ଫାଶୀ ଖୁଣ୍ଟରେ ଝୁଲାଇବାକୁ କେତେ ଟଙ୍କା ମିଳେ ପାରିଶ୍ରମିକ? ଜାଣନ୍ତୁ ଜହ୍ଲାଦଙ୍କୁ ପୂର୍ବରୁ କେତେ ମିଳୁଥିଲା ଓ ଏବେ କେତେ ମିଳୁଛି ପାରିଶ୍ରମିକ ।

14,930

କନକ ବ୍ୟୁରୋ : ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ଯେକୌଣସି ମୁହୂର୍ତ୍ତରେ ଫାଶୀ ଦିଆଯାଇପାରେ । ଫାଶୀରେ ବ୍ୟବହୃତ ହେଉଥିବା ଦଉଡି ବିହାର ବକ୍ସର ଜେଲରେ ପ୍ରସ୍ତୁତ ହେଉଥିବା ବେଳେ ଜହ୍ଲାଦ ଖୋଜିବା ଆରମ୍ଭ କରିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ । ଏସବୁ ଭିତରେ ଫାଶୀ ଦେବା ପାଇଁ ଜହ୍ଲାଦ ମାନଙ୍କୁ କେତେ ଟଙ୍କା ମିଳିଥାଏ ତାହା ଜାଣିବା ପାଇଁ ଅନେକ ଲୋକଙ୍କ ମନରେ ଉତ୍ସୁକତା ରହିଥାଏ । ତେବେ ଏନେଇ ଜାତୀୟ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ପବନ ଜହ୍ଲାଦ ।

ପବନଙ୍କ କହିବା ଅନୁଯାୟୀ, ଫାଶୀ ଦେବା ପାଇଁ ପୂର୍ବରୁ ଭଲ ଟଙ୍କା ମିଳୁଥିଲା । ସେତେବେଳର ସମୟ ଅନୁଯାୟୀ, ଫାଶୀ ପିଛା ୧୦୦ ଟଙ୍କା ମିଳୁଥିଲା । ସେତେବେଳେ ଏହାର ମୂଲ୍ୟ ବେଶ ଅଧିକ ଥିଲା । ୨୦୧୩ରେ ପାରିଶ୍ରମିକ ରାଶି ବୃଦ୍ଧି ପାଇ ୩ ହଜାର ଟଙ୍କା ହୋଇଥିଲା । ଏହି ପାରିଶ୍ରମିକ ରାଶି ପୂର୍ବ ତୁଳନାରେ ବେଶ କମ ଥିଲା । ତେବେ ଏନେଇ ବିରୋଧ କରିବାରୁ ଏବେ କଏଦୀଙ୍କୁ ଫାଶୀରେ ଝୁଲାଇବା ପାଇଁ ୫ ହଜାର ଟଙ୍କା ମିଳୁଛି ।

ପବନ କୁମାରଙ୍କ ପରିବାର ଏବେ ପର୍ଯ୍ୟନ୍ତ ୨୫ରୁ ଉଦ୍ଧ୍ୱର୍ ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ସାରିଲେଣି । ସ୍ୱାଧୀନତା ପରେ ପବନଙ୍କ ପରିବାରର ୩ ପିଢି ଜହ୍ଲାଦ ଭାବେ କାମ କରି ଆସିଛନ୍ତି । ଲକ୍ଷ୍ମଣ, କାଳୁରାମ ଓ ବବୁ ସିଂଙ୍କ ପରେ ପବନ ଏବେ ଜହ୍ଲାଦ ଭାବେ କାମ କରୁଛନ୍ତି ।

ଏସବୁ ଭିତରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ଫାଶୀ ଖୁଣ୍ଟରେ ଚଢାଇବା ପାଇଁ ଜହ୍ଲାଦ ଖୋଜିବା ଆରମ୍ଭ କରିଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ । ଆଉ ଏଥିପାଇଁ ୯ ଡିସେମ୍ବରରେ ଉତ୍ତର ପ୍ରଦେଶର ଜେଲ ପ୍ରଶାସନକୁ ଚିଠି ଲେଖି ଜହ୍ଲାଦ ଯୋଗାଇ ଦେବାକୁ କୁହାଯାଇଛି । ଏବେ ଉତ୍ତରପ୍ରଦେଶରେ ଦୁଇ ଜଣ ଜହ୍ଲାଦ ରହିଛନ୍ତି । ଦୁଇଜଣଙ୍କ ମଧ୍ୟରୁ ଜଣଙ୍କୁ ଖୁବଶୀଘ୍ର ଉତ୍ତରପ୍ରଦେଶ ଜେଲ ପ୍ରଶାସନ ତିହାର ଜେଲକୁ ପଠାଇବ । ତେବେ ଫାଶୀ ଦେବା ପାଇଁ ଜହ୍ଲାଦଙ୍କ ସମସ୍ତ ଖର୍ଚ୍ଚ ତିହାର ଜେଲ ପ୍ରଶାସନ ବହନ କରିଥାଏ ।