କନକ ବ୍ୟୁରୋ: ଅନନ୍ତନାଗରେ ସର୍ଚ୍ଚ ଅପରେସନ ସମୟରେ ସହିଦ ହୋଇଥିବା ଦେଶର ୩ ବୀର ଯବାନଙ୍କୁ ହରାଇ ଦେଶବାସୀ ମର୍ମାହତ । ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଆତଙ୍କବାଦୀଙ୍କ ବିରୋଧରେ ଆକ୍ରୋଶ । ଏପରିକି ଜମ୍ମୁକାଶ୍ମୀରରେ ବିଭିନ୍ନ ସଙ୍ଗଠନ ପାକିସ୍ତାନ ମୁର୍ଦ୍ଦାବାଦ ନାରା ଦେଇ ଯବାନଙ୍କ ପାଇଁ ନ୍ୟାୟ ମାଗିଥିବା ଦେଖିବାକୁ ମିଳିଛି । ଏହାସହ ସେନା ମଧ୍ୟ ଆହୁରି କଠୋର ହୋଇଛି ।

Advertisment

ଏଭଳି ସ୍ଥିତିରେ ସେନା ପୁରା ଇଲାକାକୁ ଘେରିଛି । ପାହାଡ ଉପରେ ସଶକ୍ତ ହେରୋନ୍ ଡ୍ରୋନ୍ ଘୁରିବୁଲୁଥିବାବେଳେ ଚାରିଆଡେ ପାରା କମାଣ୍ଡୋ ଛାଉଣୀ ହୋଇଛନ୍ତି । ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ କିପରି ଆତଙ୍କବାଦୀଙ୍କୁ ନିପାତ କରିବେ । ଜମ୍ମୁକାଶ୍ମୀର ଡିଜିପି ଦିଲବାଜ୍ ସିଂହ ଓ ଏଡିଜିପି ବିଜୟ କୁମାର କହିଛନ୍ତି , ‘ସେନା ପୁରା ଆକ୍ସନ ମୋଡରେ ଅଛି । ଶୁକ୍ରବାର ଶେଷ ସୁଦ୍ଧା ସମସ୍ତ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଆମେ ପଣ କରିଛୁ’ ।

ସୂଚନା ମୁତାବକ, ଜମ୍ମୁ କାଶ୍ମୀର ଅନନ୍ତନାଗରେ ହୋଇଥିବା ଗୁଳିବିନିମୟରେ ଆଉ ଜଣେ ଯବାନ ସହିଦ । ଗତକାଲି ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଆହତ ହୋଇଥିବା ଯବାନ ସହିଦ ହୋଇଛନ୍ତି । ଏବେ ବି ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି ।