ଜଳେଶ୍ୱରରେ ଜଟିଳ ସ୍ଥିତି ! ଆଶାୟୀ ମାଳମାଳ , କାହାକୁ ପ୍ରାର୍ଥୀ କରିବ ଦଳ, ତିନି ଦଳର ହାଇକମାଣ୍ଡଙ୍କ ବଢ଼ିଲା ଚିନ୍ତା ।

Advertisment
ଜଳେଶ୍ୱରରେ ଜଟିଳ ସ୍ଥିତି ! ଆଶାୟୀ ମାଳମାଳ , କାହାକୁ ପ୍ରାର୍ଥୀ କରିବ ଦଳ, ତିନି ଦଳର ହାଇକମାଣ୍ଡଙ୍କ ବଢ଼ିଲା ଚିନ୍ତା ।

କନକ ବ୍ୟୁରୋ: ସାରା ରାଜ୍ୟରେ ବହିଲାଣି ସାଧାରଣ ନିର୍ବାଚନୀ ହାୱା । ଆଉ ଏହି ହାୱାରେ ନିଜ ନିଜର ଦଳୀୟ ବାନାକୁ ଶିଖରରେ ଉଡ଼ାବା ପାଇଁ ମାରାଥନ୍ ଗୋଟି ଚାଳନା କରୁଛନ୍ତି ଶାସକ ଓ ବିରୋଧୀ । କିନ୍ତୁ ବାଲେଶ୍ବର ଜିଲ୍ଲାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଧାନସଭା କ୍ଷେତ୍ର ଜଳେଶ୍ବରରେ ନିର୍ବାଚନ ମଣ୍ଡଳୀ ୩ ଦଳକୁ ଅଡୁଆରେ ପକାଇଛି । କାରଣ ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପିରେ ଟିକଟ ଆଶାୟୀଙ୍କ ତାଲିକାରେ ବହୁ ନୂଆ ମୁହଁଙ୍କ ଆବିର୍ଭାବ ଏବେ ଏସବୁ ଦଳର ହାଇକମାଣ୍ଡଙ୍କୁ ପ୍ରାର୍ଥୀ ଚୟନ ପାଇଁ ଦ୍ୱନ୍ଦରେ ପକାଇଛି । 

ପଶ୍ଚିମବଙ୍ଗ ସୀମାନ୍ତକୁ ଲାଗିଥିବା ଏହି ନିର୍ବାଚନ ମଣ୍ଡଳୀକୁ ଏବେ ଟିକଟ ରାଜନୀତି ସରଗରମ ହୋଇଛି  । ଦକ୍ଷିଣ-ପୂର୍ବ ରେଳପଥ ଏହି ନିର୍ବାଚନ ମଣ୍ଡଳୀ ଦେଇ ଯାଇଥିଲେ ବି ଏହି ନିର୍ବାଚନ ମଣ୍ଡଳୀ ଅନେକ ସମସ୍ୟାରେ ଆଉଟୁପାଉଟୁ ହେଉଛି । ବିଗତ ୩ଟି ନିର୍ବାଚନରେ ଏଠାକାର ସଚେତନ ଭୋଟର ନେତା ପରିବର୍ତ୍ତନ କରିଥିବାରୁ ୨୦୧୯ ନିର୍ବାଚନ ନେଇ ମଧ୍ୟ ବିଭିନ୍ନ ଦଳ ମଧ୍ୟରେ ଛନକା ଭରିଛି । ନିର୍ବାଚନ ଅବ୍ୟବହିତ ପୂର୍ବରୁ ଦଳ ପରିବର୍ତ୍ତନ କରି ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅଶ୍ବିନୀ କୁମାର ପାତ୍ର ଗତ ୨୦୧୪ ନିର୍ବାଚନରେ ଜିଲ୍ଲାରେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଅପରପକ୍ଷେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ଦେବୀ ପ୍ରସନ୍ନ ଚାନ୍ଦ ଟକ୍କର ଦେଇଥିଲେ । 

