ଆତଙ୍କବାଦକୁ ନେଇ ସତ୍ୟପାଲଙ୍କ ସାଙ୍ଘାତିକ ବୟାନ: ପୋଲିସଙ୍କୁ ନମାରି ଦୁର୍ନୀତିଗ୍ରସ୍ତ ନେତାଙ୍କୁ ଆଗେ ଉଡାଅ…

360

କନକ ବ୍ୟୁରୋ: ଆତଙ୍କବାଦୀ ଓ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ନେଇ ସାଙ୍ଘାତିକ ଶବ୍ଦ ପ୍ରୟୋଗ କରିଛନ୍ତି ସତ୍ୟପାଲ ମଲ୍ଲିକ । ଭାଷଣ ଦେବାବେଳ ଭ୍ରଷ୍ଟ ରାଜନେତାଙ୍କ ଉପରେ ବିବାଦୀୟ ବୟାନ ଦେଇଛନ୍ତି ଜମ୍ମୁ କାଶ୍ମୀର ରାଜ୍ୟପାଳ । ଆତଙ୍କବାଦୀମାନେ ପୋଲିସ, ଯବାନଙ୍କୁ ନମାରି ଦୁର୍ନୀତି ଖୋର ନେତାଙ୍କୁ ମାରିବା ଦରକାର । ସିପାହୀଙ୍କୁ ହତ୍ୟା ନକରି ଭ୍ରଷ୍ଟ ରାଜନେତାଙ୍କୁ ହତ୍ୟା କରିବା ଜରୁରୀ । ଭ୍ରଷ୍ଟ ଓ ଦାଗୀ ନେତାମାନେ ହିଁ ଦେଶକୁ ଲୁଟୁଛନ୍ତି ତେଣୁ ଏମାନଙ୍କୁ ଆତଙ୍କବାଦୀ ଆଗେ ଉଡାଇଦେବା ଉଚିତ ବୋଲି ସତ୍ୟପାଲ ସିଧାସିଧା କହିଛନ୍ତି ।

ଜମ୍ମୁର ଯୁବକଙ୍କ ଉପରେ ଟିପ୍ପଣୀ ଦେବାକୁ ଯାଇ ସତ୍ୟପାଲ କହିଛନ୍ତି କି; ଯେଉଁ ପିଲାମାନେ ଗୋଟେ ବନ୍ଧୁକ ପାଇଁ ନିଜର ଲୋକମାନଙ୍କୁ ମାରୁଛନ୍ତି, ପିଏସଓ ଏବଂ ଏସଡିଓଙ୍କୁ ମାରୁଛନ୍ତି । ସେମାନେ କଣ ପାଇଁ ମୁଖ୍ୟ ଅଭିଯୁକ୍ତକୁ ମାରୁ ନାହାନ୍ତି । ଦୋଷୀଙ୍କୁ ନମାରି ନିର୍ଦ୍ଦୋଷଙ୍କୁ କଣ ପାଇଁ ଗୁଳି କରି ମାରୁଛନ୍ତି । ଏମାନଙ୍କୁ ନମାରି ବରଂ ସେମାନଙ୍କୁ ମାର, ଯେଉଁମାନେ ତୁମ ଦେଶକୁ ଲୁଟିଛନ୍ତି, ତୁମ ମାଟିକୁ ଲୁଟିଛନ୍ତି ଆଉ କାଶ୍ମୀରର ସବୁ ସମ୍ପତ୍ତିକୁ ଖୋଳ କରିଛନ୍ତି । ବନ୍ଧୁକରେ କିଛି ହାସଲ କରିହେବନି ବୋଲି ସତ୍ୟପାଲ କହିଛନ୍ତି ।

କାର୍ଗିଲ ଲଦାଖ ପର୍ଯ୍ୟଟନ ମହୋତ୍ସବରେ ଯୋଗ ଦେବା ଅବସରରେ ଆତଙ୍କବାଦୀ ଓ ନେତାଙ୍କୁ ନେଇ ଏଭଳି ସାଙ୍ଘାତିକ ବିବାଦୀୟ କଥା କହିଛନ୍ତି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ତେବେ ସତ୍ୟପାଲଙ୍କ ଆଜିର ଏ ବିବାଦୀୟ ବୟାନ ନୂଆ ନୁହେଁ । ପୂର୍ବରୁ ମଧ୍ୟ ସେ ଅନେକ ଥର ଏମିତି କିଛି ବିବାଦୀୟ କଥା କହି ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିଛନ୍ତି । ଚଳିତ ବର୍ଷ ଜାନୁୟାରୀରେ ସେହି ଆତଙ୍କବାଦ ପ୍ରସଙ୍ଗରେ ଏକ ବୟାନ ଦେଇ ବେଶ ଚର୍ଚ୍ଚାରେ ରହିଥିଲେ ସତ୍ୟପାଲ ।

ଯେତେବେଳେ ଜଣେ ଆତଙ୍କବାଦୀ ମରିଥିବା ଖବର ମୁଁ ଶୁଣେ ସେତେବେଳେ ମତେ ଭାରି କଷ୍ଟ ହୁଏ, ଭାରି ଦୁଃଖ ହୁଏ । ପୋଲିସ ତାର କାମ ସଠିକ ଭାବେ କରୁଛି । ହେଲେ ରାଜ୍ୟରେ ଯେବେ ଗୋଟିଏ ବି ଜୀବନ ଯାଉଛି ସତରେ ସେବେ ମତେ ଭାରି ଯନ୍ତ୍ରଣା ହେଉଛି । ସେ ଆତଙ୍କବାଦୀ ହେଉ କି ପୋଲିସ ମତେ କଷ୍ଟ ହେଉଛି ବୋଲି କହି ବେଶ ଚର୍ଚ୍ଚାରେ ରହିଥିଲେ ସତ୍ୟପାଲ । ଆଉ ଆଜି ପୁଣି ସେହି ଆତଙ୍କବାଦୀ ଉପରେ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି ଜମ୍ମୁ ରାଜ୍ୟପାଳ ।