ଯାଜପୁର ରଣାଙ୍ଗନରେ ଜୋରଦାର ଲଢେଇ । ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର । ନିର୍ଣ୍ଣାୟକ ଭୂମିକାରେ କଂଗ୍ରେସ

218

କନକ ବ୍ୟୁରୋ: ଯାଜପୁର ସଂରକ୍ଷିତ ଲୋକସଭା ଆସନରେ ଏଥର ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେଉଛି। ସେଥିରେ କଂଗ୍ରେସ ନିର୍ଣ୍ଣାୟକ ଭୂମିକାରେ ରହିଛି। ପ୍ରଥମ ଥର ପାଇଁ ଜିଲ୍ଲାରେ ବୃହତ୍ ଶକ୍ତି ଭାବେ ବିଜେପି ଉଭା ହୋଇଛି। ଗତ ନିର୍ବାଚନ ଗୁଡ଼ିକରେ କଂଗ୍ରେସ, ଜନତା ଦଳ ଓ ବିଜେଡି ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଥିଲା। ଯାଜପୁର ସାଂରକ୍ଷିତ ଲୋକସଭା ଆସନ ଅନ୍ତର୍ଗତ ଜିଲ୍ଲାର ମୋଟ ୭ଟି ବିଧାନସଭା ଆସନ ମଧ୍ୟରେ ୫ଟି ଆସନରେ ବିଜେଡି ଓ ବିଜେପି ଭିତରେ କଡ଼ା ଟକ୍କର ହେଉଛି। ମାତ୍ର ୨ଟି ଆସନରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେଉଛି। ବିଜେପି ପ୍ରାର୍ଥୀ ଅମୀୟକାନ୍ତ ମଲିକ ଓ ବିଜେଡିର ଶର୍ମିଷ୍ଠା ସେଠୀ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଦିନକୁ ଦିନ ତୀବ୍ର ହେବାରେ ଲାଗିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମାନସ ଜେନା ନିଜର ସାଙ୍ଗଠନକୁ ବୃଦ୍ଧି କରିବାରେ ଲାଗି ପଡ଼ିଛନ୍ତି।

ପୂର୍ବତନ ସେନା କର୍ମଚାରୀ ଅମୀୟ ମଲିକ ୭ଟି ବିଧାସଭା ଆସନର ବିଜେପି ପ୍ରାର୍ଥୀମାନଙ୍କ ସହିତ ମିଳିତ ଭାବେ ପ୍ରଚାରକୁ ଜୋରଦାର କରିଛନ୍ତି। ୨୦୧୪ ମସିହାରେ ଅମୀୟ ପ୍ରାର୍ଥୀ ହୋଇଥିବାର ଅଭିଜ୍ଞତାକୁ ଏଥର ନିର୍ବାଚନରେ ବିନିଯୋଗ କରି ନିର୍ବାଚନ ରଣନୀତିକୁ ଅଧିକ ଶାଣିତ କରିଛନ୍ତି। ଯାଜପୁର ଜିଲ୍ଲାର ବିଭିନ୍ନ ବିଧାନସଭା ପ୍ରାର୍ଥୀଙ୍କ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଗାତାର ଆସୁଥିବା ବେଳେ ତାହାର ସୁଯୋଗ ଅମୀୟ ହାତଛଡ଼ା କରିନାହାନ୍ତି। ଅମୀୟଙ୍କ ଭାଇ ବିଜେଡି ଯୁବନେତା ପରେଶ ମଲିକ ମଧ୍ୟ ତାଙ୍କର ପ୍ରଚାର ମଙ୍ଗ ଧରିଛନ୍ତି। ମୋଦୀଙ୍କ େବୖଦେଶିକ ନୀତି ଓ ରାଷ୍ଟ୍ରନୀତିକୁ ଅସ୍ତ୍ର କରି ଅମୀୟ ନିଜର ସ୍ଥିତି ଉନ୍ନତିରେ କରିବାରେ ଲାଗିଛନ୍ତି।

