କନକ ବ୍ୟୁରୋ : କଶ୍ମୀରରେ ହଲଚଲ ଆରମ୍ଭ ହୋଇଛି । ଘଂଟାକୁ ଘଂଟା ବଦଳୁଛି ଘଟଣାକ୍ରମ । କଶ୍ମୀରରେ ଗୋଟିଏ ପରେ ଗୋଟିଏ ରାଜନୈତିକ ଦୃଶ୍ୟପଟ୍ଟର ଦ୍ରୁତ ପରିବର୍ତନ ହେଉଛି । କାଲି ରାତିରୁ ପିଡିପି ମୁଖ୍ୟ ମେହେବୁବା ମୁଫତି ଓ ନେସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲାଙ୍କୁ ଗୃହବନ୍ଦୀ କରାଯାଇଛି । ସେହିପରି ପିପୁଲସ କନଫରେନ୍ସ ନେତା ସଜ୍ଜାଦ ଲୋନଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଇଥିବା ସୂଚନା ମିଳିଛି । ଶ୍ରୀନଗର ଓ ଜମ୍ମୁରେ ଜାରି ହୋଇଛି ୧୪୪ ଧାରା । କଶ୍ମୀର ଘାଟିରେ ସ୍କୁଲ, କଲେଜ, ଶିକ୍ଷଣ ପ୍ରତିଷ୍ଠାନକୁ ବନ୍ଦ ଘୋଷଣା କରାଯାଇଛି ।

Advertisment

publive-imageମୋବାଇଲ ଇଂଟରନେଟ ସେବା ବନ୍ଦ ରହିଛି । ଜମ୍ମୁରେ ମଧ୍ୟ ସ୍କୁଲ, କଲେଜ ବନ୍ଦ ରଖିବାକୁ ଆଡଭାଇଜରୀ ଜାରି କରାଯାଇଛି । କୌଣସି ପ୍ରକାର ବୈଠକ, ରାଲି ଉପରେ କଟକଣା ଜାରି କରିଛି ପ୍ରଶାସନ । କାଶ୍ମୀର ୟୁନିର୍ଭସିଟିର ସମସ୍ତ ପରୀକ୍ଷାକୁ ସ୍ଥଗିତ କରାଯାଇଥିବା ସୂଚନା ମିଳିଛି । ଜମ୍ମୁରେ ୪୦ କଂପାନୀ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି । ଏସବୁ ଘଟଣା ପରେ ସମସ୍ତଙ୍କ ମନରେ ପ୍ରଶ୍ନ କଶ୍ମୀରରେ କଣ ହେବାକୁ ଯାଉଛି । ସରକାରଙ୍କ ଏହି ପ୍ରସ୍ତୁତି ରାଜ୍ୟ ଭିତରେ ଥିବା ସମସ୍ୟା ସମାଧାନ ପାଇଁ ସୀମାପାର ଆତଙ୍କବାଦ ପାଇଁ ତାହା କେହି କହି ପାରୁ ନାହାନ୍ତି ।

ଗତକାଲି ଶ୍ରୀନଗରରେ ରାଜଭବନରେ ଜରୁରୀକାଳୀନ ବୈଠକ କରିଥିଲେ ରାଜ୍ୟପାଳ । ଜମ୍ମୁକଶ୍ମୀର ମୁଖ୍ୟ ସଚିବ ଓ ଡିଜିପିଙ୍କ ସହ ବୈଠକ କରିଛନ୍ତି ରାଜ୍ୟପାଳ । ବୈଠକରେ କଣ ଆଲୋଚନା ହେଲା ସେ ବିଷୟରେ କିଛି ସୂଚନା ମିଳିନାହିଁ । ତେବେ ବୈଠକ ପରେ ପିଡିପି ମୁଖ୍ୟ ମେହେବୁବା ମୁଫତି, ନେସନାଲ କନଫରେନ୍ସ ନେତା ଓମାର ଅବଦୁଲା ଓ ସଜ୍ଜାଦ ଲୋନଙ୍କୁ ଗୃହବନ୍ଦୀ ଓ କିଛି କଂଗ୍ରେସ ନେତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । କଶ୍ମୀରରେ ଗୋଟିଏ ପରେ ଗୋଟିଏ ରାଜନୈତିକ ଦୃଶ୍ୟପଟ୍ଟର ଦ୍ରୁତ ପରିବର୍ତନ ସୂଚାଉଛି କଶ୍ମୀରକୁ ନେଇ କେନ୍ଦ୍ର ସରକାର ବଡ ନିଷ୍ପତି ନେବାକୁ ଯାଉଛନ୍ତି । ପ୍ରଥମେ ୩୦ ହଜାର ସୈନ୍ୟ ମୁତୟନ, ପରେ ଅମରନାଥ ଯାତ୍ରା କାଂଟଛାଂଟ କରି ଶୀଘ୍ର ଫେରିବାକୁ ତୀର୍ଥ ଯାତ୍ରୀଙ୍କୁ ଆଡଭାଇଜରୀ । ଆଉ ଏବେ ନେତାଙ୍କ ଉପରେ ନଜରବନ୍ଦୀ, ଗିରଫଦାରି ଭଳି କାର୍ଯ୍ୟାନୁଷ୍ଠାନ ।