ଭାରତୀୟ ସେନାକୁ ବଡ ସଫଳତା: ଏନକାଉଣ୍ଟରରେ ଟଳିଲେ ୮ ଆତଙ୍କୀ; ସେନାର ଗୁଳିରେ ସୋଫିଆନରେ ୫ ଓ ପାମ୍ଫୋରରେ ୩ ଆତଙ୍କବାଦୀ ସଫା

ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି

688

କନକ ବ୍ୟୁରୋ: ଟଳିଲେ ୮ ଆତଙ୍କୀ । ଜମ୍ମୁ-କାଶ୍ମୀର ପାମ୍ଫୋର ଏବଂ ସୋଫିଆନରେ ଆଜି ସକାଳୁ ସକାଳୁ ଭାରତୀୟ ସୁରକ୍ଷାବଳ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଘଟି ୮ ଆତଙ୍କୀ ନିପାତ ହୋଇଥିବା ନେଇ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଅବନ୍ତିପୋରା ମୌଜାର ପମ୍ପୋରରେ ଭାରତୀୟ ସେନାରେ ସର୍ଚ୍ଚ ଅପରେସନ ଚାଲିଥିବା ନେଇ ଖବର ପାଇ ଭୟରେ ଆତଙ୍କବାଦୀମାନେ ଏକ ମସଜିଦରେ ଲୁଚିଯାଇଥିଲେ । ଫଳରେ ଦୀର୍ଘ ସମୟ ଧରି ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା ଏବଂ ସେନାର ଗୁଳିମାଡରେ ସୋଫିଆନରେ ୫ ଓ ପାମ୍ଫୋରରେ ୩ ଆତଙ୍କବାଦୀ ସଫା ହୋଇଥିବା ନେଇ ଜଣାପଡିଛି ।

କାଶ୍ମୀରରେ ଆଜି ପୃଥକ ପୃଥକ ଘଟଣାରେ ସୁରକ୍ଷାକର୍ମୀଙ୍କ ସହ ଏନକାଉଂଟରରେ ୮ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ସୋପିଆରେ ୫ ଜଣ ଓ ପାମ୍ପୋରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଗତକାଲି ସୋପିଆରେ ଏନକାଂଉଟରରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିଲା ଓ ଅନ୍ୟମାନେ ଏକ ମସଜିଦରେ ଲୁଚିଯାଇଥିଲେ । ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ସୁରକ୍ଷାକର୍ମୀ ଅପିଲ କରିଥିଲେ । କିନ୍ତୁ ଏହା ଫଳପ୍ରଦ ନ ହେବାରୁ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରାଯାଇଥିଲା ।

ଆଜି ସୁରକ୍ଷାକର୍ମୀଙ୍କ ଜବାବରେ ଆଉ ୪ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ବର୍ତମାନ ସେଠାରେ ସର୍ଚ ଅପରେସନ ଜାରି ରହିଛି । ସେହିଭଳି ପାମ୍ପୋର ଅପରେସନରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଗତ ଦୁଇସପ୍ତାହ ମଧ୍ୟରେ କାଶ୍ମୀର ଘାଟିରେ ୧୫ ଆତଙ୍କବାଦୀ ସଫା ହୋଇସାରିଲେଣି । ଚଳିତବର୍ଷ ବର୍ତମାନ ସୁଦ୍ଧା ସୁରକ୍ଷାକର୍ମୀଙ୍କ ଅପରେସନରେ ଶହେ ଆତଙ୍କବାଦୀ ପ୍ରାଣ ହରାଇସାରିଲେଣି । ସେନାର ଫୋକସରେ ଏବେ ଉତର କାଶ୍ମୀର ରହିଛି ।