ଦୀର୍ଘବର୍ଷର ପରମ୍ପରା ପାଳୁ ପାଳୁ ଚାଲିଗଲାଣି ୫ ପ୍ରାଣ ! ୫ ଦିନରେ ୫ ଜୀବନ ନେଲାଣି ଜାଲିକଟ୍ଟୁ ।

782

ତାମିଲନାଡୁର ମଦୁରାଇରେ ଜାନୁଆରି ୧୫ ତାରିଖରେ ଆରମ୍ଭ ହୋଇଥିଲା ପାରମ୍ପରିକ ପର୍ବ ଜାଲିକାଟ୍ଟୁ। ଆରମ୍ଭ ହେବାର କିଛି ଘଣ୍ଟା ମଧ୍ୟରେ ୫୫ଜଣ ଆହତ ହୋଇଥିବା ନେଇ ଖବର ମିଳିିଥିବା ବେଳେ ୫ଦିନ ମଧ୍ୟରେ ୫ଜଣ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି। ଶନିବାର ତ୍ରିଚିରେ ଆୟୋଜିତ କରାଯାଇଥିବା ଜାଲିକାଟ୍ଟୁ ପର୍ବରେ ଆଉ ଜଣେ ମୃତ୍ୟୁବରଣ କରିବା ପରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି।

ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଶୁକ୍ରବାର ଅଲନଗନଲୁରରେ ଜଣେ ୨୬ବର୍ଷୀୟ ଯୁବକ ଜାଲିକାଟ୍ଟୁ ଦେଖିବାକୁ ଆସିିଥିବା ବେଳେ ପଡ଼ିଆ ବାହାରେ ଏକ ଷଣ୍ଢ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିଲେ। ତାଙ୍କ ପରେ ଓଠୁପଟ୍ଟୀ ଗାଁର ଜଣେ ଯୁବକ ଜାଲିକାଟ୍ଟୁ ପର୍ବ ଚାଲିଥିବା ସମୟରେ ପ୍ରାଣ ହରାଇଥିଲେ। ତେବେ ତାଙ୍କ ମୃତ୍ୟୁ ଷଣ୍ଢ ଆକ୍ରମଣରେ ହୋଇ ନଥିବାରୁ ମୃତ୍ୟୁପଛର କାରଣ ଖୋଜୁଛି ପୁଲିସ। ଦର୍ଶକଙ୍କ ସହ ଜାଲିକାଟ୍ଟୁ ପର୍ବର ଆୟୋଜକ ସମିତିର ଜଣେ ସଦସ୍ୟ ମଧ୍ୟ ଷଣ୍ଢ ଆକ୍ରମଣରେ ପ୍ରାଣ ହରାଇଥିବା ଜଣା ପଡ଼ିଛି। ଏହା ସହ ଏସ୍ ବଡିଭେଲ ନାମକ ଜଣେ ଯୁବକ ଜାଲିକାଟ୍ଟୁ ଦେଖିବାକୁ ଆସିଥିବା ବେଳେ ତାଙ୍କ ପେଟକୁ ଷଣ୍ଢ ଆକ୍ରମଣ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯାହା ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସର କହିବା ମୁତାବକ, ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ବା ଆହତ ହୋଇଛନ୍ତି, ସେମାନେ ଷଣ୍ଢ ସହ ଲଢ଼େଇ କରୁ ନଥିଲେ। ପଡ଼ିଆ ବାହାରେ ରହି ସେମାନେ ଜାଲିକାଟ୍ଟୁ ଦେଖିବା ପାଇଁ ଆସିଥିଲେ। ଦେଖିବା ସମୟରେ କିଛି ଜଣଙ୍କୁ ଷଣ୍ଢ ଆକ୍ରମଣ କରିବାରୁ ସେମାନେ ପ୍ରାଣ ହରାଇଛନ୍ତି।

ସୂଚନା ଅନୁସାରେ, ଜାଲିକାଟ୍ଟୁରେ ନିର୍ଦ୍ଧାରିତ ବାଟ ଦେଇ ଷଣ୍ଢକୁ ଭିଡ ଭିତରକୁ ଛଡା ଯିବା ପରେ ଏହା ମଧ୍ୟରେ ଯିଏ କୌଶଳ ଓ ବଳ ଖଟାଇ ଷଣ୍ଢକୁ କାବୁ କରିପାରେ ସେ ହିଁ ବିଜେତା ହୋଇଥାଏ। ବିଜେତାଙ୍କୁ ଉପହାର ମଧ୍ୟ ମିଳିଥାଏ। ତେବେ ଏହି ଖେଳରେ ପୂର୍ବରୁ ଅନେକଙ୍କ ଜୀବନ ଯାଇଥିବା ବେଳେ ଏହାକୁ ବନ୍ଦ କରିବା ନେଇ ଅନେକ ଥର ସ୍ବର ଉତ୍ତୋଳନ କରାଯାଇଛି। ପଶୁମାନଙ୍କ କ୍ଷେତ୍ରରେ ଏହା କ୍ରୁରତା ମାନି ସୁପ୍ରିମକୋର୍ଟ ଏହି ଖେଳ ଉପରେ ପ୍ରତିବନ୍ଧକ ଲଗାଇଥିଲେ ବି ଲୋକ ଏହାକୁ ମାନିନାହାନ୍ତି। ଯାହା ପାଇଁ ପ୍ରତି ବର୍ଷ ଏହି ଲଢ଼େଇରେ ଭାଗ ନେଇ ଲୋକେ ଆହତ ହେବା ସହ ପ୍ରାଣ ହରାଇଥାନ୍ତି।