୧୧ ମାସ ହେବ ପୁଅ ପାଇଁ କବର ଖୋଳି ବସିଛି ବାପ, ଜାଣନ୍ତୁ କାହିଁକି ?

273

କନକ ବ୍ୟୁରୋ : ଦୀର୍ଘ ୧୧ ମାସ ହେବ ଜଣେ ପିତା ନିଜ ପୁଅର ମୃତ୍ୟୁ ପରେ ତାର ଶବକୁ ଅପେକ୍ଷା କରି ରହିଛି । ଏନେଇ ପୁଅର ଶବ ପାଇବାକୁ ସବୁଚେଷ୍ଟା ପରେ ବି ପିତା ଜଣଙ୍କ ପୁଅର ଶବ ନପାଇ ନିରାଶ ହୋଇ ରହିଛନ୍ତି । ୨୦୨୦ ଡିସେମ୍ବର ୨୯ ତାରିଖ ପରେ ପୁଅ ଅତହର ମୁସ୍ତାକ ଘରକୁ ଫେରି ନାହିଁ । କିଛିଦିନ ପରେ ପିତା ମୁସ୍ତାକ ଅହମ୍ମଦ ବାନୀ ଜାଣିବାକୁ ପାଇଥିଲେ କି ତାଙ୍କ ୧୬ ବର୍ଷିୟ ପୁଅ ଅତହର ପୋଲିସ ଏନକାଉଁଣ୍ଟରରେ ମୃତ୍ୟୁବରଣ କରିଛି । ସେବେଠାରୁ ଆଜି ପର୍ଯ୍ୟନ୍ତ ମୁସ୍ତାକ ଅହମ୍ମଦ ନିଜ ପୁଅର ଶବ ପୋଲିସକୁ ମାଗି ଚାଲିଛନ୍ତି । ଏହାସହ ପୁଅ ମୃତ୍ୟୁର ଖବର ପାଇବା ପରେ ପୁଅପାଇଁ ୧୧ ମାସ ହେବ କବର ଖୋଳି ବସିଛନ୍ତି ହତଭାଗା ପିତା ଜଣଙ୍କ । ହେଲେ ଆଜି ବି କବର ପାଖରେ ପୁଅର ଶବକୁ  ଅପେକ୍ଷା କରି ରହିଛନ୍ତି ମୁସ୍ତାକ ଅହମ୍ମଦ ।

ମୁସ୍ତାକ ଅହମ୍ମଦ ବାନୀ କହିଛନ୍ତି କି ତାଙ୍କ ପୁଅ ଅତହର ମୁସ୍ତାକ ଯୁକ୍ତ ୨ ପ୍ରଥମ ଶ୍ରେଣୀରେ ପଢୁଥିଲେ ଓ ବୋର୍ଡ ପରୀକ୍ଷା ଦେଉଥିଲେ । ୨୦୨୦ ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ୪ ଟି ବିଷୟରେ ପରୀକ୍ଷା ଦେଇସାରିଥିଲେ । ସେ ପରୀକ୍ଷା ଦେଉଥିବା ବେଳେ ତାକୁ ଦିନ ୨ ଟାରେ ପୋଲିସ ଉଠାଇ ନେଇଥିଲା । ଏହାପରେ କଣ ଘଟିଲା ତାହା ଜାଣିନଥିବା କଥା କହିଛନ୍ତି ମୁସ୍ତାକ । ହେଲେ ତା ପରଦିନ ୧୧ ଟା ବେଳେ ପୋଲିସ କଣ୍ଟ୍ରୋଲ ରୁମରେ ପ୍ରୁଅର ଶବ ପଡିଥିଲା ।

ପରିଜନଙ୍କ କହିବା ମୁତାବକ ଅତହର ମୁସ୍ତାକ ବୋର୍ଡ ପରୀକ୍ଷା ଦେଉଥିଲେ । ହେଲେ ଶ୍ରୀନଗର ଠାରେ ପୋଲିସ ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷରେ ସେ ଓ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ବୋର୍ଡ ପରୀକ୍ଷାର ଫଳାଫଳ ମୁତାବକ ଅତହର ମୁସ୍ତାକ ଶେଷ ପରୀକ୍ଷା ଦିନ ଅନୁପସ୍ଥିତ ଥିଲେ । ପରିବାର ଲୋକଙ୍କ କହିବା କଥା ସେ ପରୀକ୍ଷା ଦେବାକୁ ଯେତେବେଳେ ଘରୁ ବାହାରିଲେ ତାର ୩ ଘଂଟା ପରେ ପୋଲିସ ତାକୁ ଏନକାଉଣ୍ଟର କରିଥିଲା ।

ପୋଲିସ ଅତହରର ଶବକୁ ସୋନମର୍ଗରେ କବର ଦେଇଛି । ପିତା ବାନୀଙ୍କ ଅଭିଯୋଗ କି ଶେଷ ପରୀକ୍ଷା ପୂର୍ବରୁ ତାଙ୍କ ପୁଅକୁ ପୋଲିସ ହତ୍ୟା କରିଛି । ଏନେଇ ବାରମ୍ବାର ସେ ଶବ ମାଗୁଥିବା ବେଳେ କେହି ଶୁଣୁ ନାହାଁନ୍ତି । ଅନ୍ୟପଟେ ଏନକାଉଣ୍ଟର ନେଇ ପୋଲିସ ଭିନ୍ନ ଭିନ୍ନ ବୟାନ ଜାରି କରୁଛି । ପ୍ରଥମେ ପୋଲିସ କହିଥିଲା କି ଏହି ଏନାକାଉଣ୍ଟରରେ ମୃତ୍ୟୁବରଣ କରିଥିବା ୩ ଜଣ ଯାକ ପୋଲିସର ଆତଙ୍କବାଦୀ ରେକର୍ଡରେ ଲିଷ୍ଟେଡ ନୁହେଁ । ଏହାର ଦୁଇଦିନ ପରେ ପୋଲିସ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଥିଲା କି ସେହି ୩ ଜଣ ଆତଙ୍କବାଦୀଙ୍କ ସହଯୋଗୀ ଥିଲେ ।

ଏନେଇ ଅତହର ମୁସ୍ତାକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି କି ପୋଲିଷ ଷଡଯନ୍ତ୍ର କରି ତାଙ୍କ ପୁଅକୁ ହତ୍ୟା କରିଛି । ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ୩ ଜଣଙ୍କ ମଧ୍ୟରୁ ଜଣେ ପୋଲିସ କର୍ମଚାରୀଙ୍କ ପୁଅ ମଧ୍ୟ ରହିଛି ।