ବାୟୋଫ୍ଲକ୍ସ ମାଛ ଚାଷ କରିଛି ସ୍ୱାବଲମ୍ବୀ । ବାୟୋଫ୍ଲକ୍ସ ମାଛ ଚାଷ କରି ସଫଳ ହୋଇଛନ୍ତି ଯୁବ ଚାଷୀ ସୀତାଂଶୁ, ନିଜେ ରୋଜଗାର ସହ ଅନ୍ୟ ଯୋଗାଇଛନ୍ତି ନିଯୁକ୍ତି ।

201

କନକ ବ୍ୟୁରୋ : କରୋନା ଯୋଗୁଁ ନିଜର ବୃତ୍ତି ପ୍ରଭାବିତ ହେବା ପରେ ଶିକ୍ଷିତ ଯୁବକଙ୍କୁ ୟୁଟ୍ୟୁବ ଦେଖାଇଲା ରୋଜଗାରର ବାଟ । ନିଜସ୍ୱ ଉଦ୍ୟମରେ ବାୟୋଫ୍ଲକ୍ସ ମାଛ ଚାଷକରି ପରିବାର ଚଳାଇବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏହେଉଛି ଯାଜପୁର ଜିଲ୍ଳା ବଡଚଣା ବ୍ଲକ ବାଲିଚନ୍ଦ୍ରପୁର ନିକଟ ପଣସୁଧା ଗାଁର ଯୁବ ମାଛ ଚାଷୀ ସୀତାଂଶୁ ଶେଖର ସାହୁଙ୍କ ସଫଳତାର କାହାଣୀ ।

ବାଲିଚନ୍ଦ୍ରପୁର ନିକଟ ପଣସୁଧା ଗାଁର ସୀତାଂଶୁ ଶେଖର ସାହୁ । ବିଏ ପାସ୍ କରିବା ପରେ ଏକ କମ୍ପାନୀରେ ଚାକିରୀ କରୁଥିଲେ । ମାତ୍ର ଏଥିରେ ସେ ସନ୍ତୁଷ୍ଟ ନଥିଲେ । ସବୁବେଳେ ନିଜେ ସ୍ୱାଧିନଭାବେ କିଛି କରିବାକୁ ଚାହୁଁଥିଲେ । ତେଣୁ କମ୍ପାନୀ ଚାକିରୀ ଛାଡି ଗାଁରେ ଏକ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ କରିଥିଲେ । ମାତ୍ର କରୋନା ଯୋଗୁଁ ତାଙ୍କର କମ୍ପ୍ୟୁଟର ସଂସ୍ଥାଟି ବନ୍ଦ ହୋଇଯିବାରୁ ସେ ଅସହାୟ ହୋଇପଡିଥିବା ବେଳେ ୟୁଟ୍ୟୁବରୁ ବାୟୋଫ୍ଲକ୍ସ ପଦ୍ଧତିରେ ମାଛ ଚାଷ ହୋଇପାରୁଥିବା ଜାଣିବା ପରେ ଆଉ ପଛକୁ ଫେରିନଥିଲେ । ପ୍ରଥମେ ନିଜ ବାଡିରେ ପରୀକ୍ଷାମୂଳକ ଭାବେ ଗୋଟିଏ କୁଣ୍ଡରେ ଆରମ୍ଭ କରିଥିଲେ ମାଛ ଚାଷ । ଏଥିରେ ସଫଳ ହେବା ପରେ ଆଉ ୫ଟି କୁଣ୍ଡରେ ମାଛ ଚାଷ କରିବା ଆରମ୍ଭ କଲେ । ଏବେ ମୋଟ ୬ଟି କୁଣ୍ଡରେ ମାଛ ଚାଷ ଜାରି ରଖିବା ସହ ନିଜେ ରୋଜଗାରକ୍ଷମ ହୋଇପାରିଛନ୍ତି ବୋଲି କହନ୍ତି ସୀତାଂଶୁ ।

ସୀତାଂଶୁ ପ୍ରଥମେ ୫୦ହଜାର ଟଙ୍କା ପାଣ୍ଠି ବିନିଯୋଗ କରି ଏହି ମାଛ ଚାଷ ଆରମ୍ଭ କରିଥିବା ବେଳେ ଏବେ ଏହା ତିନିଲକ୍ଷ ଟଙ୍କାରେ ପହଂଚିଛି । ସୀତାଂଶୁଙ୍କ ଏହି ମାଛ ଚାଷ ୟୁନିଟରେ କୋଉ, ତିଲାପିଅ, ରୂପଚାନ୍ଦି, ମାଗୁର ଚାଷ ହୋଇଥିବା ବେଳେ ଗୋଟିଏ ଗୋଟିଏ କୁଣ୍ଡରୁ ଦୁଇ କୁଇଂଟାଲ ପାଖାପାଖି ମାଛ ଅମଳ ହୋଇଛି । ଆଉ ଏଥିରୁ ବାର୍ଷିକ ଦେଢରୁ ଦୁଇଲକ୍ଷ ଟଙ୍କା ଲାଭ ମଧ୍ୟ କରିପାରୁଛନ୍ତି । ସୀତାଂଶୁଙ୍କ ଏହି ମାଛ ଚାଷରେ ତାଙ୍କର ପତ୍ନୀ ଲକ୍ଷ୍ମୀ ଓ ପରିବାରର ଅନ୍ୟ ସଦସ୍ୟ ସହଯୋଗ କରି ଏହାକୁ ସଫଳ କରାଇପାରିଛନ୍ତି । ସୀତାଂଶୁଙ୍କୁ ଜିଲ୍ଳା ମତ୍ସ୍ୟ ବିଭାଗ ପକ୍ଷରୁ ତାଙ୍କର ସଫଳତାକୁ ଦେଖି ୯୦ହଜାର ଟଙ୍କାର ଆର୍ଥିକ ସହାୟତା ସବସିଡି ଆକାରରେ ଦିଆଯାଇଛି । ତାଙ୍କର ଏହି ସଫଳତାକୁ ଦେଖି କେତେକ ସ୍ଥାନୀୟ ଯୁବକ ମଧ୍ୟ ଏହି ପଦ୍ଧତିରେ ମାଛ ଚାଷ ଆରମ୍ଭ କରିଥବା କହିଛନ୍ତି । ଅନ୍ୟପଟେ ଏଠାରୁ ଉତ୍ପାଦିତ ମାଛ ତାଜା ଓ ତଟକା ହୋଇଥିବାରୁ ଏହାର ବଜାର ଚାହିଦା ଭଲ ରହିଥିବା କହନ୍ତି ସୀତାଂଶୁ । କରୋନା ମହାମାରୀରେ ବୃତ୍ତି ହରାଇଥିବା ଶିକ୍ଷିତ ବେକାରୀଙ୍କ ପାଇଁ ସୀତାଂଶୁଙ୍କ ବାୟୋଫ୍ଲକ୍ସ ମାଛ ଚାଷ ରୋଜଗାରର ବାଟ ଦେଖାଇବ ବୋଲି ଆଶା କରାଯାଏ ।