ଏପଟେ ଚାଲୁଥିଲା ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ । ସେପଟେ ବୈଷ୍ଣବଦେବୀ ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ୧୦ ମୃତ

1,003

କନକ ବ୍ୟୁରୋ : ଏପଟେ ଦିଲ୍ଲୀରେ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଉଥିବା ବେଳେ ସେପଟେ ଜମ୍ମୁରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ବୈଷ୍ଣବ ଦେବୀ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ସୁରକ୍ଷାକର୍ମୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଆତଙ୍କବାଦୀଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଚଳାଇଛନ୍ତି ।

ସୂଚନା ମୁତାବକ ଏହି ଆତଙ୍କବାଦୀ ଆକ୍ରମଣ ଜମ୍ମୁର ରିୟାସୀ ଅଞ୍ଚଳରେ ହୋଇଛି । ଶିବଖାଡି ମନ୍ଦିର ଦର୍ଶନ ସାରି ବୈଷ୍ଣବ ଦେବୀ ଯାଉଥିବା ବେଳେ ଆତଙ୍କବାଦୀମାନେ ବସ୍ ଉପରକୁ ଗୁଳି ଚାଳନା କରିଥିଲେ । ଏଥିରେ ବସ୍ ଚାଳକ ନିୟନ୍ତ୍ରଣ ହରାଇଥିଲେ । ଫଳରେ ବସଟି ଏକ ନାଳ ମଧ୍ୟକୁ ଖସି ପଡିଥିଲା । କୁହାଯାଉଛି କି, ବସରେ ୫୦ ରୁ ଅଧିକ ଯାତ୍ରୀ ଥିଲେ । ସଦ୍ୟ ସୂଚନା ମୁତାବକ ଏପର୍ଯ୍ୟନ୍ତ ୧୦ ଜଣ ଶ୍ରଦ୍ଧାଳୁଙ୍କ ମୃତଦେହ ଉଦ୍ଧାର କରାଯାଇଛି ।