ଯାଜପୁର ବ୍ଲକ ପ୍ରଶାସନର ଅଜବ ନିର୍ଦ୍ଦେଶ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ନକଲେ ମିଳିବ ନାହିଁ ରାସନ ସାମଗ୍ରୀ ।

251

କନକ ବ୍ୟୁରୋ: ଅସଂପୂର୍ଣ୍ଣ ଆବାସ ପାଇଁ ରାସନ କାର୍ଡରେ ଗରିବ ପରିବାରକୁ ଚାଉଳ ଓ କିରାସିନ ବନ୍ଦ କରାଯାଇଛି । ଡିଲର କହୁଛନ୍ତି ବ୍ଲକ ଅଫିସରୁ ହିତାଧିକାରୀ ତାଲିକା ଦିଆଯାଇ ରାସନ ବନ୍ଦ କରିବାକୁ ନିର୍ଦ୍ଦେଶ ଆସିଛି । ସେହି ନିର୍ଦ୍ଦେଶ ମାନି ଡିଲର ବାଦ୍ ପଡିଥିବା ହିତାଧିକାରୀ ତାଲିକା ଟାଙ୍ଗି ଦେଇଛନ୍ତି । ରାସନ ପାଇଁ ଆସିଲେ ସଂପୃକ୍ତ ହିତାଧିକାରୀଙ୍କୁ ଫେରାଇ ଦେଉଛନ୍ତି ଡିଲର । ଏଭଳି ଅଭିଯୋଗ ଆସିଛି ଯାଜପୁର ସହର ବ୍ଲକ୍ ସୁଜନପୁର ପଂଚାୟତରୁ । ଏଭଳି ନିର୍ଦ୍ଦେଶକୁ ନେଇ ହିତାଧିକାରୀ ବିରୋଧ କରୁଥିବା ବେଳେ ପଂଚାୟତର ସରପଂଚ ମଧ୍ୟ ନାପସନ୍ଦ କରିଛନ୍ତି ।

ଯାଜପୁର ବ୍ଲକ ସୁଜନପୁର ପଂଚାୟତରୁ ଏଭଳି ଅଭିଯୋଗ ଆସିଛି । ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିବା କିଛି ହିତାଧିକାରୀ ବିଭିନ୍ନ କାରଣରୁ ଘର କରି ପାରିନାହାନ୍ତି ।ତେଣୁ ୩୫ ଜଣ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କ ରାସନ ବନ୍ଦ କରିବାକୁ ଡିଲର ଅରୁନ୍ଧତୀ ଜେନା ଓ ପ୍ରଫୁଲ ସାହୁଙ୍କୁ ନିର୍ଦେଶ ଦେଇଛି ବ୍ଲକ ପ୍ରଶାସନ । ପ୍ରଶାସନର ନିର୍ଦେଶ ଅନୁସାରେ ସଂପୃକ୍ତ ହିତାଧିକାରୀଙ୍କ ତାଲିକା ଟାଙ୍ଗି ୨ ମାସ ହେଲା ରାସନ ବନ୍ଦ କରିଦେଇଛନ୍ତି ଡିଲର ।

ତେବେ ବଦ୍ରି ନାରାୟଣ ଦାସ-ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ କାର୍ଯ୍ୟାଦେଶ ପାଇଛନ୍ତି । ୪ ପ୍ରାଣୀ କୁଟୁମ୍ବକୁ ନେଇ ଭଙ୍ଗା ଚାଳ ଘରେ ରୁହନ୍ତି ବଦ୍ରି ନାରାୟଣ । ଆବାସ ଯୋଜନାରେ ତାଙ୍କୁ ଘର ପାଇଁ କାର୍ଯ୍ୟାଦେଶ ମିଳିଥିଲେ ବି ୪ ଭାଇଙ୍କ ଜମି ସମସ୍ୟା ଯୋଗୁ ସେ ଘର କରି ପାରିନାହାନ୍ତି । ତେଣୁ ତାଙ୍କୁ ରାସନରୁ ବାଦ୍ କରାଯାଇଛି । କେବଳ ବଦ୍ରି ନୁହଁନ୍ତି ତାଙ୍କ ଭଳି ଅନେକ ଖଟିଖିଆଙ୍କ ଚାଉଳ ଓ କିରାସିନ ବନ୍ଦ କରିଦେଇଛି ବ୍ଲକ ପ୍ରଶାସନ ।

ଏପରି ଅଜବ ନିର୍ଦ୍ଦେଶ ଯୋଗାଣ ବିଭାଗ ପକ୍ଷରୁ କରାଯାଇନଥିବା ବେଳେ କିଏ ଓ କାହିଁକି ଡିଲରଙ୍କୁ ହାତ ଲେଖା ଚିଠି ଦେଇ ରାସନ ବନ୍ଦ ପାଇଁ କହିଛି ତାହା ତଦନ୍ତ ସାପେକ୍ଷ । ଏନେଇ ଡିଲର ଅରୁନ୍ଧତୀ ନାୟକ କହିଛନ୍ତି ଆମ ପାଖକୁ ଏକ ହାତ ଲେଖା ଚିଠି ଆସିଛି । ତେଣୁ ଆମେ ରାସନ ଦେଇନାହୁଁ । ସରକାର ଗରିବ ପରିବାରକୁ ଭୋକିଲା ନରଖିବା ପାଇଁ ରାସନ ସାମଗ୍ରୀ ଯୋଗାଉ ଥିବା ବେଳେ କିଛି ଅସାଧୁ ବ୍ୟକ୍ତିଙ୍କ ତ୍ରୁଟିପୂର୍ଣ୍ଣ ସୂଚନା ଯୋଗୁ ରାସନରୁ ବାଦ୍ ପଡୁଛନ୍ତି ଗରିବ ହିତାଧିକାରୀ ।