ମୁଣ୍ଡ ଉପରେ ଦୁଃଖର ପାହାଡ ଲଦି ଦେଇଛି ଦୁର୍ଘଟଣା ଓ ଲକଡାଉନ : ଭଙ୍ଗା କୁଡିଆରେ ବିତୁଛି ଦୀପକଙ୍କ ଜୀବନ …ହନ୍ତସନ୍ତରେ କଟୁଛି ଦିନ

190

କନକ ବ୍ୟୁରୋ : ବୟସର ଦ୍ୱିତୀୟାର୍ଦ୍ଧରେ ନିଜ ଜୀବନ ପାଇଁ ଭିକ୍ଷା ମାଗୁଛନ୍ତି ଦୀପକ । ବାହାଘରର ବର୍ଷେ ପରେ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଆଠ ବର୍ଷ ତଳେ ଗୋଟିଏ ଗୋଡ଼ ଅଚଳ ହୋଇଯିବା ପରେ ଘରେ ପଡିରହିଛନ୍ତି ଦୀପକ । ଆଉ ଯେଉଁ ଛୋଟିଆ ବେପାର ଟିଏ କରୁଥିଲେ, ତାହା ମଧ୍ୟ କରୋନା ଯୋଗୁଁ ବନ୍ଦ ହୋଇଗଲା । ଘର ଖଣ୍ଡିକ ବାତ୍ୟାରେ ଭାଙ୍ଗିଗଲା । ଏବେ ସବୁଆଡୁ ବେସାହାରା ହୋଇ ସରକାରଙ୍କ ସହାୟତାକୁ ଚାହିଁ ବସିଛନ୍ତି ଦୀପକ ।

ଏତିକି କଥା ହିଁ ଏହି ଭଙ୍ଗା କୁଡ଼ିଆ ଭିତର ଦୁଃଖ କହୁଛି । ଅଭାବୀ ପରିବାରର ଦୁର୍ଦ୍ଦଶା ବଖାଣୁଛି । ଏଇଠି ଦିନ ଆଉ ଏଇଠି ବିତୁଛି ରାତି । ବର୍ଷା ହେଲେ ବାରଦୁଆର ବୁଲି ମୁଣ୍ଡ ଗୁଂଜୁଛନ୍ତି ଦିବ୍ୟାଙ୍ଗ ଦୀପକ, ତାଙ୍କ କୁନି ଝିଅ ଓ ସ୍ତ୍ରୀ । ଦୁର୍ଘଟଣାର ଶିକାର ହୋଇ ଦିବ୍ୟାଙ୍ଗ ପାଲଟି ଯାଇଛନ୍ତି ଯାଜପୁର କୋରେଇ ବ୍ଲକ ହାଟସାହି ଗାଁର ଦୀପକ କୁମାର ମହାନ୍ତି । ଆଉ କରୋନା କଟକଣା ଯୋଗୁଁ ତାଙ୍କ ରେଡ଼ିଓ ମରାମତି ଦୋକାନ ବି ବନ୍ଦ ହୋଇଯାଇଛି । ଏପଟେ ଗୋଡ ଅଚଳ, ସେପଟେ ଦୋକାନ ବନ୍ଦ, ଏଭଳି ସ୍ଥିତିରେ ଦୀପକଙ୍କ ଆର୍ôଥକ ମେରୁଦଣ୍ଡ ଭାଙ୍ଗି ଯାଇଛି ।

ଆଠ ବର୍ଷ ହେବ ଘରେ ଅଚଳ ହୋଇପଡିଛନ୍ତି ଦୀପକ । ରୋଜଗାର କିଛି ନଥିବା ବେଳେ ଗତ ବାତ୍ୟାରେ ଘର ଖଣ୍ଡକ ଭାଙ୍ଗି ଯାଇଛି । ଘରର ଛପର ତଳେ ଲୋଟି ପଡିଥିବା ବେଳେ ପଲିଥିନ ପକାଇ ତାରି ଭିତରେ ରହୁଛନ୍ତି ପୂରା ପରିବାର । ବର୍ଷା, ପବନ ହେଲେ ନିକଟରେ ଥିବା ପଡ଼ୋଶୀଙ୍କ ଘରେ ଆଶ୍ରୟ ନିଅନ୍ତି । ପ୍ରଶାସନକୁ ଘର ଖଣ୍ଡିଏ ପାଇଁ ଅନୁରୋଧ ପରେ ବି କେହି ଶୁଣିନାହାନ୍ତି ଦୀପକଙ୍କ ଦୁଃଖ । ସେପଟେ କୋରେଇ ବିଡ଼ିଓ କହିଛନ୍ତି ତଦନ୍ତ କରି ଭିନ୍ନକ୍ଷମ ଭତା ସହ ସରକାରୀ ଯୋଜନା ଯୋଗାଇ ଦିଆଯିବ ।