ସେହିପରି ବିଜେପି ପ୍ରାର୍ଥୀ ଅରୁଣ ବେଜଙ୍କୁ ମାତ୍ର ୧୩୪୬୫ ଖଣ୍ଡ ଭୋଟ ରେ ସନ୍ତୁଷ୍ଟି ହେବାକୁ ପଡ଼ିଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଜଳେଶ୍ବର ନିର୍ବାଚନ ମଣ୍ଡଳୀ ଏକଦା ବିଜେପି ଓ କଂଗ୍ରେସର ଦୁର୍ଗ ଥିବା ବେଳେ ୨୦୧୪ ନିର୍ବାଚନରେ ଏହି ଦୁଇ ଦଳର ଭୋଟ୍ ହାରରେ ଘାଟା ଦେଖିବାକୁ ମିଳିଥିଲା । ଅବଶ୍ୟ ଏହି ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ବିଜେଡିର କେହି ପ୍ରାର୍ଥୀ ସିଧାସଳଖ ଶଙ୍ଖ ଚିହ୍ନରେ ନିର୍ବାଚନ ଲଢ଼ି ନ ଥିବା ବେଳେ ପ୍ରଥମ ଥର ପାଇଁ ୨୦୧୪ରେ ଭୋଟର ଶଙ୍ଖ ଚିହ୍ନକୁ ଭୋଟ ଦେଇ ବିଜେଡି ପ୍ରାର୍ଥୀ ଅଶ୍ୱିନୀ ପାତ୍ର ବିଜୟୀ ହୋଇଥିଲେ । କିନ୍ତୁ ଆଗାମୀ ନିର୍ବାଚନ ପୂର୍ବରୁ ଏଠାକାର ରାଜନୀତିରେ ଅନେକ କଡ଼ ଲେଉଟାଇଲାଣି । 

ଗତଥର ଏହି ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ସୁଦର୍ଶନ ଦାସଙ୍କ କଂଗ୍ରେସରେ ଯୋଗଦାନ ଓ ପ୍ରାକ୍ତନ ବିଧାୟକ ଜୟନାରାୟଣ ମହାନ୍ତି କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେବା ଜଳେଶ୍ବରର ରାଜନୀତିକୁ ଗୋଳମାଳିଆ କରିଦେଇଛି । ଯାହାଦ୍ୱାରା ଜଳେଶ୍ବରରେ ଏବେ ଟିକଟ ରାଜନୀତି ଜୋର ଧରିଥିବା ଚର୍ଚ୍ଚା ହେଉଛି । ଶାସକ ବିଜେଡିର ବିଧାୟକ ଅଶ୍ବିନୀ କୁମାର ପାତ୍ର ଦଳୀୟ ଟିକଟ ପାଇଁ ପ୍ରମୁଖ ଦାବିଦାର କୁହାଯାଉଥିଲେ ବି ବାଲେଶ୍ବର ସାଂସଦ ରବିନ୍ଦ୍ର ଜେନା କିମ୍ବା ତାଙ୍କ ପତ୍ନୀ ସୁବାସିନୀ ଜେନା, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ମଧ୍ୟ ଦଳ ଏଠାରୁ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି। ସେହିପରି ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ଓ ପୂର୍ବତନ ନଗରପାଳ ପ୍ରବୀର ପ୍ରଧାନଙ୍କ ଭଳି ଦଳର ଅନ୍ୟ ଯୁବନେତାମାନେ ଲୋକଙ୍କ ନିକଟରେ ନିଜକୁ ଆଶାୟୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରୁଛନ୍ତି।

