ଜାମତରା ଗ୍ୟାଙ୍ଗ ଷ୍ଟାଇଲରେ ଲୁଟ୍: ନୟାଗଡରେ ରହି ଚଳାଇଥିଲେ ନେଟୱାର୍କ

162

କନକ ବ୍ୟୁରୋ: ଜାମତରା ଲୁଟେରା ଗ୍ୟାଙ୍ଗ ମୋବାଇଲରେ ମେସେଜ କରି ଲୋକଙ୍କୁ ଚୁନା ଲଗାଉଥିବା ଖବର ଆପଣମାନେ ଶୁଣିଥିବେ । ହେଲେ ଲୁଟେରାମାନଙ୍କୁ କେବେ ଦେଖି ନଥିବେ । କିନ୍ତୁ ଆପଣ ଆଶ୍ଚର୍ଯ୍ୟ ହେବେ ନୟାଗଡରେ ରହି ସମାନ ଷ୍ଟାଇଲରେ ଲୋକଙ୍କୁ ଲୁଟ୍ କରୁଥିଲେ ଏକ ଲୁଟେରା ଗ୍ୟାଙ୍ଗ । ସେମାନଙ୍କୁ ନବରଂଗପୁର ପୋଲିସ ଗିରଫ କରିବା ପରେ ପୁରା କାହାଣୀ ସାମନାକୁ ଆସିଛି ।

ନବରଂଗପୁର ପୋଲିସ ହାତରେ ଧରାପଡିଥିବା ଏହି ତିନି ଲୁଟେରାଙ୍କ କାରନାମା ଶୁଣିଲେ ଆପଣ ଚମକି ପଡିବେ । ବାହାରକୁ ସାଧାସିଧା ଜଣାପଡୁଥିବା ଏହି ତିନି ଜଣ ଜାମତରା ଗ୍ୟାଙ୍ଗ ଭଳି ଲୋକଙ୍କୁ ମୋବାଇଲରେ ମେସେଜ କରି ୟୁପିଆଇ ମାଧ୍ୟମରେ ଲୁଟ କରୁଥିଲେ । ଜଣଙ୍କ ଠାରୁ ୩୨ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗର ତଦନ୍ତ କରି ଏମାନଙ୍କୁ ଗିରଫ କରିଛି ନବରଂପୁର ପୋଲିସ । ସେମାନଙ୍କ ନିକଟରୁ ୧୧ ଟି ସିମ କାର୍ଡ , ୬ ଟି ମୋବାଇଲ ଫୋନ, ୩ ଟି ଏଟିଏମ କାର୍ଡ , ଗୋଟିଏ ପାନ କାର୍ଡ , ୩ ଟି ଆଧାର କାର୍ଡ , ୫୨୦୦ ଟଙ୍କା , ଜବତ ହୋଇଛି ।

ଅଭିଯୋଗ ପରେ ମାମଲାକୁୁ ଗୁରୁତର ସହ ନେଇଥିଲା ନବରଂଗପୁର ପୋଲିସ । ଏସପିଙ୍କ ନିର୍ଦ୍ଦେଶ ଅନୁସାରେ ଏକ ଟିମ୍ ଗଠନ କରି ଅଭିଯୁକ୍ତମାନଙ୍କ ମୋବାଇଲ ଟ୍ରାକ୍ କରିଥିଲା । ଟ୍ରାକିଂ ପରେ ତିନି ଜଣ ଯାକଙ୍କୁ ନୟାଗଡରୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ଅଭିଯୁକ୍ତମାନେ ଲୋକଙ୍କୁ ଠକିବା ପାଇଁ ବିଭିନ୍ନ ସମୟରେ ଲୋକଙ୍କୁ ଅଜଣା ଫୋନ ନମ୍ବରରୁ କଲ କରୁଥିଲେ । ମେସେଜ୍ ଦେଉଥିଲେ । ଟୁ କଲରରୁ ଲୋକର ନାଁ ଓ ଠିକଣା ସଂଗ୍ରହ କରୁଥିଲେ । ତାପରେ ବିଭିନ୍ନ ଆଳ ଦେଖାଇ ସମ୍ପର୍କ ବଢ଼ାଉଥିଲେ । ଆଉ କେତେବେଳେ କମ୍ପାନୀର ଏଜେଂଟ ସାଜି ଅଫର ଦେଇ ଲୋକଙ୍କୁ ଫସାଇବାକୁ ଷଡଯନ୍ତ୍ର କରୁଥିଲେ । ଆଉ ଲୋକଟି ଫସିଗଲା ପରେ ନିମିଷକ ଭିତରେ ଆକାଉଂଟରୁ ଲୁଟି ନେଉଥିଲେ ହଜାର ହଜାର ଟଙ୍କା ।

ସୂଚନା ଅନୁସାରେ ଏମାନେ ପ୍ରତିଦିନ ଶହେରୁ ଅଧିକ ଲୋକଙ୍କୁ ଯୋଗାଯୋଗ କରିଥାନ୍ତି । ଆଉ ସେମାନଙ୍କ ମଧ୍ୟରୁ ୨ରୁ ୩ଜଣଙ୍କୁ ଫସାଇବାରେ ସଫଳ ହୋଇଥାନ୍ତି । ଏପର୍ଯ୍ୟନ୍ତ ପ୍ରାୟ ଶହେ ଲୋକଙ୍କୁ ଚୁନା ଲଗାଇଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ତିନି ଜଣ କମ୍ ପାଠ ପଢ଼ିଥିଲେ ତାମିଲ, ତେଲୁଗୁ, ହିନ୍ଦୀ ଓ ଓଡ଼ିଆ ଭାଷା ଜାଣିଛନ୍ତି । ତେବେ ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ପୋଲିସ ।