ଆତଙ୍କୀ ଆକ୍ରମଣରେ ଥରିଲା ଜମ୍ମୁର ନରୱାଲ, ୨୦ ମିନିଟରେ ୨ଟି ବଡ ଆଇଡି ବିସ୍ଫୋରଣ

154

କନକ ବ୍ୟୁରୋ : ଶନିବାର ସକାଳୁ ସକାଳୁ ସବୁ ଦିନ ପରି ଆଜି ବି ଚଳଚଂଚଳ ଥାଏ ଜମ୍ମୁ । ନୂଆ ସକାଳରେ ସ୍ୱାଭାବିକ ହେଉଥାଏ ଜନଜୀବନ । ହଠାତ ଜମ୍ମୁର ଭିଡବହୁଳ ତଥା ବ୍ୟବସାୟ ପେଣ୍ଠସ୍ଥଳୀ ଭାବେ ଜଣାଶୁଣା ନରୱାଲରେ ହୋଇଥିଲା ବିସ୍ଫୋରଣ । ଥରି ଉଠିଲା ଜମ୍ମୁର ଏହି ଭିଡବହୁଳ ସ୍ଥାନ । କ୍ଷଣିକ ମଧ୍ୟରେ ବୋମା ବିସ୍ଫୋରଣ ସ୍ଥାନର ଚିତ୍ର ସମ୍ପୂର୍ଣ୍ଣଭାବେ ବଦଳିଯାଇଥିଲା । ସେଠାରେ ଥିବା ଅନେକ ଯାନବାହନ କ୍ଷତିଗ୍ରସ୍ତ ହେବା ସହ କିଛି ଘର ଭାଙ୍ଗିରୁଜି ଯାଇଛି । ଆକ୍ରମଣରେ ଏବେ ସୁଦ୍ଧାର ୬ରୁ ଅଧିକ ଲୋକ ଗମ୍ଭୀରଭାବେ ଆହତ ହୋଇଥିବା ସୂଚନା ରହିଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ଖେଳିଯାଇଛି । ସେପଟେ ସୁରକ୍ଷା ବନ୍ଦୋବସ୍ତକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

ଆଗକୁ ଜାନୁଆରୀ ୨୬ । ସେପଟେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ମଧ୍ୟ ଚାଲିଛି । ଏହା ଭିତରେ ଏଭଳି ଆତଙ୍କୀ ଆକ୍ରମଣ ଘଟଣା ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି । ବୁଧବାର କଠୁଆରୁ ରାହୁଲ ଗାନ୍ଧୀ ଭାରତ ଯୋଡ ଯାତ୍ରା ଆରମ୍ଭ କରିଛନ୍ତି । ଏଆଇସିସି ମହାସଚିବ କେସି ବେଣୁଗୋପାଳ କହିଛନ୍ତି କୌଣସି ପରିସ୍ଥିିତିରେ ଭାରତ ଯୋଡ ଯାତ୍ରା ଅଟକିବ ନାହିଁ ।

ଆତଙ୍କୀ ଆକ୍ରମଣ ପଛରେ ଲସ୍କର ଏ ତୋୟବାର ହାତ ଥିବା ସନ୍ଦେହ କରାଯାଉଛି । ସେପଟେ ମାମଲାର ତଦନ୍ତ ଭାର ଏନଆଇଏକୁ ହସ୍ତାନ୍ତର କରାଯାଇଛି । ବିସ୍ଫୋରଣ ସ୍ଥଳକୁ ସମ୍ପୂର୍ଣ୍ଣଭାବେ ସିଲ କରାଯାଇଛି ଓ ଫେରାର ଆତଙ୍କବାଦୀଙ୍କ ଖୋଜା ଚାଲିଛି ।