ଯାଜପୁର ଜିଲ୍ଲାର ଶିଳ୍ପନଗରୀ କଳିଙ୍ଗନଗରରେ ଲୋକଙ୍କ ପ୍ରତିବାଦ : ବନ୍ଦ ରହିଥିବା ନୀଳାଚଳ ଇସ୍ପାତ କାରଖାନା ଚାଲୁ କରିବାକୁ ଲୋକଙ୍କ ଦାବି

378

କନକ ବ୍ୟୁରୋ : ବନ୍ଦ ରହିଥିବା ନୀଳାଚଳ ଇସ୍ପାତ କାରଖାନା ଚାଲୁ କରିବାକୁ ଦାବି । ଘଂଟା ଘଂଟା ଧରି ବନ୍ଦ ରହିଲା ଜାତୀୟ ରାଜପଥ । ଯାତାୟତ ଠପ୍ । ଯାଜପୁର ଜିଲ୍ଲାର ଶିଳ୍ପନଗରୀ କଳିଙ୍ଗନଗରରେ ଦେଖିବାକୁ ମିଳିଛି ଏପରି ପ୍ରତିବାଦ । କଳିଙ୍ଗନଗର ସ୍ଥିତ ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାକୁ ପୁଣି ଚାଲୁ କରିବାକୁ ଦାବି କରିଛନ୍ତି କର୍ମଚାରୀ ।

ଏହା ସହିତ କମ୍ପାନୀ ନିକଟରେ ବକେୟା ରହିଥିବା ଦରମା ପ୍ରଦାନ ଏବଂ ନିଜସ୍ୱ ଖଣି ଚାଲୁ କରିବା ଦାବିରେ ଶହ ଶହ ଶ୍ରମିକ ଡୁବୁରୀ ଠାରେ ଅର୍ଥନୈତିକ ଅବରୋଧ କରିଥିଲେ । ଫଳରେ ଶହ ଶହ ଗାଡି ମୋଟର ରାସ୍ତାରେ ଅଟକି ରହିଥିବା ଦେଖିବାକୁ ମିଳିଥିଲା । ୭ ଦିନ ଭିତରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଅର୍ଥନୈତିକ ଅବରୋଧରୁ ଓହରି ଥିଲେ କଳିଙ୍ଗନଗର କାରଖାନାର ବିସ୍ଥାପିତ, କଂପାନୀ କର୍ମଚାରୀ ଏବଂ ଶ୍ରମିକ ।

ସୂଚନା ଅନୁସାରେ ୧୯୯୭ ମସିହାରେ ପ୍ରତିଷ୍ଠା ହୋଇଥିଲା ନୀଳାଚଳ ଇସ୍ପାତ କାରଖାନା । ଏଥିରେ ସିଧାସଳଖ ନି ଯୁକ୍ତି ପାଇଥିଲେ ପ୍ରାୟ ୫ ହଜାର ଲୋକ । ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଶ୍ରମିକ, କର୍ମଚାରୀଙ୍କୁ ମିଶାଇଲେ ଏହି କାରଖାନା ପାଇଁ ୧୦ ହଜାର ଲୋକଙ୍କୁ ଜୀବିକା ମିଳିଥିଲା । ଗତ ୮ ମାସ ଧରି କାରଖାନାଟି ସମ୍ପୂର୍ଣ୍ଣ ଅଚଳ ହୋଇ ପଡି ରହିଛି । ଫଳରେ ୧୦ ହଜାର ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି ।