ବନ୍ଧୁ ହେବ ତ ଏମିତି ! ଫେସବୁକ ବନ୍ଧୁଙ୍କୁ ଭେଟିବା ପାଇଁ କୋରିଆରୁ ସୁନ୍ଦରଗଡ ଛୁଟି ଆସିଲେ ଜେମ୍ସ ଡେଭିଡ୍ । ସାଙ୍ଗ ଘରେ ରହିଲେ, ଓଡିଆ ଖାଦ୍ୟ ଖାଇଲେ, ସାଙ୍ଗର ପରିବାରକୁ ନିଜର କଲେ ।

522

କନକ ବ୍ୟୁରୋ : ଆଗରୁ ଆପଣ ପତ୍ର ବନ୍ଧୁଙ୍କ କଥା ଜାଣିଛନ୍ତି । ଅନେକ ସଂପର୍କ ଚିଠିରେ ଚିଠିରେ ତିଆରି ହୋଇଛି । କେତେ ସଂପର୍କ ବନ୍ଧୁଙ୍କ ଶେଷ ଜୀବନ ଯାଏଁ ରହିଛି । ଆଉ କେତେ ସଂପର୍କ ଧୋକ୍କା ବି ଖାଇଛି । ଆଜି ଆମେ ଆପଣଙ୍କୁ କହିବୁ ସୋସିଆଲ ମିଡିଆ ଜରିଆରେ ସୃଷ୍ଟି ହୋଇଥିବା ଏକ ସଂପର୍କର କଥା । ଯାହା ଜାଣିଲେ ଆପଣ ବି କହିବେ, ଏମିତି ବନ୍ଧୁ ସମସ୍ତଙ୍କୁ ମିଳୁ ।

ସବୁ ସଂପର୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ହେଲେ ବନ୍ଧୁତ୍ୱର ମହତ୍ୱ ସବୁଠୁ ଉର୍ଦ୍ଧରେ । ବନ୍ଧୁଙ୍କୁ ଭେଟିବା ପାଇଁ ସାତ ଦରିଆ ପାରି ହେଲେ ବନ୍ଧୁ । ୩ ବର୍ଷ ତଳେ ଫେସବୁକରେ ସୃଷ୍ଟି ହୋଇଥିବା ବନ୍ଧୁତ୍ୱର ସଂପର୍କକୁ ନେଇ ସୁଦୁର କୋରିଆରୁ ଭାରତରେ ପହଂଚିଛନ୍ତି ଜଣେ ବିଦେଶୀ ଯୁବକ । ତାହା ପୁଣି ଦେଶର କୌଣସି ବଡ ମେଟ୍ରୋ ସହର ନୁହେଁ ଓଡିଶାର ଆଦିବାସୀ ବହୁଳ ଜିଲ୍ଲା ଭାବେ ପରିଚିତ ସୁନ୍ଦରଗଡ ଜିଲ୍ଲାକୁ ।

ବନ୍ଧୁ ହେବ ତ ଏମିତି ! ବନ୍ଧଙ୍କୁ ଭେଟିବା ପାଇଁ ସୁନ୍ଦରଗଡ଼ରେ କୋରିଆ ଯୁବକ, ଭାୟା-ଫେସବୁକ୍ । ତିନି ବର୍ଷ ତଳେ ସୋସିଆଲ ମିଡିଆରେ ସୁନ୍ଦରଗଡର ରାଙ୍ଗାଢିପାର ଅଙ୍କିତ ପାଣ୍ଡିଆଙ୍କ ସହ ଇଂଲଣ୍ଡର ଜେମ୍ସ ଗେଭିନ୍ ଡେଭିଡଙ୍କ ବନ୍ଧୁତା ହୋଇଥିଲା । ଫେସବୁକ ଓ ହ୍ୱାଟ୍ସ ଆପରେ ଚାଟିଂ, ଭିଡିଓ କଲିଂ ମାଧ୍ୟମରେ ବନ୍ଧୁତ୍ୱ ବଢିଲା । ପରେ ଏହା ଏତେ ନିବିଡ ହେଲା ଯେ ଜଣେ ଅନ୍ୟ ଜଣଙ୍କୁ ନଭେଟି ରହି ପାରିଲେ ନାହିଁ । ଶେଷରେ ଏହି ବନ୍ଧୁତ୍ୱର ଆକର୍ଷଣ ଜେମ୍ସଙ୍କୁ ଟାଣି ଆଣିଛି ସୁନ୍ଦରଗଡକୁ ।

ବନ୍ଧୁଙ୍କ ପରିବାର ଗହଣରେ ବିଦେଶୀ ବନ୍ଧୁ ଜେମ୍ସ । ଓଡିଆ ଖାଦ୍ୟ ଖାଉଛନ୍ତି, ପରମ୍ପରା ଓ ସଂସ୍କୃତି ବି ଶିଖୁଛନ୍ତି । ଅଙ୍କିତଙ୍କ ପରିବାର ସହ ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି । ଏମିତି କି ଓଡିଆ ଶିଖି ଓଡିଆରେ କଥା କହିବାକୁ ଚେଷ୍ଟା କରୁଛନ୍ତି ଅଙ୍କିତଙ୍କ ବନ୍ଧୁ ଡେଭିଡ୍ ।

ଜେମ୍ସ ଗେଭିନ୍ ଡେଭିଡ୍ ଇଂଲଣ୍ଡର ବାସିନ୍ଦା । ବର୍ତମାନ ସେ କୋରିଆରେ ଏକ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଅଛନ୍ତି । ସୁନ୍ଦରଗଡରେ ରହିବା ଭିତରେ ନୂଆବର୍ଷ ପାଳନ କରିବା ସହ ବିଭିନ୍ନ ଲୋକଙ୍କ ସହ ଓଡିଆ ସଂସ୍କୃତି ଓ ଓଡିଶାର ଯୌଥ ପରିବାର ବାବଦରେ ପଚାରି ବୁଝିଛନ୍ତି । ଜେମ୍ସ, ଅଙ୍କିତଙ୍କ ପରିବାରକୁ ନିଜ ପରିବାର ଭଳି ସ୍ନେହ ଓ ସମ୍ମାନ ଦେଇଥିବା ବେଳେ ଅଙ୍କିତଙ୍କ ବାପା-ମାଆ ମଧ୍ୟ ଆଉ ଏକ ପୁଅ ପାଇଥିବା କହିଛନ୍ତି ।

ଆଗରୁ ଆମେ ଅନେକ ବିଦେଶୀ ବନ୍ଧୁଙ୍କ ସଂପର୍କରେ ଖବର ପ୍ରସାରଣ କରିଛୁ । ସେ ବିଦେଶୀ କନିଆ ଓଡିଶା ବୋହୂ ହେବା ଅବା ଓଡିଶାର ଅନାଥ ଆଶ୍ରମ ଝିଅ ବିଦେଶୀ ଦମ୍ପତିଙ୍କୁ ପୌଷ୍ୟ ସନ୍ତାନ ହେବା ଘଟଣା । ହେଲେ ସୁନ୍ଦରଗଡରୁ ଆଜି ଆସିଥିବା ଦୁଇ ବନ୍ଧୁଙ୍କ ଏହି ସଂପର୍କ କିନ୍ତୁ ଅନେକ ଦୃଷ୍ଟି କୋଣରୁ ନିଆରା । କାରଣ ଏଠି ବନ୍ଧୁ ଠାରୁ କିଛି ପାଇବାର ଆଶା ନାହିଁ ରହିଛି କେବଳ ନିରୋଳା ଭଲପାଇବା ।