ନୀଳାଚଳ ଇସ୍ପାତ କର୍ମଚାରୀଙ୍କୁ ମିଳିଲା ୨୦ କୋଟି ଟଙ୍କା: ଜୀବିକା ହରାଇଥିବା ୧୬୪ ଜଣ କର୍ମଚାରୀଙ୍କୁ ଛତିଶଗଡର ନୂଆ ଇସ୍ପାତ କାରଖାନାରୁ ମିଳିଲା ନିଯୁକ୍ତି

୧୦ ମାସ ହେଲା ଦରମା ପାଇନଥିଲେ କଂପାନୀ କର୍ମଚାରୀ

378

କନକ ବ୍ୟୁରୋ: ଯାଜପୁର ଜିଲ୍ଲାର କଳିଙ୍ଗନଗର ସ୍ଥିତ ଦ୍ୱିତୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମ କାରଖାନାର ହଜାର ହଜାର କର୍ମଚାରୀ ନିଯୁକ୍ତି ହରାଇ ଗତ ୧୦ ମାସ ହେଲା ଦରମା ପାଉନାହାନ୍ତି । ଏହି ସମୟରେ ଏନଏମଡିସି କର୍ମଚାରୀଙ୍କ ଦରମା ବାବଦକୁ ୨୦ କୋଟି ଟଙ୍କା ଦେଇଛି । ସେହିଭଳି କାରଖାନା ବନ୍ଦ ହେବା ଯୋଗୁଁ ଜୀବିକା ହରାଇଥିବା କର୍ମଚାରୀଙ୍କ ମଧ୍ୟରୁ ୯୬୪ ଜଣଙ୍କୁ ଛତିଶଘଡର ନୂଆ ଇସ୍ପାତ କାରଖାନାରେ ନିଯୁକ୍ତି ଦିଆଯାଇଛି । ଚଳିତମାସରୁ ଏହି କର୍ମଚାରୀମାନେ ସେଠାରେ ନିଯୁକ୍ତି ପାଇବେ । ଏହି ଖବର ପ୍ରଚାର ହେବା ପରେ ୧୦ ମାସ ଧରି ଦରମା ପାଇନଥିବା କର୍ମଚାରୀଙ୍କ ମଧ୍ୟରେ ଆଶା ସୃଷ୍ଟି ହୋଇଛି ।

ନୀଳାଚଳ ଅଚଳ ହୋଇପଡିବା ଫଳରେ ପ୍ରାୟ ୪ ହଜାର କର୍ମଚାରୀ ଓ ଶ୍ରମିକ ଜୀବିକା ହରାଇଥିଲେ । ୧୦ ମାସ ହେଲା ଦରମା ମିଳିନଥିଲା । କିଛି ଦିନ ତଳେ ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହସ୍ତକ୍ଷେପ କରିବାକୁ ଦାବି ହୋଇଥିଲା । ୧୯୮୨ରେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଯାଜପୁରର ଡୁବୁରୀରେ ସରକାରୀ କମ୍ପାନି ପରିଚାଳିତ ରାଜ୍ୟର ଦ୍ୱିତୀୟ ଇସ୍ପାତ କାରଖାନା କରିବା ପାଇଁ ଘୋଷଣା କରିଥିଲେ । ମାତ୍ର ଏହା ହୋଇପାରିନବାରୁ ୧୧ ବର୍ଷ ପରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଏହି କାରଖାନା ପ୍ରତିଷ୍ଠା କରାଯାଇଥିଲା । ୨୦୦୨ରେ କାରଖାନାରୁ ଉତ୍ପାଦନ ଆରମ୍ଭ ହୋଇଥିଲା । ୨୦୧୧-୧୨ ଯାଏଁ ଲାଭରେ ଚାଲୁଥିବା ଏହି ଉଦ୍ୟୋଗ ଏହାପରଠାରୁ କ୍ରମାଗତ କ୍ଷତିରେ ଚାଲୁଥିଲା ।