ସମୁଦ୍ରରେ ବୁଡିବାକୁ ବସିଲାଣି ଇଣ୍ଡୋନେସିଆର ରାଜଧାନୀ । ଏବେ ନୁସନ୍ତାରା ହେବ ନୂଆ ରାଜଧାନୀ ।

539

କନକ ବ୍ୟୁରୋ: ପାଣିପାଗ ପରିବର୍ତ୍ତନ ଯୋଗୁଁ କିଛି ସହର ସମୁଦ୍ରରେ ବୁଡିଯିବ ବୋଲି ଗଣମାଧ୍ୟମରେ ଖବର ପ୍ରସାର ହେଉଥିଲା । ତାହା କିଛି ସ୍ଥାନରେ ସତ ହୋଇଛି । ଏହା ମଧ୍ୟରେ ଗୋଟିଏ ଗୁରୁତ୍ୱପୁର୍ଣ୍ଣ ସ୍ଥାନ ହେଉଛି ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା । ଜାକର୍ତ୍ତାର ଅଧାରୁ ଅଧିକ ପରିମାଣ ସମୁଦ୍ରରେ ବୁଡିଗଲାଣି । ତେଣୁ ଏଠାରୁ ରାଜଧାନୀକୁ ସ୍ଥାନାନ୍ତର କରି ନୁସନ୍ତାରାକୁ ସ୍ଥାନାନ୍ତରିତ ହୋଇଛି ଇଣ୍ଡୋନେସିଆର ରାଜଧାନୀ ।

ଇଣ୍ଡୋନେସିଆର ରାଜଧାନୀ ଜାକର୍ତା ସମୁଦ୍ରରେ ବୁଡ଼ିଯାଉଥିବାରୁ ଦେଶର ରାଜଧାନୀକୁ ନୁସଂତାରାକୁ ଉଠାଇ ନେବା ପାଇଁ ମଙ୍ଗଳବାର ଦିନ ଇଣ୍ଡୋନେସୀୟ ପାର୍ଲାମେଣ୍ଟ୍‌ ଆଇନ ପାସ୍‌ କରିଛି। ଦୀର୍ଘ ବର୍ଷ ଧରି ବିଚାରବିମର୍ଶ କରିବା ପରେ ଦେଶର ନେତାମାନେ ଏଭଳି ଉଲ୍ଲେଖନୀୟ ନିଷ୍ପତ୍ତି ଗ୍ରହଣ କରିଛନ୍ତି।ରାଷ୍ଟ୍ରର ନୂଆ ରାଜଧାନୀ ନିମନ୍ତେ ରାଷ୍ଟ୍ରପତି ଜୋ‌କୋ ୱିଇଡୋଡୋଙ୍କ ମହତ୍ତ୍ବାକାଙ୍‌କ୍ଷୀ ୩୨ ବିଲିୟନ୍‌ ଡଲାର୍ ମୂଲ୍ୟର ଏହି ବିଶାଳ ପ୍ରକଳ୍ପରେ ରାଜଧାନୀର ବିକାଶ ପାଇଁ ଅର୍ଥ ଯୋଗାଡ଼ ଏବଂ ଶାସନ ବ୍ୟବସ୍ଥା ମଧ୍ୟ ଧାର୍ୟ୍ୟ କରାଯାଇଛି। ଇଣ୍ଡୋନେସିଆର ରାଜଧାନୀ ସ୍ଥାନାନ୍ତର ‌କରିବା ଯୋଜନା ରାଷ୍ଟ୍ରପତି ଜୋ‌କୋ ୱିଇଡୋଡୋ ୨୦୧୯ରେ ପ୍ରଥମେ ଘୋଷଣା କରିଥିଲେ। ପ୍ରାୟ ୮୦ଟି ସ୍ଥାନର ନାମରୁ ୱିଇଡୋଡୋ ନୁସଂତାରାକୁ ମନୋନୀତ କରିଥିଲେ।

ସୂଚନାଯୋଗ୍ୟ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜାକର୍ତାରେ ବନ୍ୟା ଉପଦ୍ରୁତ ଅଞ୍ଚଳ ହୋଇପଡ଼ିବାରୁ ରାଜଧାନୀ ସ୍ଥାନାନ୍ତରଣ ଯୋଜନା କରାଯାଇଥିଲା। ଖାଲି ସେତିକି ନୁହେଁ ଏହି କୋଟି କୋଟି ଜନତା ବାସ କରୁଥିବା ବିଶାଳ ନଗରୀରେ ଭୀଷଣ ଭିଡ଼ ଏବଂ ବାୟୁ ପ୍ରଦୂଷଣ ମଧ୍ୟ ଲାଗି ରହିଛି।ସରକାରୀ ପ୍ରଶାସନିକ ପ୍ରତିଷ୍ଠାନ ସବୁ ଉଠିଗଲେ ମଧ୍ୟ ଜାକର୍ତା ଦେଶର ବାଣିଜ୍ୟ ଏବଂ ଅର୍ଥନୈତିକ କେନ୍ଦ୍ର ହୋଇ ରହିବ।