ଜାଲିଆନାୱାଲା ବାଗ୍ ନରସଂହାର ଘଟଣାକୁ ପୁରିଲା ୧୦୦ ବର୍ଷ ! ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଅମୃତସର ପହଂଚିଲେ ରାହୁଲ ଗାନ୍ଧୀ ।

96

ଅମୃତସର ଜାଲିଆନାୱାଲା ବାଗରେ ହୋଇଥିବା ନରସଂହାର ଘଟଣାକୁ ଆଜି ୧୦୦ ବର୍ଷ ପୂରଣ ହୋଇଛି । ଏହି ସମୟରେ ସେଠାରେ ଏକ ଖାସ୍ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଯେଉଁଥିରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଉପ ରାଷ୍ଟ୍ରପତି ବେଙ୍କେୟା ନାଇଡୁ ଏବଂ ପଞ୍ଜାବ ରାଜ୍ୟପାଳ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ସକାଳେ ଅମୃତସର ପହଂଚିଥିଲେ ଏବଂ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ମଧ୍ୟ ତାଙ୍କ ସହ ସେଠାରେ ଉପସ୍ଥିତ ଥିଲେ ।

ଶୁକ୍ରବାର ରାତିରେ ଅମୃତସର ପହଂଚିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସ୍ୱର୍ଣ୍ଣ ମନ୍ଦିରରେ ପଂହଚି ଦର୍ଶନ କରିଥିଲେ । ଏହି ସମୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ମଧ୍ୟ ରାହୁଲଙ୍କ ସହ ଥିଲେ । ଶନିବାର ଶତାବ୍ଦୀ ସମାରୋହ ନାମରେ ଏଠାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସହିଦଙ୍କ ସ୍ମରଣାର୍ଥେ ମୁଦ୍ରା ଏବଂ ଡାକ ଟିକେଟ୍ ଜାରୀ କରାଯିବ । ଏହା ପୂର୍ବରୁ ଶୁକ୍ରବାର ସନ୍ଧ୍ୟା ରାଜ୍ୟପାଳ ବିପି ସିଂହ ବଦନୋର,ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଏକ କ୍ୟାଣ୍ଡେଲ୍ ମାର୍ଚ୍ଚ ବାହାର କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ମାର୍ଚ୍ଚରେ କ୍ୟାବିନେଟ୍ ମନ୍ତ୍ରୀ ସୁଖୱିନ୍ଦର ସିଂହ ସୁଖସରକରିୟା,ଓମ୍ ପ୍ରକାଶ ସୋନୀ,ସୁନୀଲ୍ ଜାଖଣ୍ଡ ଏବଂ ଅନ୍ୟାନ୍ୟ ନେତା ଛାତଛାତ୍ରୀ ସାମିଲ ହୋଇଥିଲେ ।