ସେପଟେ ବିରୋଧୀ କଂଗ୍ରେସରେ ମଧ୍ୟ ସମାନ ଅବସ୍ଥା। ସୁଦର୍ଶନ ଏବେ ପିସିସିର ଗୁରୁତ୍ୱପୂର୍ଣ୍ଣ ପଦବିରେ ଥିବା ବେଳେ ଗାଁ ଗାଁ ବୁଲି ଇସ୍ତାହାର ପାଇଁ ମତ ଲୋଡ଼ିବା, ଲୋକଙ୍କ ସମସ୍ୟା ସହ ନିଜକୁ ଯୋଡ଼ି ଗାଁ ଗାଁରେ ବୈଠକ କରିବା, କଂଗ୍ରେସ ଆଶାକୁ ଉଜ୍ଜିବୀତ କରିଥିବା ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚନ୍ଦ ମଧ୍ୟ ପିସିସି ମୁଖିଆ ନିରଞ୍ଜନଙ୍କ ଘନିଷ୍ଠ ହୋଇଥିବାରୁ ତାଙ୍କୁ ନିଶ୍ଚିତ ଟିକଟ ମିଳିବ ବୋଲି ତାଙ୍କ ସମର୍ଥକମାନେ ଦମ୍ଭୋକ୍ତି ବାଢୁଛନ୍ତି ।  ସେହିଭଳି ଏହି ଟିକେଟ୍ ଦୌଡ଼ରେ କଂଗ୍ରେସର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତପନ ଦାସ, ରାଜପୁର ସମିତି ସଭ୍ୟ ମଧୁସୂଦନ ଦାସ, ଆଇନଜୀବୀ ସତ୍ୟସୁନ୍ଦର ଦାସ ପ୍ରମୁଖଙ୍କ ନାଁ ମଧ୍ୟ ‘ହାତ’କୁ ମଜଭୁତ କରିବାକୁ କସରତ କରୁଥିବା ଚର୍ଚ୍ଚା ହେଉଛି । 

ଏହାରି ମଧ୍ୟରେ ବିଜେପିରେ ଟିକଟ ଦୌଡ଼ରେ ଜୟନାରାୟଣ ମହାନ୍ତି ସବୁଠୁ ଆଗରେ ଥିବାର ଆଲୋଚନା ହେଉଛି । ବିଜେପି ଦଳର ବିଭିନ୍ନ କାର୍ଯ୍ୟକ୍ରମ କରି ଭୋଟରଙ୍କୁ ଆକୃଷ୍ଟ କରି ରାଜ୍ୟ ନେତୃବୃନ୍ଦଙ୍କୁ ଖୁସି କରିଥିବା ଦେଖିବାକୁ ମିଳୁଛି । ଜୟନାରାୟଣଙ୍କୁ ଛାଡ଼ିଦେଲେ ଗତଥର ପ୍ରାର୍ଥୀ ହୋଇଥିବା ଅରୁଣ କୁମାର ବେଜ, କୃଷକ ନେତା ସମୀର ପାତ୍ର, ଧୃବ ଚରଣ ନାୟକ , ନନୀଗୋପାଳ ଦାସ, ମହେନ୍ଦ୍ର କୁମାର ଦାସ, ଶୋଭମ ଜେନାଙ୍କ ନାମ ବି ଟିକଟ ତାଲିକାରେ ଥିବାର ସେମାନଙ୍କ ସମର୍ଥକମାନେ ଦାବି କରୁଛନ୍ତି । ଏଭଳି କ୍ଷେତ୍ରରେ ଏହି ଆଶାୟୀଙ୍କ ଲମ୍ବା ତାଲିକାରେ ପୁରୁଖା ନେତା ସାଙ୍ଗକୁ ନୂଆ ମୁହଁଙ୍କ ଭବିଷ୍ୟତ ନେଇ ଚିନ୍ତାରେ ହାଇକମାଣ୍ଡ । କାହାକୁ ଟିକେଟ୍ ଦେବେ ଆଉ କାହାକୁ ବୁଝାଇବେ ତାହା ଏବେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ଦ୍ୱନ୍ଦ ବଢ଼ାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe