କନକ ବ୍ୟୁରୋ: ଜୋର ଧରିଛି ଯାଜପୁର ରାଜନୀତି । ବିଜୟବାନା ଉଡ଼ାଇ ଦଳୀୟ ମଙ୍ଗ ଧରିବା ପାଇଁ ଯାଜପୁରରେ ସଂସଦୀୟ କ୍ଷେତ୍ର ପାଇଁ ତିନି ଦଳରେ ଚାଲଇଛି ଅଙ୍କ କଷା । ଅନ୍ୟପଟେ ଆଞ୍ଚଳିକ ଦଳ ଭାବେ ବିଜୁ ଜନତା ଦଳ ଲଗାତାର ଚାରି ଚାରିଟି ସାଧାରଣ ନିର୍ବାଚନରେ ବାଜିମାତ୍ କରିଛି। ୧୯୯୯ରୁ ଏଯାବତ୍ ଏହି ଲୋକସଭା ଆସନ ଅକ୍ତିଆର କରିଛି ବିଜେଡି । ତେବେ ଶାସକ ବିଜେଡିକୁ ଏଥର ଉଭୟ ବିଜେପି ଓ କଂଗ୍ରେସ ଦଳ କଡ଼ା ଟକ୍କର ଦେବାକୁ ଗୋଟିଚାଳନା କରୁଛନ୍ତି ।
ସେପଟେ ବିଜେଡି ପାଇଁ ଏଥର ଗଡ଼କୁ ସୁରକ୍ଷିତ ରଖିବା ସହଜ ହେବନି ବୋଲି ରାଜନୀତି ସମୀକ୍ଷକମାନେ ମତ ରଖୁଛନ୍ତି । ଯାଜପୁର ଜିଲ୍ଲାର ୭ଟି ବିଧାନସଭା ଆସନକୁ ନେଇ ଯାଜପୁର ସଂରକ୍ଷିତ (ଏସସି) ଲୋକସଭା ନିର୍ବାଚନ ମଣ୍ଡଳୀ ଗଠିତ । ଏହି ଆସନରେ କଂଗ୍ରେସ ଓ ଅଣ କଂଗ୍ରେସ ମଧ୍ୟରେ ଦ୍ବିମୁଖୀ ପ୍ରତିଦ୍ବନ୍ଦ୍ବିତା ବିଗତ ନିର୍ବାଚନ ଗୁଡ଼ିକରେ ହୋଇଥିବା ନଜିର ରହିଛି । କିନ୍ତୁ ଏହି ସଂସଦୀୟ କ୍ଷେତ୍ରରେ ୨୦୧୪ରୁ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଛି । ଆଗାମୀ ନିର୍ବାଚନରେ ମଧ୍ୟ ସମାନ ରାଜନୀତି ପାଣିପାଗ ବହିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
ଏହି ସଂସଦୀୟ କ୍ଷେତ୍ରରେ ହୋଇଥିବା ପୂର୍ବ ନିର୍ବାଚନ ଗୁଡ଼ିକ ଅଧାରରେ ୧୯୫୨ ରୁ ୨୦୧୪ ମସିହା ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ୬ଥର ବିଜୟ ହୋଇଥିବା ବେଳେ ଜନତା ଦଳ ୩ ଓ ବିଜେଡି ପ୍ରାର୍ଥୀ ଲଗାତାର ୪ଥର ବିଜୟ ହାସଲ କରିଛନ୍ତି । ଏଭଳି ସ୍ଥିତିରେ ବିଜେପି ଗେମଚେଞ୍ଜର ହୋଇପାରେ ବୋଲି ଶୁଣିବାକୁ ମିଳୁଛି । କାରଣ ବିଜେଡି ପ୍ରାର୍ଥୀ ଆଶାୟୀଙ୍କ ମଧ୍ୟରେ ପୂର୍ବତନ ସାଂସଦ ମୋହନ ଜେନା ଅଛନ୍ତି। କିନ୍ତୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳାଙ୍କ ପାଇଁ ୩୩ ଭାଗ ମହିଳା କାର୍ଡ଼ ଖେଳୁଥିବାବେଳେ ରୀତା ତରାଇଙ୍କ ସ୍ଥାନ ବଜାୟ ରଖିବେ ବୋଲି ରୀତାଙ୍କ ସମର୍ଥକମାନେ ଦୃଢ଼ୋକ୍ତି ବାଢୁଛନ୍ତି ।
ସେହିଭଳି କେନ୍ଦ୍ରରେ କ୍ଷମତା ବଜାୟ ରଖିବାକୁ ଉଦ୍ୟମ କରୁଥିବା ବିଜେପିର ମଧ୍ୟ ଏହି ସଂସଦୀୟ କ୍ଷେତ୍ରରେ ନଜର ରଖିଥିବା ଶୁଣିବାକୁ ମିଳୁଛି । ଯେଉଁଥି ପାଇଁ ବାରମ୍ବାର ରାଜ୍ୟ ନେତୃବୃନ୍ଦମାନେ ଘନଘନ ବୈଠକ କରି ରଣନୀତି ପ୍ରସ୍ତୁତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଗତଥର ବିଜେପି ପ୍ରାର୍ଥୀ ଅମିୟ ମଲିକ ଏଥର ବିଞ୍ଝାରପୁର ବିଧାନସଭା ଆସନ ପାଇଁ ମନ ବଳାଇଛନ୍ତି । କିନ୍ତୁ ଲଗାତର କଂଗ୍ରେସ ଟିକେଟରୁ ପରାଜୟ ବରଣ କରୁଥିବା ବବିତା ମଲିକ ତୃଣମୂଳରେ ସଂଗଠନ କରି ବିଜେପି ପ୍ରାର୍ଥୀ ପାଇଁ ପ୍ରସ୍ତୁତି ଚଳାଇଥିବାରୁ ଅମୀୟଙ୍କୁ ପ୍ରାର୍ଥୀ କରିବ ନା ବବିତାଙ୍କୁ ତାହା ଏବେ ବି ଅସ୍ପଷ୍ଟ ରହିଛି । ବର୍ତ୍ତମାନ ଗେରୁଆ କ୍ୟାମ୍ପକୁ ଶକ୍ତି ଦେବାପାଇଁ ଉପଯୁକ୍ତ ପ୍ରାର୍ଥୀ ନେଇ ଖୋଜା ଚାଲିଛି ।
ଅପରପକ୍ଷେ କଂଗ୍ରେସ ଆଶାୟୀଙ୍କ ମଧ୍ୟରେ ବିଞ୍ଝାରପୁର ପୂର୍ବତନ ବିଧାୟକ ଅର୍ଜୁନ ଦାସ, ଯାଜପୁର ପୂର୍ବତନ ନଗରପାଳ ଆଲୋକ ବେହେରା ଓ ନିକଟରେ କେଂଗ୍ରସରେ ସାମିଲ ହୋଇଥିବା ଓଡ଼ିଶା ଦଳିତ ଅଧିକାର ମଞ୍ଚର ସଭାପତି ମାନସ ଜେନା ଟିକେଟ୍ ପାଇବା ପାଇଁ ଲବି କରୁଥିବା ଚର୍ଚ୍ଚା ହେଉଛି । ତେବେ ବିଜେଡିକୁ ବାଦ୍ ଦେଲେ ବିଭିନ୍ନ ଦଳରେ ଆଶାୟୀ ପ୍ରାର୍ଥୀଙ୍କ ଚୟନକୁ ନେଇ ଦ୍ୱନ୍ଦ ଘାରିଛି । ଏଥିସହିତ ଏହି ଆସନରେ ରାଜନୈତିକ ଲଢେଇ ରୋଚକ ସ୍ଥିତିରେ ପହଞ୍ଚିଲାଣି । କିନ୍ତୁ ଆଗାମୀ ନିର୍ବାଚନ ଏକପାଖିଆ ନୁହେଁ ବରଂ ଏଠାରେ ତ୍ରିମୁଖୀ ଲଢ଼େଇ ହୋଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଶୁଣିବାକୁ ମିଳୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/JAJPUR.jpg)