ଜମ୍ମୁ-କାଶ୍ମୀର ସୋପୋରରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

67

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ଚାଲିଛି ଅଲ ଆଉଟ୍ ଅପରେଶନ । ଜଣେ ପରେ ଜଣେ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରୁଛନ୍ତି ସୁରକ୍ଷା କର୍ମୀ । ଏହି କ୍ରମରେ ମଙ୍ଗଳବାର ଦିନ ପୋଲିସ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏଏନଆଇର ସୂଚନା ମୁତାବକ କାଶ୍ମୀରର ବାରାମୁଲ୍ଲା ଜିଲ୍ଲା ସୋପୋରରେ ସୋମବାର ରାତି ୨ ଟା ରୁ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏହି ଏନକାଉଣ୍ଟରରେ ସ୍ଥାନୀୟ ପୋଲିସ ଓ ସୁରକ୍ଷା କର୍ମୀ ସାମିଲଥିଲେ । ଜଣେ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ ଆତଙ୍କବାଦୀମାନେ ଲୁଚି ରହିଥିବାର ସୂଚନା ପାଇବା ପରେ ସୋମବାର ମଧ୍ୟ ରାତିରେ ସୋପୋରର ପେଟମୀରକୁ ସୁରକ୍ଷା କର୍ମୀମାନେ ଘେରି ଯାଇ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ । ମଙ୍ଗଳବାର ଦିନ ସକାଳେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀମାନଙ୍କର ପରିଚୟ ମଳିପାରି ନାହିଁ ।

କହିରଖୁ କି ଅଗଷ୍ଟ ୨୧ ତାରିଖରେ ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ବି ଗୁଳି ବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ଜୈଶ-ଏ-ମହମ୍ମଦର ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

ଅନ୍ୟପଟେ ପୂର୍ବ ସପ୍ତାହରେ ଜମ୍ମୁ-କାଶ୍ମୀରର ରୌଜରୀ ଠାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ସ୍ଥଳସେନାର ଜଣେ ଜେସିଓ ସହିଦ ହୋଇଥିଲେ ।