ଯାଜପୁର ପାଲଟିଛି ବାଲି ମାଫିଆଙ୍କ ଭୂସ୍ୱର୍ଗ । ପ୍ରତିଦିନ ଜିଲ୍ଲା ବାହାରକୁ ଚାଲାଣ ହେଉଛି ହଜାର ହଜାର ଟ୍ରିପ ବାଲି । ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର, ମାଲାମାଲ ହେଉଛନ୍ତି ମାଫିଆ ।

328

କନକ ବ୍ୟୁରୋ : ଯାଜପୁର ପାଲଟିଛି ବାଲି ମାଫିଆଙ୍କ ଭୂସ୍ୱର୍ଗ । ପ୍ରତ୍ୟେକ ଦିନ ହଜାର ହଜାର ଟ୍ରିପ ବାଲି ଯାଜପୁର ଜିଲ୍ଲାରୁ ଅନ୍ୟ ଜିଲ୍ଲାମାନଙ୍କୁ ଚୋରା ଚାଲଣ କରାଯାଉଛି । ଗୋଟିଏ ପଟେ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବା ବେଳେ ସ୍ଥାନୀୟ ରାଜନେତାଙ୍କ ଛତ୍ରଛାୟା ତଳେ ବାହୁବଳୀ ମାଫିଆ ଓ ପ୍ରଶାସନିକ ଅଧିକାରୀ ମାଲାମାଲ୍ ହେଉଛନ୍ତି । ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ହେଉନି କି କାର୍ଯ୍ୟାନୁଷ୍ଠାନ ହେଲେ ବି ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ଚୋରା ଚାଲଣ ଉପରେ ରୋକ୍ ଲଗାଯାଇପାରୁନି ।

ବାଲି ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି ଯାଜପୁର । ରାଜସ୍ୱ ହରାଉଛନ୍ତି ସରକାର, ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ମାଫିଆ । ଯାଜପୁର ଜିଲ୍ଲା ଲଘୁ ଖଣିଜ ସଂପଦ ଚୋରା କାରବାରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ପ୍ରତ୍ୟେକ ଦିନ ଜିଲ୍ଲାର କେଉଁଠି ନା କେଉଁଠି ଲଘୁ ସଂପଦ ଚୋରା ଚାଲଣର ଖବର ସାମ୍ନାକୁ ଆସୁଛି । କେତେବେଳେ ମାଙ୍କଡା ପଥର ତ ଆଉ କେତେ ବଳେ ମୋରମ୍ । ଆଉ ଏବେ ପ୍ରମୁଖ ୪ଟି ନଦୀରୁ ବ୍ୟାପକ ବାଲି ଚୋରି ହେଉଥିବା ଅଭିଯୋଗ ହୋଇଛି । ୧୧ଟି ତହସିଲ ଅଧିନରେ ଥିବା ୧୦ଟି ବ୍ଲକ ଓ ୨ଟି ପୌରାଚଂଳରୁ କୋଟି କୋଟି ଟଙ୍କାର ବାଲି ପ୍ରତିଦିନ ପଡୋଶୀ ଭଦ୍ରକ ଓ ବାଲେଶ୍ୱରକୁ ବେଆଇନ୍ ଭାବେ ଚାଲାଣ ହେଉଛି । ତେବେ ବୁଢ଼ା ନଦୀ ଅଡଙ୍ଗ ଘାଟରୁ ବେଆଇନ୍ ଫର୍ମରେ ଶହଶହ ଟ୍ରକ ଟ୍ରିପ୍ ବାଲି ଚୋରା ଚାଲାଣ ହେଉଥିବା ବେଳେ ଅକାମୀ ଆରଫର୍ମକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ଜିଲ୍ଲା ପ୍ରଶାସନ ।

ଯାଜପୁର ତହସିଲ ଅଧିନ ଅଡଙ୍ଗ ଘାଟକୁ ବାଲି ଉତ୍ତୋଳନ ପାଇଁ ବର୍ଷିକିଆ ଅନୁମତି ଦିଆଯାଇଛି । ବାର୍ଷିକ ୨ ହଜାର ସିଏମ୍ ବାଲି ଉଠାଇବାର ବ୍ୟବସ୍ଥା ରହିଛି । ହେଲେ ମାଫିଆମାନେ ବେଆଇନ୍ ଭାବେ ମେସିନ ଲଗାଇ ଦୈନିକ ୫ ହଜାର ସିଏମ୍ ବାଲି ଉଠାଉଛନ୍ତି । ଏହି ଘାଟରୁ ସରକାର ବାର୍ଷିକ ୧୧ ଲକ୍ଷ ୫୦ ହଜାର ଟଙ୍କାର ରାଜସ୍ୱ ପାଉଛନ୍ତି । ହେଲେ ମାଫିଆ ଦୈନିକ ୨୫ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରି ପକେଟ ମୋଟା କରୁଛନ୍ତି । କେବଳ ଅଡଙ୍ଗ ଘାଟ ନୁହେଁ ଯାଜପୁର ତହସିଲ ଅଧିନରେ ଥିବା ବିଭିନ୍ନ ଘାଟରୁ ବାଲି ଚୋରା ଚାଲଣ କରାଯାଉଛି ।

କରୋନା ମହାମାରୀ ସମୟରେ ସରକାରଙ୍କୁ ରାଜସ୍ୱ ଚିନ୍ତା ଥିବା ବେଳେ ଯାଜପୁରରେ କୋଟି କୋଟି ଟଙ୍କାର ରାଜସ୍ୱ ହରିଲୁଟ୍ କରାଯାଉଛି । ତେବେ ସରକାର ରାଜସ୍ୱ ଲଘୁ ସଂପଦ ରୋକିବା ପାଇଁ କଡା ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।