କନକ ବ୍ୟୁରୋ: ଜମ୍ମୁକାଶ୍ମୀରର ରିଆସି ଜେଲରେ ଲସ୍କରର ୨ ଆତଙ୍କବାଦୀ ଧରାପଡିଛନ୍ତି । ଅସ୍ତ୍ରଶସ୍ତ୍ର ସହ ସେମାନଙ୍କୁ ସ୍ଥାନୀୟ ଗ୍ରାମବାସୀ ଧରିଛନ୍ତି । ସେମାନଙ୍କୁ ନିକଟରୁ ଏକେ -୪୭ ରାଇଫଲ, ୭ଟି ଗ୍ରେନେଡ, ଗୋଟିଏ ପିସ୍ତଲ ଜବତ ହୋଇଛି । ଗ୍ରାମବାସୀଙ୍କ ଏହି ଉଦ୍ୟମ ଆଉ ସଫଳତା ପାଇଁ ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ଡିଜିପି । ଧରାପଡିଥିବା ଏହି ଆତଙ୍କବାଦୀ ହେଉଛନ୍ତି, ଫୈଜଲ ଅହମ୍ମଦ ଡାର ଏବଂ ତାଲିବ ହୁସେନ । ଅହମ୍ମଦ ଡାର ଲସ୍କରର ଏ ଶ୍ରେଣୀର ଆତଙ୍କବାଦୀ ହୋଇଥିବା ଜଣାପଡିଛି ।

Advertisment

ସ୍ଥାନୀୟ ଲୋକଙ୍କ ସହାୟତାର ଜମ୍ମୁକାଶ୍ମୀର ପୋଲିସ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି । ରିଆସି ଜିଲ୍ଲାର ତୁକସାନ ଗାଁରୁ ଏହି ଦୁଇଜଣଙ୍କୁ ଗିରଫ କରାଯାଇଛି । ଏମାନେ ବାବା ଅମରନାଥ ଯାତ୍ରା ସମୟରେ ଆକ୍ରମଣ ପାଇଁ ଉଦ୍ୟମ କରୁଥିବା ଜଣାପଡିଛି । ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ରିଆସି ଜିଲ୍ଲାରେ ବ୍ୟାପକ ଅସ୍ତ୍ରଶସ୍ତ୍ର ସହ ଲସ୍କର-ଏ-ତୋଏବାର ଆତଙ୍କବାଦୀ ଥିବା ଜଣାପଡିବା ପରେ ସ୍ଥାନୀୟ ଗ୍ରାମବାସୀଙ୍କ ସହୟତାରେ ସେମାନଙ୍କୁ ଧରାଯାଇଛି । ଜମ୍ମୁ ଜାତୀୟ ରାଜପଥରେ ସେମାନେ ଆକ୍ରମଣ ପାଇଁ ଯୋଜନା କରୁଥିଲେ ।

ତାଲିବ ହୁସେନ ପ୍ରଥମେ ରଜୌରୀରେ ଦୁଇଟି ଆଇଡି ବ୍ଲାଷ୍ଟ କରି ପରୀକ୍ଷା କରିଥିଲା। ପରେ ସେ ଡ୍ରୋନ ଜରିଆରେ ଯୋଗାଇଦିଆଯାଇଥିବା ଅସ୍ତ୍ରଶସ୍ତ୍ର ନେଇ ଫେରାଇ ହୋଇଯାଇଥିଲା। ତେବେ ପୋଲିସ ତାର ଦୁଇ ସହଯୋଗୀଙ୍କୁ କିଛି ସପ୍ତାହ ତଳେ ଗିରଫ କରିଥିଲା। କାଶ୍ମୀର ନିବାସୀ ଫୈଜଲ ଅହମ୍ମଦ ଡାର ସୀମାପାରରୁ ଆତଙ୍କବାଦୀ ଆକ୍ରମଣ ପାଇଁ ତାଲିବ ହୁସେନ ସହ ଯୋଗାଯୋଗ କରିଥିଲା । ତାଲିବ ଅମରନାଥ ଯାତ୍ରାରେ ଆକ୍ରମଣର ଯୋଜନା ପ୍ରସ୍ତୁତ କରିଥିଲା ଏବଂ ପରେ ସେ ତୁକସାନ ଗାଁରେ ପହଞ୍ଚି ସେଠାରେ ପ୍ରସ୍ତୁତ ହୋଇରହିଥିଲା। ତେବେ ସେ ନିଜ ଯୋଜନାରେ ସଫଳ ହେବା ପୂର୍ବରୁ ପୋଲିସ ଏବଂ ସ୍ଥାନୀୟ ଲୋକେ ତାକୁ ଧରିଥିଲେ।