ସେହିପରି ଅନ୍ୟତମ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବିଜେଡି ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ପ୍ରଶାସିକା ପଦବି ଛାଡ଼ି ରାଜନୀତିରେ ପାଦ ଦେଇଛନ୍ତି। ଶର୍ମିଷ୍ଠା ଜଣେ ଉଚ୍ଚ ଶିକ୍ଷିତା ହୋଇଥିବା ବେଳେ ତାଙ୍କ ସ୍ବାମୀ ରବୀନ୍ଦ୍ର ସେଠୀ ପ୍ରଶାସକ ଭାବେ ଜିଲ୍ଲା ରାଜନୀତି ସଂପର୍କରେ ବେଶ ପରିଚିତ। ଜିଲ୍ଲାର ରାଜନେତା ଓ ନବୀନ ନିବାସ ସହିତ ମଧ୍ୟ ସେ ବେଶ ଘନିଷ୍ଠ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଂଝାରପୁର ବ୍ୟତୀତ ଅନ୍ୟ ୬ଟି ବିଧାନସଭା ଆସନରେ ସଭା ଓ ରୋଡ଼ ସୋ କରି ବିଧାୟକ ପ୍ରାର୍ଥୀମାନଙ୍କୁ ଜିତାଇବାକୁ ଜନସାଧାରଣଙ୍କୁ ନିବେଦନ କରୁଥିବା ବେଳେ ସାଂସଦ ପ୍ରାର୍ଥୀ ଶର୍ମିଷ୍ଠାଙ୍କୁ ମଧ୍ୟ ଜିତାଇବାକୁ ଅନୁରୋଧ କରୁଥିବାର ଲକ୍ଷ୍ୟ କରାଯାଇଛି। ଶର୍ମିଷ୍ଠା ରାଜନୀତିରେ ନୂଆ କରି ପାଦ ଥାପି ଥିଲେ ହେଁ ଉଚ୍ଚ ଶିକ୍ଷିତା ପ୍ରଶାସିକା ହୋଇଥିବାରୁ ବେଶ ଅଭିଜ୍ଞ ରାଜନେତା ଭଳି ଗୋଟି ଚାଳନା କରୁଛନ୍ତି। ସାଂସଦ ରୀତା ତରାଇଙ୍କୁ ଶର୍ମିଷ୍ଠା ସାଙ୍ଗରେ ନେଇ ବିଭିନ୍ନ ସଭାସମିତିକୁ ଯାଉଥିବାର ଦେଖିବାକୁ ମିଳୁଛି। ରାଜ୍ୟ ସରକାରଙ୍କ ଯୋଜନା ଓ କେନ୍ଦ୍ର ସରକାରଙ୍କ ଅବହେଳାକୁ ଅସ୍ତ୍ର କରି ଶର୍ମିଷ୍ଠା ନିଜର ପ୍ରଚାର ବେଶ ଶାଣିତ କରିଛନ୍ତି।

ବିଜେଡି ଓ ବିଜେପି କଡ଼ା ଟକ୍କର ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ସ୍ବେଚ୍ଛାସେବୀ ଓ ସାମାଜିକ କର୍ମୀ ମାନସ ଯେନା ମଧ୍ୟ ଦଳୀୟ ବିଧାୟକ ପ୍ରାର୍ଥୀମାନଙ୍କର ପ୍ରଚାର ପ୍ରସାରରେ ସାମିଲ ହୋଇ ଦଳୀୟ ଭୋଟ ହାତେଇବାରେ ଉଦ୍ୟମ ଜାରି ରଖିଛନ୍ତି। ବିଶେଷ କରି ନିଜର ସଂଗଠନ ଜରିଆରେ ମଧ୍ୟ ପ୍ରଚାରକୁ ଶାଣିତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଉଚ୍ଚ ଶିକ୍ଷିତ ମାନସ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର‌୍ୟ୍ୟକଳାପକୁ ଶାଣିତ ଢଙ୍ଗରେ ସମାଲୋଚନା କରିବା ସହିତ କଂଗ୍ରେସର ଜନହିତକର ଆକର୍ଷଣୀୟ ଇସ୍ତାହାରକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ ଜାରି ରଖିଛନ୍ତି।

ମତାଦାନ ଆଉ ମାତ୍ର ୪ଦିନ ବାକି ଥିବା ବେଳେ ପ୍ରାର୍ଥୀମାନେ ନିଜ ନିଜର ରଣନୀତିକୁ ଶେଷ ସ୍ପର୍ଶ ଦେବାରେ ଲାଗିଛନ୍ତି। ବିଗତ ଦିନ ଅପେକ୍ଷା ଏଥର ବିଧାୟକ ଓ ସାଂସଦ ଭୋଟ ଭିନ୍ନ ଭିନ୍ନ ବୋଲି ସଚେତନ ନାଗରିକ ଓ ଏପରିକି ସାଧାରଣ ଭୋଟଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇଛି। ପ୍ରଥମ ଭୋଟ ସାଂସଦ ଓ ଦ୍ବିତୀୟଟି ବିଧାୟକ ପ୍ରାର୍ଥୀଙ୍କର ବୋଲି ଲୋକମାନେ ସଚେତନ ହେଲେଣି। ସାଂସଦମାନଙ୍କର ଭାଗ୍ୟ ସେମାନଙ୍କ ଦଳ, ବିଧାୟକ ପ୍ରାର୍ଥୀମାନଙ୍କର ସ୍ଥିତି ସହିତ ନିଜସ୍ବ ସ୍ଥିତି ମଧ୍ୟ ନିର୍ଣ୍ଣାୟକ ହେବ ବୋଲି ଆଲୋଚନା ହେଉଛି।