ପଥର କାରିଗରି ପାଇଁ ଯାଜପୁର ଶୁଖୁଆପଡ଼ାର ରହିଛି ସ୍ୱତନ୍ତ୍ର ପରିଚୟ: ବିଭିନ୍ନ କଳାକୃତି କରି ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି ଏହି ଅଂଚଳର କାରିଗର
କନକ ବ୍ୟୁରୋ: ପ୍ରଶିକ୍ଷିତ ହେବା ପରେ ଅଧିକ ଆତ୍ମନିର୍ଭରଶୀଳ ହେବେ ଯାଜପୁର ଜିଲ୍ଳା ବଡଚଣା ଅଂଚଳର ପଥର କାରିଗର । ରାଜ୍ୟସରକାରଙ୍କ ହସ୍ତଶିଳ୍ପ ବିଭାଗର ତାଲିମ ଦେଖାଇବ ରୋଜଗାରର ବାଟ । ପଥରରେ ଆଧୁନିକ ଶୈଳୀର ପ୍ରୟୋଗକରି କାରିଗର ପାଇବେ ଅଧିକ ରୋଜଗାର ।

Kanak News is now on WhatsApp
Join and get latest news updates delivered to you via WhatsApp
ପଥରକୁ ଜୀବନ୍ୟାସ ଦେବାରେ ବେଶ୍ ସିଦ୍ଧହସ୍ତ ବଡଚଣା ବ୍ଲକ ଶୁଖୁଆପଡା, ବନ୍ଦରେଶ୍ୱର, ପଲେଇ, ବରଦାଓ ଗୋପାଳପୁର ଅଂଚଳର କାରିଗର । ପୁରୁଷାନୁକ୍ରମେ ପଥରରେ ବିଭିନ୍ନ କଳାକୃତି କରି ସାରା ରାଜ୍ୟ ତଥା ଦେଶ ବିଦେଶରେ ବେଶ୍ ଯଶ ଓ ଖ୍ୟାତି ଅର୍ଜନ କରିଛନ୍ତି ଏହିସବୁ ଗାଁର ପଥର କାରିଗର । ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ମଲ୍, ନାମୀଦାମୀ ହୋଟେଲ ଓ ସରକାରୀ କାର୍ଯ୍ୟାଳୟରେ ଶୋଭା ପାଉଛି ଶିଳ୍ପୀମାନେ ନିର୍ମାଣ କରିଥିବା ପଥରର ଅନନ୍ୟ କଳାକୃତି । ନିକଟରେ ପଲେଇ ଗାଁର ଶିଳ୍ପୀ ସୁଶାନ୍ତ କୁମାର ଦାସ ଜାତୀୟସ୍ତରରେ ପଥର କଳାକୃତି ପାଇଁ ପୁରସ୍କୃତ ହୋଇଥିଲେ । ବିଭିନ୍ନ ସମୟରେ କଂଚାମାଲର ଅଭାବ, ଉପଯୁକ୍ତ ବଜାର ଚାହିଦା ନମିଳୁଥିବାର କାରିଗରମାନେ ହତୋତ୍ସାହିତ ହେଉଥିଲେ । ମାତ୍ର ଏବେ କାରିଗରଙ୍କ ଆତ୍ମବିଶ୍ୱାସ ବଢାଇଛି ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ବିଭାଗର ପ୍ରଶିକ୍ଷଣ ।
ଯାଜପୁର ଜିଲ୍ଳା ହସ୍ତଶିଳ୍ପ ବିଭାଗ ପକ୍ଷରୁ ବଡଚଣା ଅଂଚଳ ଶୁଖୁଆପଡା କ୍ଲଷ୍ଟର ରେ ଏକମାସ ଧରି ପଥର କାରିଗରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ହସ୍ତଶିଳ୍ପ ବିଭାଗ ଅଧିନରେ ଥିବା ରାଜ୍ୟ ସରକାରଙ୍କ ସଂସ୍ଥା ସିଡାକ ଏକ୍ସପର୍ଟ ଡିଜାଇନର ମାନେ କାରିଗରଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ପାଖାପାଖି ତିରିଶ ଜଣ କାରିଗର ପ୍ରଶିକ୍ଷଣ ଶିବିରରେ ତାଲିମ ନେଇ ପ୍ରମାଣ ପତ୍ର ପାଇଛନ୍ତି । ଫଳରେ ସେମାନେ ପଥରରେ ଆଧୁନିକତାର ଛାପ ଦେଇ ନୂଆ ନୂଆ ମଡେଲ ଯଥା ଲାଇଟ ଷ୍ଟାଣ୍ଡ, ପେନଷ୍ଟାଣ୍ଡ, ଆର୍ଟିଫିସିଆଲ ଫାଉଂଟେନଭଳି ବିଭିନ୍ନ ଡିଜାଇନର କଳାକୃତି ନିର୍ମାଣ କରିବାରେ ସକ୍ଷମ ହୋଇଛନ୍ତି ।
ତେବେ ଆଗାମୀ ଦିନରେ ବଡଚଣା ଅଂଚଳର ପଥର କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଆଧୁନିକ ଶୈଳୀର କଳାକୃତି ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ନିଶ୍ଚୟ ।