓ ଏକ ପାକିସ୍ତାନୀ ଆତଙ୍କବାଦୀ ସହ ଏହି ଏନକାଉଣ୍ଟରରେ ମୋଟ ୫ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବିଜୟ କୁମାର ସୂଚନା ଦେଇଛନ୍ତି ।

ଜଣେ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ ଆତଙ୍କବାଦୀମାନେ ପୁଲୱାମା ନିକଟରେ ଥିବା ଖବର ପାଇବା ପରେ ସେନା ପକ୍ଷରୁ ପୁଲୱାମା ଜିଲ୍ଲା ରାଜପୁରା ନିକଟ ହାଜିନ୍ ଗାଁକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା । ଏହି ସମୟରେ ଆତଙ୍କବାଦୀମାନେ ସେନା ଉପରେ ଗୁଳି ଚଳାଇଥିଲେ । ଏଥିରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଥିଲା   । ଏହାପରେ ସେନା ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା ।

କହିରଖୁ କି ଜମ୍ମୁ-କାଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ପରେ ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀମାନେ ସକ୍ରିୟ ହୋଇଛନ୍ତି । ଜମ୍ମୁ ଏୟାରଫୋର୍ସ ଷ୍ଟେସନରେ ଡ୍ରୋନ ଆକ୍ରମଣ ପରେ ଆଜି ଇସଲାମାବାଦ ଠାରେ ଥିବା ଭାରତୀୟ ଦୂତାବାସ ଉପରେ ବି ଡ୍ରୋନ ଉଡୁଥିବା ନେଇ ସୂଚନା ମିଳିଛି ।