ଶ୍ରୀନଗରରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ, ବିଚ୍ ରାସ୍ତାରେ ପୋଲିସକର୍ମୀଙ୍କୁ ଗୁଳିକରି ହତ୍ୟା

224

କନକ ବ୍ୟୁରୋ : ଦିନକୁ ଦିନ ଆତଙ୍କବାଦୀଙ୍କ କବଜାକୁ ଚାଲି ଯାଉଛି ମାନବ ସମାଜ । ଆଫଗାନିସ୍ତାନରେ ତାଲିବାନୀ ଆତଙ୍କବାଦୀମାନେ ଯେଭଳି କାଣ୍ଡ ଘଟାଉଛନ୍ତି ତାହାକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ଆଜି ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଏକ ବର୍ବର କାଣ୍ଡ ଯାହାକି ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଜି ଆତଙ୍କବାଦୀଙ୍କ କାଣ୍ଡ ଦେଖିବାପରେ ସେମାନେ ଯେ କେତେ ଶକ୍ତିଶାଳୀ ତାହା ସାଧାରଣ ଲୋକଙ୍କ ଅନୁମାନ ବାହାରେ । ଆଜିର ଚିତ୍ର ବୟାନ କରୁଛି କି ଦେଶର ସୁରକ୍ଷା ବ୍ୟବସ୍ଥାକୁ ଆତଙ୍କବାଦୀମାନେ ଚ୍ୟାଲେଞ୍ଜ କରୁଛନ୍ତି ।

ଜମ୍ମୁ କାଶ୍ମୀରର ଶ୍ରୀନଗର ଠାରେ ଆତଙ୍କବାଦୀମାନେ ପୁଣି ଏକ ଆକ୍ରମଣ କରିଛନ୍ତି । ଏଥର ଆତଙ୍କବାଦୀମାନେ ସିଧା ସଳଖ ପୋଲିସ ପାର୍ଟି ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ଶ୍ରୀନଗରର ଖାନେୟାର ଅଞ୍ଚଳରେ ହୋଇଛି । ଏହି ଆକ୍ରମଣରେ ଜଣେ ଯବାନଙ୍କ ମୁଣ୍ଡରେ ଗୁଳି ବାଜିବାରୁ ସେ ମେଡିକାଲରେ ମୃତ୍ୟୁବରଣ କରିଛନ୍ତି । ଏହାପରେ ସୁରକ୍ଷାବଳ ଆତଙ୍କବାଦୀମାନଙ୍କୁ ଧରିବାକୁ ଅପରେଶନ ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ ଶ୍ରୀନଗର ଜିଲ୍ଲାର ଖାନେୟାର ଅଞ୍ଚଳରେ କିଛି ପୋଲିସ ଫୋର୍ସ ମୁତୟନ ଥିଲେ । ଏହି ସମୟରେ କିଛି ଆତଙ୍କବାଦୀ ପୋଲିସ ଟିମ୍ ଉପରେ ହଠାତ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଫଳରେ ଜମ୍ମୁ-କାଶ୍ମୀର ପୋଲିସର ଯବାନ ଅସରଦ ଅହମ୍ମଦ ଗୁରୁତର ହୋଇପଡିଥିଲେ । ତାଙ୍କୁ ମେଡିକାଲ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆକ୍ରମଣ ପରେ ଆତଙ୍କବାଦୀମାନେ ଫେରାର୍ ହୋଇଯାଇଛନ୍ତି । ଏହି ସୂଚନା ପାଇବା ପରେ ଆଖପାଖ ଅଞ୍ଚଳରେ ନିୟୋଜିତ ଥିବା ସୁରକ୍ଷା ବଳ ସେଠାରେ ପହଂଚି ଆତଙ୍କବାଦୀଙ୍କୁ ଖୋଜିବାରେ ଲାଗିଛନ୍ତି ।

କହିରଖୁ କି ଗୁଇନ୍ଦା ବିଭାଗ ପୂର୍ବ ମାସ ଆରମ୍ଭରେ ସୁରକ୍ଷା ବିଭାଗକୁ ସୂଚନା ଦେଇଥିଲେ ଯେ ଆଗାମୀ ୧୫ ଦିନ ମଧ୍ୟରେ ଆତଙ୍କବାଦୀମାନେ ୧୦ ରୁ ଅଧିକ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି ।

ଅନ୍ୟପଟେ ଆଜି ସକାଳେ ରୋଜରୀ ଜିଲ୍ଲାରେ ଆତଙ୍କବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ଜଣାପଡିଛି । ହେଲେ ଏବେ ବି ଉଭୟ ପକ୍ଷରୁ ଗୁଳିବିନିମୟ ଜାରି ରହିଛି । କିଛି ଦିନ ହେବ ଶ୍ରୀନଗରରେ ଆତଙ୍କୀମାନେ ଖୁଲ୍ଲମଖୁଲ୍ଲା ଗ୍ରେନେଡମାଡ କରୁଥିବା ଘଟଣା ସାମ୍ନାକୁ ଆସୁଛି ।