ଗାଁରେ ନାହିଁ ନଳକୂଅ….ପାଣି ପାଇଁ ଭରସା ନଈ: ପିଇବା ପାଣି ପାଇଁ ଖରସ୍ରୋତା ନଦୀ ଉପରେ ନିର୍ଭର କରୁଛନ୍ତି ବିଞ୍ଝାରପୁର ନୂଆକଳ ଜେନାସାହିର ଶହେରୁ ଅଧିକ ପରିବାର

151

କନକ ବ୍ୟୁରୋ: ଯାଜପୁର ଜିଲା ବିଂଝାରପୁର ବ୍ଲକ ବାଙ୍ଗରା ନୂଆକୂଳ ଜେନା ସାହିରେ ଜଳକଷ୍ଟ ସମସ୍ୟା ଦେଖାଦେଇଛି । ଗାଁରେ ଥିବା ସରକାରୀ ନଳକୂଅ ଦୀର୍ଘବର୍ଷ ଧରି  ଅଚଳ ହୋଇପଡିଛି । ପାଖ ଗାଁରୁ ଆସିଥିବା ପାଇପ ପାଣି ସମୁଦ୍ରକୁ ଶଙ୍ଖେ ହୋଇଛି । ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଭୋଗୁ ଥିବାରୁ ସ୍ଥାନୀୟ ଲୋକେ ପାଖ ଖରସ୍ରୋତା ନଦୀ ଜଳ ଉପରେ ନିର୍ଭର କରୁଛନ୍ତି । ପାଖାପାଖି ୧୦୦ ପରିବାର ପ୍ରତିଦିନ ଏଭଳି ଦୁର୍ଦ୍ଦଶା ଭୋଗ କରୁଥିଲେ ହେଁ ପ୍ରଶାସନ ପାଖରେ କୌଣସି ଖବର ନାହିଁ ।

ପିଇବା ପାଣି ପାଇଁ ଲମ୍ବା ଲାଇନ । ଗାଁରେ ନାହିଁ ନଳକୂଅ । ଦୀର୍ଘ ବର୍ଷ ତଳୁ ଗାଁର ଥିବା ନଳକୂଅଟି ଅଚଳ ହୋଇଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ସଜଡା ହୋଇପାରିନି । ପଂଳରେ ବାଧ୍ୟ ହୋଇ ଲୋକେ ପାଖ ଖରସ୍ରୋତା ନଦୀ ଉପରେ ନିର୍ଭର କରୁଛନ୍ତି । ଗାଁର ନଳକୂଅରୁ ମଧୁର ଜଳ ନ ବାହାରିବାରୁ ଏହା ବ୍ୟବହାର ଅନୁପଯୋଗୀ ହୋଇଯାଇଥିଲା । ପଡୋଶୀ ବାଙ୍ଗରା ଗାଁରୁ ପାଇପ ଯୋଗେ ପାଣି ଆସୁଛି ସତ କିନ୍ତୁ କିଭଳି ଆସୁଛି ତାକୁ ଭଲ ଭାବେ ଟିକେ ଦେଖନ୍ତୁ । ଯାହା କେତେବେଳେ କେମିତି ଆସୁଛି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ । ବାଲଟିଏ ପାଣିପାଇଁ ଦିନଯାକର ସମୟ ଯାଉଛି ।

ସମସ୍ୟା ଦିନ କି ମାସେ ନୁହେଁ ପ୍ରତିବର୍ଷ ଏହି ସମସ୍ୟା ଦେଖାଦେଉଛି । ପ୍ରତିବର୍ଷ ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ସମାଧାନ ହେବାର ପ୍ରତିଶୃତି ମିଳେ ସତ କିନ୍ତୁ ପୁରଣ ହୋଇପାରେନା । ଖରାଦିନ ଯାଇ ବର୍ଷା ଆସେ ସମସ୍ୟା ଯେଉଁଠି କି ସେଇଠି ରହିଯାଏ । ପାଣି ଟୋପେ ପାଇବା ପାଇଁ ଲୋକେ ଡହଳ ବିକଳ ହେଉଥିଲେ ସ୍ଥାନୀୟ ବ୍ଲକ ପ୍ରଶାସନ ନିଦାବିଷ୍ଣୁ ସାଜିଛି । ମହିଳା ମାନେ ପାଖ ନଦୀରୁ ପାଣି ଆଣି ଘରର କାମ କରନ୍ତି,ଅନେକ ସମୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବାର ନଜିର ମଧ୍ୟ ରହିଛି । ଏତେପରେ ବି ସମସ୍ୟା ସଂପର୍କରେ ଜିଲା ପ୍ରଶାସନ ପାଖରେ କୌଣସି ଖବର ନାହିଁ । ତେବେ ଆଗାମୀ ଦିନରେ ସମାଧାନ କରାଯିବ ବୋଲି ଜିଲାପାଳ ପ୍ରତିଶୃତି ଦେଇଛନ୍ତି । ପ୍ରତିବର୍ଷ ଖରାଦିନ ଆସିଲେ ଲୋକେ ଏମିତି ଅସୁବିଧାର ସମ୍ମୁଖିନ ହୁଅନ୍ତି ଏବଂ ପ୍ରଶାସନ ପକ୍ଷରୁ ସମାଧାନ କରାଯିବାର ପ୍ରତିଶୃତି ମିଳେ କିନ୍ତୁ ଦେଖାଯାଉ ଜିଲାପାଳଙ୍କ ଏହି ପ୍ରତିଶୃତି ପ୍ରକୃତରେ କାର୍ଯ୍ୟକାରୀ ହେଉଛି ନା ନାହିଁ ।