କରୋନା ବଢାଇଲା କାରଖାନା ଶ୍ରମିକଙ୍କ ସମସ୍ୟା: କଳିଙ୍ଗନଗର ନିଳାଚଳ ଇସ୍ପାତ ନିଗମ କର୍ମଚାରୀଙ୍କୁ ୪ ମାସ ହେଲା ମିଳୁନି ଦରମା; କାରଖାନା ବନ୍ଦ ଥିବାରୁ ଅନ୍ଧାରରେ ଶ୍ରମିକଙ୍କ ଭାଗ୍ୟ

573

କନକ ବ୍ୟୁରୋ: ସମସ୍ୟା ଘେରରେ ଯାଜପୁର କଳିଙ୍ଗନଗର ନିଳାଚଳ ଇସ୍ପାତ ନିଗମର କର୍ମଚାରୀ । କରୋନା କଟକଣା ଭିତରେ ୪ମାସ ଧରି ଦରମା ନମିଳିବା କାରଣରୁ କିଛି କିଛି କର୍ମଚାରୀ ପରିବା ବିକି ପରିବାର ଚଳାଉଛନ୍ତି । କାରଖାନା ବନ୍ଦ ରହିଥିବାରୁ ଆଉ କିଛି କର୍ମଚାରୀଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ଅନ୍ୟପକ୍ଷରେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ ।

ଯାଜପୁର କଳିଙ୍ଗନଗର ଶିଳ୍ପାଂଚଳର ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ କର୍ମଚାରୀଙ୍କ ଭବିଷ୍ୟତ ଅନିଶ୍ଚିତତା ଘେରକୁ ଠେଲି ହୋଇଯାଇଛି । ରାଜ୍ୟର ୧୧ଟି ଜିଲ୍ଲାରେ ଲକଡାଉନ ଓ ସଟଡାଉନ କଟକଣା ଜାରି ରହିଥିବା ବେଳେ ପ୍ରାୟ ୪ମାସ ହେବ ଦରମା ପାଇନାହାନ୍ତି କର୍ମଚାରୀ । କେହି କେହି କର୍ମଚାରୀ ପରିବାର ପ୍ରତିପୋଷଣ ପାଇଁ ପରିବା ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି ।  ନୀଳାଚଳ ଇସ୍ପାତ ନିଗମରୁ ଏମଏମଟିସି ସମେତ ୬ଟି ଅଂଶୀଦାର ସଂସ୍ଥା ପୁଞ୍ଜି ପ୍ରତ୍ୟାହାର କରିସାରିଛନ୍ତି । ପ୍ରଥମେ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ ଓ ଷ୍ଟିଲ ମେଲ୍ଟିଙ୍ଗ ସପ ବନ୍ଦ ହୋଇଯାଇଥିବା ବେଳେ ଗତ ମାର୍ଚ୍ଚ ୩୦ରୁ କୋକ ଓଭେନ ପ୍ଲାଂଟ ବନ୍ଦ ହେବାକୁ ବସିଛି । କାରଖାନା ପାଇଁ ନିଜ ଭିଟାମାଟି ହରାଇଥିବା ୪୫୦ ବିସ୍ଥାପିତ ପରିବାରଙ୍କ ସମେତ ଶତାଧିକ ଶ୍ରମିକ କର୍ମଚାରୀ ଆନ୍ଦୋଳନ ଜାରି ରଖିଛନ୍ତି । ଏବେ କାରଖାନାର ସ୍ଥାୟିତ୍ୱକୁ ନେଇ ଚିନ୍ତାରେ ପଡିଛନ୍ତି କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀ । କାରଖାନା ବନ୍ଦ ରହିଥିବାରୁ ଶ୍ରମିକଙ୍କ ଭାଗ୍ୟ ଅନ୍ଧାର ଭିତରକୁ ଠେଲିହୋଇଯାଇଛି ।

ସେପଟେ ବିସ୍ଥାପିତ ପରିବାରଙ୍କ ସହିତ ଶ୍ରମିକ ଓ କର୍ମଚାରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅଧିକ ପୁଞ୍ଜି ବିନିଯୋଗ କରିବାକୁ ଦାବି ହୋଇଛି । ଏଥିସହ କାରଖାନାର ପୁନରୁଦ୍ଧାର କରିବା ସହ କାରଖାନାର ସ୍ଥାୟିତ୍ୱ ଏବଂ ଶ୍ରମିକ କର୍ମଚାରୀଙ୍କ ସାମାଜିକ ଓ ଅର୍ତନୈତିକ ସୁରକ୍ଷା ଦାବି ହୋଇଛି । ଅନ୍ୟପକ୍ଷରେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ ।