କାଶ୍ମୀରର ସୋପିଆଁରେ ସୁରକ୍ଷାକର୍ମୀ: ଆତଙ୍କବାଦୀ ଏନକାଉଣ୍ଟର; ୨୪ ଘଂଟାରେ ୯ ଆତଙ୍କବାଦୀ ସଫା

ଇଂଟରନେଟ ବନ୍ଦ, ଲୋକଙ୍କୁ ଘରେ ରହିବାକୁ ପରାମର୍ଶ

335

କନକ ବ୍ୟୁରୋ: ଜାମ୍ମୁକାଶ୍ମୀରର ସୋପିଆନ ଜିଲ୍ଲାରେ ବଡ ଏନକାଉଣ୍ଟର । ଲଗାତାର ଦ୍ୱିତୀୟ ଦିନରେ ପିଞ୍ଜୋରାରେ ଚାଲିଥିବା ଅପରେସନ ଅଲଆଉଟରେ ଆଜି ୪ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏବେ ପିଞ୍ଜୋରାରେ ଏନକାଉଂଟର ଜାରି ରହିଛି । ନିହତ ଆତଙ୍କବାଦୀମାନେ ହିଜବୁଲ ମୁଜାହିଦ୍ଦିନର ସଦସ୍ୟମାନେ ବୋଲି ଜଣାପଡିଛି, ତେବେ ତାଙ୍କ ପରିଚୟ ମିଳିପାରି ନାହିଁ । ଅଂଚଳରେ ଇଂଟରନେଟ ସେବା ବନ୍ଦ କରାଯାଇ, ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ସୋପିଆନର ପିଞ୍ଜୋରାରେ ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଆଜି ସକାଳୁ ସର୍ଚ୍ଚ ଆପରେସନ ଆରମ୍ଭ କରିଥିଲେ ସେନା ।

ତେବେ ଗତ ୨୪ ଘଂଟାରେ ସୋପିଆନ ଜିଲ୍ଲାରେ ୯ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ଭାରତୀୟ ଯବାନ । ରବିବାର ସୋପିଆନରେ ୫ ଆତଙ୍କବାଦୀଙ୍କୁ ଭାରତୀୟ ସୁରକ୍ଷାକର୍ମୀ ଏନକାଉଁଟର କରିଥିଲେ । ନିହତ ସମସ୍ତ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନ ସଂଗଠନର । ରବିବାର ଏନକାଉଂଟରରେ ହିଜବୁଲର ଟପ କମାଣ୍ଡର ଫାରୁକ ଅହମ୍ମଦ ଭଟ୍ଟ, ସେକଲନ ଅହମ୍ମଦ ବଗର ଓ ସଫୈତ ଅମିନ ନାୟକ ନିହତ ହୋଇଛନ୍ତି । ମୃତ ଅନ୍ୟ ଦୁଇ ଆତଙ୍କବାଦୀଙ୍କ ପରିଚୟ ଜଣାପଡି ନାହିଁ । ହିଜବୁଲ କମାଣ୍ଡର ଫାରୁକ ଅହମ୍ମଦ ଏପ୍ଲସ ପ୍ଲସ କ୍ୟାଟାଗୋରୀ ଆତଙ୍କବାଦୀ ଥିଲା । ଦୀର୍ଘଦିନରୁ ଫାରୁକ ଭାରତୀୟ ସୁରକ୍ଷାକର୍ମୀଙ୍କ ମୋଷ୍ଟ ୱାଂଟେଡ ଲିଷ୍ଟରେ ରହିଥିଲା ।