କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ସହ ସଂପର୍କ ଥିବା ଅଭିଯୋଗ ଆସିବା ପରେ ୪ ଜଣ ସରକାରୀ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି । ପ୍ରଶାସନ ତରଫରୁ କୁହାଯାଇଛି କି, ବରଖାସ୍ତ ହୋଇଥିବା କର୍ମଚାରୀ ହେଉଛନ୍ତି ନିସାର ଅଲ ହସନ (ସହାୟକ ପ୍ରଫେସର ଏସଏମଏଚଏସ ହସ୍ପିଟାଲ ଶ୍ରୀନଗର), କନେଷ୍ଟବଳ ଅବ୍ଦୁଲ ମଜିଦ ଭଟ, ଉଚ୍ଚଶିକ୍ଷା ବିଭାଗର ଡ୍ରାଇଭର ଅବ୍ଦୁଲ ସଲାମ ରାଥର ଓ ଶିକ୍ଷକ ଫାରୁକ ଅହମ୍ମଦ ମୀର ।

Advertisment

ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଏମାନଙ୍କୁ ସମ୍ବିଧାନର ଧାରା ୩୧୧ କ୍ରମରେ ବରଖାସ୍ତ କରାଯାଇଛି । ସରକାରୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ପାକିସ୍ତାନ ଆତଙ୍କବାଦୀ ସଂଗଠନକୁ ସାହାଯ୍ୟ କରିବା ମାମଲାରେ ଗତ ୩ ବର୍ଷରେ ୫୪ ଜଣ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି । ବରଖାସ୍ତ କରିଥିବା ଅଧିକାରୀ କହିଛନ୍ତି କି, ଏମାନେ ଭାରତ ସରକାରଙ୍କ ଠାରୁ ବେତନ ନେଇ ଆତଙ୍କବାଦୀ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗରେ ବରଖାସ୍ତ କରାଯାଇଛି ।

ଚଳିତ ବର୍ଷ ଜୁନ ମାସରେ କାଶ୍ମୀର ବିଶ୍ୱବିଦ୍ୟାଳୟର ଜନସଂପର୍କ ଅଧିକାରୀ, ରାଜସ୍ୱ ବିଭାଗର ଜଣେ ଅଧିକାରୀ ଓ ଜଣେ ପୋଲିସକର୍ମୀଙ୍କୁ ସମାନ ଅଭିଯୋଗରେ ବରଖାସ୍ତ କରାଯାଇଥିଲା । ଏମାନେ ପାକିସ୍ତାନ ଆତଙ୍କବାଦୀ ସଂଗଠନ ପାଇଁ ପାଣ୍ଠି ଯୋଗାଡ କରୁଥିବା ଅଭିଯୋଗରେ ବରଖାସ୍ତ ହୋଇଥିଲେ ।

ଅନୁଛେଦ ୩୧୧ ରେ କୁହାଯାଇଛି କି, ଭାରତୀୟ ସମ୍ବିଧାନର ଧାରା ୩୧୧ (୨) (ସି) ଅନୁଯାୟୀ ଜାତୀୟ ନିରାପତ୍ତା ସ୍ୱାର୍ଥ ଦୃଷ୍ଟିରୁ ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ କରିବା ଠିକ୍ ନୁହେଁ ବୋଲି ଉପ ରାଜ୍ୟପାଳ ସନ୍ତୁଷ୍ଟ ଅଛନ୍ତି । ଆତଙ୍କବାଦୀଙ୍କୁ ସାହଯ୍ୟ କରିଥିବା ଅଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ୨୦୧୧ରେ ସ୍ପେଶାଲ ଟାସ୍କ ଫୋର୍ସ ଗଠନ କରାଯାଇଥିଲା ।