କନକ ବ୍ୟୁରୋ: ଦିଲ୍ଲୀ ଜାମିଆରେ ଗୁଳି ମାଡ କରିଥିବା ନାବାଳକ ନାମରେ ଧାରା ୩୦୭ ଓ ଆର୍ମ୍ସ ଆକ୍ଟରେ ମାମଲା ରୁଜୁ କରିଛି ପୁଲିସ । ଏଥିସହ ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଂଚକୁ ହସ୍ତାନ୍ତର କରାଯାଇଛି । ସେପଟେ ଗୁଳି ମାଡରେ ଆହତ ଛାତ୍ର ସଦାବ ହାତରୁ ଗୁଳି ବାହାର କରାଯିବା ପରେ ଏମ୍ସରେ ଚିକିତ୍ସା ଚାଲିଥିବା ପୁଲିସ ସୂଚନା ଦେଇଛି ।
ଗତକାଲି ଜାମିଆ ମିଲିଆ ଇସଲାମିଆରୁ ଛାତ୍ରମାନେ ସିଏଏ ଓ ଏନଆରସି ବିରୋଧରେ ବିକ୍ଷୋଭ ଶୋଭାଯାତ୍ରାରେ ରାଜଘାଟକୁ ଯିବା କାର୍ଯ୍ୟକ୍ରମ ଥିଲା । ଜାମିଆ ଆଗରେ ପୁଲିସର କଡା ପହରା ଥିବା ବେଳେ ପୁଲିସ ଆଗକୁ ଆସି ବିକ୍ଷୋଭକାରୀ ଛାତ୍ରଙ୍କୁ ଗୁଳିମାଡ କରିଥିଲା ଜଣେ ନାବଳକ । ଦେଶୀ ପିସ୍ତଲ ଧରି ରାସ୍ତାରେ ବିକ୍ଷୋଭକାରୀଙ୍କ ଆଡକୁ ମାଡିଯିବା ବେଳ ପୁଲିସ ନୀରବଦ୍ରଷ୍ଟ ସାଜିଥିଲା ଯାହାକୁ ନେଇ ଦିଲ୍ଲୀ ପୁଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ନିଜକୁ ରାମଭକ୍ତ କହୁଥିବା ନାବାଳକ ଜଣକ ଫାଇରିଂ କରିବା ପରେ ପୁଲିସ ତାକୁ ଉଠାଇ ନେଇଛି । ଅନ୍ୟପଟେ ଏହାର ପ୍ରତିବାଦରେ ଜାମିଆ, ଜେଏନୟୁ ଓ ଦିଲ୍ଲୀ ୟୁନିର୍ଭସିଟିର ଛାତ୍ରଛାତ୍ରୀମାନେ ଦିଲ୍ଲୀ ପୁଲିସର ମୁଖ୍ୟ କାଯ ର୍୍ୟାଳୟ ଆଗରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦିଲ୍ଲୀ ହେଡକ୍ୱାର୍ଟର ସାମ୍ନାରେ ବସି ରହି ଛାତ୍ରଛାତ୍ରୀମାନେ ଧାରଣା ଦେବାରୁ ରାସ୍ତାଜାମ ହେବା ସହ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା ।