କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ସେନା ତରଫରୁ ଆତଙ୍କବାଦୀ ଦମନ କାର୍ଯ୍ୟ ଜାରି ରହିଛି । ଏବେ ଏବେ ମିଳିଥିବା ସୂଚନା ମୁତାବକ ସେନା ଗୁଳିରେ ଟିଆରଏଫ କମାଣ୍ଡର ସମେତ ୫ ଜଣ ଆତଙ୍କବାଦି ନିହତ ହୋଇଛନ୍ତି ।
ସୂଚନା ମୁତାବକ ସୁରକ୍ଷାବଳ ଏକ ଗୁପ୍ତ ସୂଚନା ଆଧାରରେ ଅପରେଶନ ଆରମ୍ଭ କରିଥଲା । ଏହି ଅପରେଶନ ବେଳେ କୁଳଗ୍ରାମରେ ୫ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ସେନା ସୂଚନା ପାଇବା ପରେ ପୁରା ଅଞ୍ଚଳକୁ ଘେରାଉ କରିଥିଲା, ଏହି ସମୟରେ ଆତଙ୍କବାଦୀମାନେ ପଳାଇଯିବାକୁ ଚେଷ୍ଟା କରୁଥିବା ବେଳେ ସେନା ଗୁଳିରେ ପ୍ରାଣ ହରାଇଛନ୍ତି । ଏହାପରେ ସେନା ତରଫରୁ ପୁରା ଅଞ୍ଚଳକୁ ସିଲ କରିଦିଆଯାଇଛି ଓ ଟ୍ରାଫିକକୁ ସଜାଗ କରାଯାଇଛି । ଏହା ବ୍ୟତୀତ କୁଳଗ୍ରାମର ଗୋପାଳପୁର ଅଞ୍ଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ସେଠାରେ ମଧ୍ୟ କିଛି ଆତଙ୍କବାଦୀ ଲୁଚିଥିବା ନେଇ ସେନା ଆଶଂକା କରିଛି ।
କହିରଖୁ କି କିଛିଦିନ ହେବ ସେନା ତରଫରୁ ଆତଙ୍କବାଦୀମାନଙ୍କୁ ନିପାତ କରିବା କାମ ଜାରି ରହିଛି । ଏହି କ୍ରମରେ ଶ୍ରୀନଗରର ହେଦରପୋରା ଠାରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ବେଳେ ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏହାସହ ଆତଙ୍କବାଦୀଙ୍କୁ ସହାୟତା ଯୋଗାଉଥିବା ୨ ଜଣ ଲୋକ ବି ଏହି ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ ।
ଅନ୍ୟପଟେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ସରକାର ଓ ସେନା ବିଭାଗ ପକ୍ଷରୁ ଲଗାତର ବୈଠକ ଜାରି ରହିଛି । ଏହି କ୍ରମରେ ଆଜି ବି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ଜଣାପଡିଛି ।