କନକ ବ୍ୟୁରୋ : ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁର ବିଶ୍ବାସଯୋଗ୍ୟ କାରଣ ପୁଲିସ ଆଜି ପର୍ଯ୍ୟନ୍ତ ଲୋକଲୋଚନକୁ ଆଣିପାରିନାହିଁ। ସ୍ମିତାରାଣୀ ଓ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଢାଲ କରି ପୁଲିସ ତଦନ୍ତ ଆତ୍ମହତ୍ୟାରେ ଅଟକିଯାଇଛି। କୋର୍ଟରେ ନିଜ ସପକ୍ଷରେ ଯୁକ୍ତି ଦର୍ଶାଇବା ପାଇଁ କେବଳ କାଗଜପତ୍ର ଯୋଗାଡ଼ରେ ପୁଲିସ ଲାଗିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଏହିଭଳି ଏକ ସ୍ଥିତିରେ ଝିଅର ମୃତ୍ୟୁରେ ମ୍ରିୟମାଣ ହୋଇପଡ଼ିଥିବା ସ୍ମିତାରାଣୀଙ୍କ ବାପାମା’ ସବୁଦିନ ପାଇଁ ଓଡ଼ିଶା ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

publive-imageସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାକୁ ନେଇ ସାରାରାଜ୍ୟରେ ଏବେ ବି ଚର୍ଚ୍ଚା ଲାଗିରହିଛି। ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନରେ ସାମିଲ ଥିବା ବୁଦ୍ଧିଜୀବୀ ଘଟଣାସ୍ଥଳ ଗସ୍ତ କରିବା ସହିତ ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିବାରେ ଲାଗିଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ ନାୟକଙ୍କ ସହିତ ବିଜେପି ବିଧାୟକମାନଙ୍କ ଏକ ପ୍ରତିନିଧି ଦଳ ଘଟଣାସ୍ଥଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏପରିସ୍ଥଳେ, ଆଉ ଦୁଇଟି ଘଟଣା ଏବେ ସାମ୍ନାକୁ ଆସିଛି। କିଛିଦିନ ପୂର୍ବରୁ ହରିଦାସପୁରର ଜଣେ ଯୁବକ ଦେବାଶିଷ ସାମଲ କୂଅରେ ପଡ଼ି ପ୍ରାଣ ହରାଇଥିଲେ । ସେହିପରି ମାଫିଆ ରାଜରେ ପ୍ରତିବନ୍ଧକ ସାଜିଥିବା ଜଣେ ରେଲୱେ ଇଂଜିନିୟରଙ୍କୁ ଗାଡ଼ି ଚଢାଇ ହତ୍ୟା କରାଯାଇଥିଲା। ଏହି ୨ଟି ଘଟଣାରେ ବ୍ୟାପକ ଅର୍ଥ କାରବାର କରାଯାଇ ଦୁର୍ଘଟଣାର ରୂପ ଦିଆଯାଇଥିଲା ବୋଲି ଅଭିଯୋଗ ଉଠୁଛି।

ପୁଲିସ ମଧ୍ୟ ସ୍ମିତାରାଣୀ ଘଟଣା ଭଳି ଅପରାଧୀଙ୍କ କଥାରେ ମୋହର ମାରିଥିଲା । ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସଂପୃକ୍ତ ଅଞ୍ଚଳରେ ଦେବାଶିଷ ସାମଲ ଏବଂ ରେଲୱେ ଇଂଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ମଧ୍ୟ ନାନା ଚର୍ଚ୍ଚା ହେଉଛି। ଏକାଧିକ ହତ୍ୟା ଓ ଷଡଯନ୍ତ୍ର ମାମଲା ହରିଦାସପୁରରେ ହୋଇଥିବାରୁ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁର ସିବିଆଇ ତଦନ୍ତ ହେଲେ ସବୁକିଛି ପଦାକୁ ଆସିବ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ, ଝିଅର ମୃତ୍ୟୁରେ ମ୍ରିୟମାଣ ହୋଇପଡ଼ିଥିବା ସ୍ମିତାରାଣୀଙ୍କ ବାପାମା’ ଚାପର ବଶବର୍ତ୍ତୀ ହୋଇ ସବୁଦିନ ପାଇଁ ଓଡ଼ିଶା ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ସଦାନନ୍ଦ ବିଶ୍ବାଳ କହିଛନ୍ତି ଯେ, ‘ ଝିଅର ମୃତ୍ୟୁ ପରେ ଆମେ ଏବେ ମାନସିକ ଚାପ ମଧ୍ୟଦେଇ ଗତି କରୁଛୁ। ଖୁବଶୀଘ୍ର ଘରବାଡ଼ି ବିକ୍ରି କରି ଏଠାରୁ ଚାଲିଯିବୁ। ’ ‘ ପୁଅମାନେ ବାହାରେ ରହୁଥିବାରୁ ସେମାନଙ୍କ ନିକଟରେ ଯାଇ ରହିବୁ,’ ବୋଲି କୋହଭରା କଣ୍ଠରେ କହିଛନ୍ତି ଶ୍ରୀ ବିଶ୍ବାଳ।