ଜାମ୍ମୁକାଶ୍ମୀର ପୁଲିସ ଡିଏସପି ଗିରଫ ମାମଲାରେ ସରଗରମ ରାଜନୀତି । କଂଗ୍ରେସ କହିଲା, ଦେବେନ୍ଦ୍ର ସିଂ ନହୋଇ ଖାନ୍ ହୋଇଥିଲେ ଅଧିକ ପ୍ରତିକ୍ରିୟାଶୀଳ ହୋଇଥାନ୍ତା ଆରଏସଏସ, ବିଜେପି କହିଲା ହିନ ରାଜନୀତି କରୁଛି କଂଗ୍ରେସ ।

417

କନକ ବ୍ୟୁରୋ: ଜାମ୍ମୁକାଶ୍ମୀର ପୁଲିସ ଡିଏସପିଙ୍କ ମାମଲାରେ ସରଗରମ ହୋଇଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି ବିଜେପି କଂଗ୍ରେସ । ଜାମ୍ମୁକାଶ୍ମୀର କୁଲଗାମରୁ ଗିରଫ ହୋଇଥିବା ପୁଲିସ ଡିଏସପି ଦେବେନ୍ଦ୍ର ସିଂ ମାମଲାରେ ଜୋରଧରୁଛି ରାଜନୀତି । ପ୍ରଥମେ ଏହି ପ୍ରସଙ୍ଗରେ କଂଗ୍ରେସ, ବିଜେପିକୁ ଟାର୍ଗେଟ କରିବା ସହ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲା । ଏବେ ପାଲଟା ଆକ୍ରମଣ କରି କଂଗ୍ରେସ ହିନ୍ଦୁଙ୍କୁ ଆତଙ୍କବାଦୀ ଘୋଷଣା କରିବାକୁ ଚାହୁଁଛି ବୋଲି କହିଛି ବିଜେପି । ଆତଙ୍କବାଦ ପ୍ରସଙ୍ଗରେ ଧର୍ମକୁ ନେଇ ରାଜନୀତି କରୁଛି ବୋଲି କହିବା ସହ କଂଗ୍ରେସ ପାକିସ୍ତାନର ପକ୍ଷ ନେଉଥିବା କହିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ।

ଏହା ପୂର୍ବରୁ କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀ କହିଥିଲେ, ଦେବେନ୍ଦ୍ର ସିଂ ଯଦି ଦେବେନ୍ଦ୍ର ଖାନ ହୋଇଥାନ୍ତେ ତେବେ ଆରଏସଏସର ଟ୍ରଲ ପାର୍ଟି ତାଙ୍କୁ ନେଇ ଅଧିକ ପ୍ରତିକ୍ରିୟାଶୀଳ ହୋଇଥାନ୍ତେ । କିନ୍ତୁ ଦେଶର ଶତ୍ରୁମାନଙ୍କୁ ସେମାନଙ୍କ ଜାତି ଓ ଧର୍ମ ଦେଖି ବାଛବିଚାର କରିବା ଉଚିତ ନୁହେଁ । ଦେବେନ୍ଦ୍ର ସିଂ ନହୋଇ ଖାନ୍ ହୋଇଥିଲେ ଆରଏସଏସ ଅଧିକ ପ୍ରତିକ୍ରିୟାଶୀଳ ହୋଇଥାନ୍ତା ବୋଲି କଂଗ୍ରେସ କହିବା ପରେ ଚିହିଁକି ଉଠିଛି ବିଜେପି । ଆତଙ୍କବାଦୀକୁ ସହାୟତା କରୁଥିବା ଜଣେ ଅପରାଧୀକୁ ନେଇ କଂଗ୍ରେସ ହିନ ରାଜନୀତି କରୁଥିବା କହିଛି ବିଜେପି ।

ଅପରପକ୍ଷରେ ଦେବେନ୍ଦ୍ର ସିଂଙ୍କୁ ଗିରଫ କରିବା ପ୍ରସଙ୍ଗର ରାଜନୀତିକରଣକୁ ନାପସନ୍ଦ କରାଯାଇଛି । କୁହାଯାଉଛି ନଭିଦ ବାବୁ ସୋପିୟାଁ ଅଂଚଳରେ ବେଶ ସକ୍ରୀୟ ଥିଲା । ପୁଲିସ ଅଧିକାରୀଙ୍କ ସହ ଅଣ କାଶ୍ମିରୀ ଟ୍ରକ ଡ୍ରାଇଭର ଓ ସେଓ ଚାଷୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା ନାଭିଦ ବାବୁ । ଏବଂ ପୁଲିସର ମୋଷ୍ଟ ୱାଂଟେଡ ତାଲିକାରେ ରହିଥିଲା ।

ଶନିବାର ବିଳମ୍ବିତ ରାତିରେ ଶ୍ରୀନଗର ଅଭିମୁଖେ ଦ୍ରୁତ ଗତିରେ ବଢିଚାଲିଥିଲା ଆଇ୍-ଟେନ୍ ଗାଡି । ଏବଂ ଗୁଇନ୍ଦା ସୂଚନା ଅନୁଯାୟୀ ଏହି ଗାଡିର ପିଛା କରୁଥିଲେ ପୁଲିସ ଡିଆଇଜି ଅତୁଲ ଗୋୟଲ । ଏହି ଗାଡିରେ ଡିଏସପି ଦେବେନ୍ଦ୍ର ସିଂଙ୍କ ସହ ଥିଲା ହିଜବୁଲ ମୁଜାହିଦ୍ଦିନର ନମ୍ବର ଟୁ କୁହାଯାଉଥିବା ନଭିଦ ବାବୁ ଓ ରଫି । ଏବଂ ମିଳିଥିବା ସୂଚନା ଅନୁସାରେ ଏମାନଙ୍କୁ ଖସାଇ ଦେବା ପାଇଁ ୧୨ଲକ୍ଷ ଟଙ୍କାର ଡିଲ୍ କରିଥିଲେ ଦେବେନ୍ଦ୍ର ସିଂ । ତେବେ ଜବାହାର ଟନେଲ ପୂର୍ବରୁ ଏମାନଙ୍କୁ ଗିରଫ କରାଯାଇଥିଲା । ପୁଲିସର କହିବା ମୁତାବକ ଜବାହାର ଟନେଲ ଅତିକ୍ରମ କରିଯାଇଥିଲେ ଏମାନଙ୍କୁ ଗିରଫ କରିବା କଷ୍ଟକର ହୋଇପଡିଥାନ୍ତା ।