ଅନ୍ ଲାଇନ କ୍ଲାସ କରିବାକୁ ପାଖରେ ନଥିଲା ମୋବାଇଲ, ହେଲେ ମାଟ୍ରିକ୍ ପରୀକ୍ଷାରେ ହୋଇଗଲେ ଜିଲ୍ଲା ଟପ୍ପର ।

223

କନକ ବୃରୋ : ଦୃଢ ଇଚ୍ଛାଶକ୍ତି, ନିଷ୍ଠା ଓ ଆଗକୁ ବଢିବାର ନିଶା ଯାହା ମନରେ ଥରେ ବଶା ବାନ୍ଧିଛି ତାକୁ ଦୁନିଆର କୌଣସି ପ୍ରତିବନ୍ଧକ ବି ଅଟଳାଇ ପାରିବ ନାହିଁ । ହେଲେ ଇଚ୍ଛା କଣ, ନିଷ୍ଠା କଣ ବା ସ୍ୱପ୍ନ ଓ ବାସ୍ତବତା ଭିତରେ ଫରକ ଜାଣିବାର ବୟସ ହୋଇ ନଥିବା ଜଣେ ଛାତ୍ର ଯେ ଏତେ ସଫଳତା ହାସଲ କରିପାରିବ ତାହା ଜାଣିଲେ ଆପଣ ଚକିତ ହୋଇଯିବେ ।

ଜମ୍ମୁ-କାଶ୍ମୀର ଉଦ୍ଧମପୁର ଜିଲ୍ଲାର ଛାତ୍ର ମନଦୀପ ସିଂ ରାଜ୍ୟ ଶିକ୍ଷା ବୋର୍ଡ ପରୀକ୍ଷାର ୯୮.୦୬ ପ୍ରତିଶତ ମାର୍କ ରଖି ଜିଲ୍ଲାର ଟପ୍ପର ହୋଇଛନ୍ତି । ହେଲେ ଏହି ସ୍ଥାନରେ ପହଂଚିବାକୁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି । ମନଦୀପ କହିଛନ୍ତି କି ଗତବର୍ଷ ଲକଡାଉନ୍ କାରଣରୁ ତାଙ୍କୁ ସ୍କୁଲ ଯିବାର ସୁଯୋଗ ମିଳିଲା ନାହିଁ । ସରକାର ଅନଲାଇନ କ୍ଲାସ ପାଇଁ ଘୋଷଣା କରିଥିଲେ ବି ଅନଲାଇନରେ ପାଠ ପଢିବା ପାଇଁ ତାଙ୍କ ପାଖରେ ନଥିଲା ମୋବାଇଲ । ନିଜର ପରିଶ୍ରମ, ପରିବାର ଲୋକଙ୍କ ସାହାଯ୍ୟ ଓ ଶିକ୍ଷକଙ୍କ ସହାୟତାରେ ସେ କେବଳ ପାଠ ପଢାରେ ମନୋନିବେଶ କରିଥିଲେ ଓ ପରୀକ୍ଷାରେ ଜିଲ୍ଲାର ଟପ୍ପର ହୋଇଥିଲେ ।

ଡାକ୍ତର ହେବାର ସ୍ୱପ୍ନ ଦେଖୁଥିବା ମନଦୀପ ଓମରାଓ ଗାଁରେ ରହନ୍ତି । ତାଙ୍କ ବାପା ଶ୍ୟାମ ସିଂ ଜଣେ ସାଧାରଣ ବର୍ଗର କୃଷକ । ମନଦୀପ ବି କେବେ କେବେ ବାପାଙ୍କ ଚାଷ କାମରେ ସହାଯ୍ୟ କରନ୍ତି । ମା ସନ୍ଧ୍ୟା ଦେବୀ ଜଣେ ଗୃହିଣୀ । ମନଦୀପ ସ୍ଥାନୀୟ ସରକାରୀ ସ୍କୁଲରେ ପାଠ ପଢନ୍ତି ।

କରୋନା କାଳରେ ସ୍କୁଲ ବନ୍ଦ ହୋଇଯାଇଥିଲା । ଅନଲାଇନ କ୍ଲାସ ପାଇଁ ତାଙ୍କ ପାଖରେ କିମ୍ବା ତାଙ୍କ ଘରେ ମୋବାଇଲ ନଥିଲା । ହେଲେ ମନଦୀପ ତାଙ୍କ ବଡଭାଇଙ୍କ ସହାୟତାରେ ପାଠ ପଢି ରାଜ୍ୟ ଶିକ୍ଷା ବୋର୍ଡ ପରୀକ୍ଷାରେ ୯୮.୦୬ ପ୍ରତିଶତ ମାର୍କ ରଖିବା ସମସ୍ତଙ୍କୁ ଚକିତ କରିଛି ।

ମନଦୀପ କହିଛନ୍ତି କି ଉପାନ୍ତ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ସରକାର ଅନେକ କାମ କରିଛନ୍ତି । ସେ ସରକାରଙ୍କୁ ଅନୁରୋଧ କରିଛନ୍ତି କି ତାଙ୍କ ଭଳି ଅନେକ ଗରିବ ପିଲା ସୁବିଧା ସୁଯୋଗ ନପାଇ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ସରକାର ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି ।