କନକ ବ୍ୟୁରୋ : ଗତ ଶନିବାର ଜମ୍ମୁ-କାଶ୍ମୀର କୁଲଗ୍ରାମରେ ହୋଇଥିବା ଗୁଳି ବିନିମୟରେ ୬ ଆତଙ୍କବାଦୀ ନିପାତ ହୋଇଥିଲେ । ଏହି ଗୁଳି ବିନିମୟରେ ୨ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଦୁଇ ସହିଦ ଯବାନଙ୍କ ମଧ୍ୟ ଜଣେ କମାଣ୍ଡୋ ସହିଦ ହୋଇଥିବା ବେଳେ ରାଷ୍ଟ୍ରିୟ ରାଇଫଲର ପ୍ରବୀଣ ଯଞ୍ଜାଲ୍ ସହିଦ ହୋଇଛନ୍ତି । ଖବ୍ କମ ବର୍ଷ ବୟସରେ ପ୍ରବୀଣ ମାଟି ମାଆ ପାଇଁ ଲଢି ସହିଦ ହୋଇଯାଇଛନ୍ତି ।

Advertisment

ତେବେ ପ୍ରବୀଣ ଅପରେସନକୁ ଯିବା ପୂର୍ବରୁ ଘର ଲୋକଙ୍କ ସହ କଥା ହୋଇଥିଲେ । ୟୁପିଆଇରେ ପଠାଇଥିବା ୪୯.୦୦୦ ଟଙ୍କା ପରିବାର ସଦସ୍ୟ ପାଇଛନ୍ତି କି ନାହିଁ ଫୋନ କରି ପଚାରିଥିଲେ । ପ୍ରବୀଣ ଏକ ନୂଆ ଘର ନିର୍ମାଣ କରୁଥିବାରୁ ଟଙ୍କା ଦରକାର ଥିଲା । ଯେଉଁଥିପାଇଁ ପ୍ରବୀଣ ୟୁପିଆଇ ଜରିଆରେ ଟଙ୍କା ପଠାଇଥିଲେ । ଘରେ କଥା ହେବାର ଦୁଇଘଣ୍ଟା ପରେ ସେନା ୟୁନିଟିରୁ କଲ୍ ଆସିଥିଲା । ଆଉ ପ୍ରବୀଣ ସର୍ଚ୍ଚ ଅପରେସନରେ ବାହାରିଯାଇଥିଲେ । ଆଉ ଏହି ସର୍ଚ୍ଚ ଅପରେସନରେ ପ୍ରବୀଣ ସହିଦ ହୋଇଯାଇଛନ୍ତି ।

ପୁଅ ସହିଦ ହେବା ଘଟଣା ଶୁଣିବା ପରେ ପରିବାର ଉପରେ ଦୁଃଖର ପାହାଡ ଛିଣ୍ଡିପଡିଛି । ବାପା ମାଆ ପୁଅକୁ ବରାଇ ଛାତି ପିଟି କାନ୍ଦୁଛନ୍ତି । ପ୍ରବୀଣ ଗତ କିଛି ମାସ ତଳେ ବିବାହ ମଧ୍ୟ କରିଥିଲେ । କିନ୍ତୁ ସଂସାର ରଥ ଆଗକୁ ବଢାଇବା ପୂର୍ବରୁ ସେ ସହିଦ ହୋଇଯାଇଛିନ୍ତି । ସ୍ୱାମୀଙ୍କୁ ହରାଇ ସ୍ତ୍ରୀ ଯେପରି ପଥର ପାଲଟିଯାଇଛି । ଗାଁରେ ବି ଶୋକାକୂଳ ପରିବେଶ । ସମ୍ପର୍କୀୟଙ୍କ କହିବା ଅନୁସାରେ, ଟଙ୍କା ପଠାଇବା ପରେ ପ୍ରବୀଣ ତାଙ୍କ ବଡ ଭାଇଙ୍କ ସହ ଫୋନରେ କିଛି ସମୟ କଥା ହୋଇଥିଲେ ଏବଂ ନିଜର ଫଟୋ ପଠାଇଥିଲେ ।