ବିଭିନ୍ନ ପ୍ରକାର ରୋଗ ଭଲ କରୁଛି ଜମାଲ ଖାନଙ୍କ ଦେଶୀ ଔଷଧ । ଚେରମୂଳିରୁ ପ୍ରସ୍ତୁତ କରୁଛନ୍ତି ଅନେକ ଘାତକ ରୋଗର ଔଷଧ ।

240

କନକ ବ୍ୟୁରୋ : କମାଲ କରୁଛି ଜମାଲ ଖାନଙ୍କ ଦେଶୀ ଔଷଧ । ଗ୍ୟାସଟିକ୍, ମଳ କଣ୍ଟକ, କ୍ୟାନସର ଭଳି ରୋଗର ନିରାକରଣ ଅଛି ତାଙ୍କ ପାଖରେ । ଏକଥା ଆମେ କହୁନୁ, ସେ ଏହା ଦାବି କରିଛନ୍ତି । ମାସ ମାସ ଧରି ରୋଗରେ ପୀଡ଼ିତ ବ୍ୟକ୍ତି ଜମାଲଙ୍କ ଦେଶୀ ଔଷଧ ବଳରେ ସୁସ୍ଥ ହେଉଥିବା କହିଛନ୍ତି । ଜମାଲ ଖାନ୍ ହେଉଛନ୍ତି ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳର ଜଣାଶୁଣା ଆର୍ୟୁବେଦିକ ଡ଼ାକ୍ତର । ଆର୍ୟୁବେଦିକ ଚିକିତ୍ସା ପାଇଁ କେବଳ ମାଲକାନାଗିରି ନୁହେଁ ରାଜ୍ୟ ବାହାରୁ ମଧ୍ୟ ଆସୁଛନ୍ତି ରୋଗୀ ।

ଦୀର୍ଘ ୨୦ ବର୍ଷ ହେଲା ଜମାଲ ପାରମ୍ପରିକ ପଦ୍ଧତିରେ ଦେଶୀ ଔଷଧ ପ୍ରସ୍ତୁତ କରୁଛନ୍ତି । ପୂର୍ବରୁ ମୋଟୁରେ ଥିବା ଘଞ୍ଚ ଜଙ୍ଗଲରୁ ବିଭିନ୍ନ ପ୍ରକାର ଚେରମୁଳି ସଂଗ୍ରହ କରି ସେଥିରୁ ପ୍ରସ୍ତୁତ କରୁଥିଲେ ବିଭିନ୍ନ ରୋଗର ଔଷଧ । ସମୟ ବଦଳିବା ସହିତ ତାଙ୍କର ଔଷଧ ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ବଦଳି ଯାଇଛି । ପୂର୍ବରୁ ଚେରମୂଳି ଗୁଣ୍ଡ କରି ଔଷଧ ପ୍ରସ୍ତୁତ କରୁଥିବା ବେଳେ ଏବେ ଚେରମୂଳିରୁ ଦେଶୀ ଔଷଧ ପ୍ରସ୍ତୁତ କରୁଛନ୍ତି । ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ଜଙ୍ଗଲରୁ ବିଭିନ୍ନ ଚେରମୂଳି ସଂଗ୍ରହ କରୁଛନ୍ତି । ପରେ ତାକୁ ଖରାରେ ସୁଖାଇ ସେଥିରୁ ଛାଲି ବାହାର କରି ଗୁଣ୍ଡ କରାଯାଇ ଦେଶୀ ଔଷଧ ପ୍ରସ୍ତୁତ କରାଯାଉଛି । ଜମାଲ ମୁଖ୍ୟତଃ ଦୁଇପ୍ରକାର ଦେଶୀ ଔଷଧ ପ୍ରସ୍ତୁତ କରୁଛନ୍ତି । ଗୋଟିଏ ବାମ୍ଫ ଦ୍ୱାରା ଓ ଅନ୍ୟଟି ଗୁଣ୍ଡ କରାଯାଇ ପ୍ରସ୍ତୁତ କରାଯାଉଛି । ଏଥିପାଇଁ ତାଙ୍କ ପାଖରେ ଅନେକ ଶ୍ରମିକ କାମ କରି ଦି ପଇସା ରୋଜଗାର ମଧ୍ୟ କରୁଛନ୍ତି ।

ମାଲକାନଗିରି ଜିଲ୍ଲା ଉପାନ୍ତ କାଲିମେଳା ବ୍ଲକର ମୋଟୁ ଅଂଚଳର ବାରିବାଂଛା ଗ୍ରାମରେ ଜନ୍ମିତ ଜମାଲ ଖାନ୍ । ଜାତିରେ ମୁସଲମାନ ହୋଇଥିଲେ ମଧ୍ୟ ସେ ନିଜ ବାପା ଜେଜେବାପାଙ୍କ ନିକଟରୁ ଦେଶୀ ଔଷଧର ଚିକିତ୍ସା ପ୍ରଣାଳୀ ଶିଖିଥିଲେ । ଜମାଲଙ୍କ ଦେଶୀ ଔଷଧର ଚାହିଦା କେବଳ ମାଲକାନଗିରି ଜିଲ୍ଲାରେ ନୁହେଁ ପଡ଼ୋଶୀ ଛତିଶଗଡ଼, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ମଧ୍ୟ ରହିଛି । ମୋଟୁର ବାରିବାଂଛାର ଇସମାଇଲ ନଗରରେ ରହିଛି ଜମାଲ ଖାନଙ୍କ ଆଫ୍ରିନ ଆର୍ୟୁବେଦିକ ଦବାଖାନା । ପ୍ରାୟ ୫ ଏକର ପରିମିତ ସ୍ଥାନରେ ସେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ଯଥା କଳାହଳଦୀ, ସର୍ପାଗନ୍ଧା, ନାଲିପିଆଜ, ଅଶ୍ୱଗନ୍ଧା, ଭ୍ରମରମାରୀ, ବାସଙ୍ଗ ପରି ଶତାଧିକ ପ୍ରକାରର ବିଲୁପ୍ତ ଔଷଧୀୟ ବୃକ୍ଷ ଲଗାଇଛନ୍ତି । ପ୍ରତ୍ୟେକ ଗୁରୁବାର ଓ ଶୁକ୍ରବାର ଦିନ ଏହିଠାରେ ଜମାଲ ରୋଗୀ ଦେଖି ଔଷଧ ଦିଅନ୍ତି ।

କ୍ୟାନସର, କିଡ଼ନୀ ରୋଗ, ଆଂଠୁଗଣ୍ଠି ବାତ, ମଳକଣ୍ଟକ, ଗ୍ୟାସଟ୍ରିକ ପରି ଅନେକ ଦୁସାଧ୍ୟ ରୋଗକୁ ଭଲ କରିଥିବା ଜମାଲଙ୍କ ଚାହିଦା ଏବେ ବଢିବାରେ ଲାଗିଛି । ବାହାର ରାଜ୍ୟ ନୁହେଁ ଅନ୍ୟ ଦେଶର ଲୋକ ଚିକିତ୍ସା ପାଇଁ ତାଙ୍କ ପାଖକୁ ଆସୁଥିବା କହିଛନ୍ତି ଜମାଲ ।