ଯାଜପୁର କୋରାଇରେ ଝାଡ଼ାବାନ୍ତି ଆତଙ୍କ । ୫୦ରୁ ଅଧିକ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି । ଗୁରୁତରଙ୍କୁ କଟକ ସ୍ଥାନାନ୍ତର ।

63

କନକ ବ୍ୟୁରୋ: ଯାଜପୁର ଜିଲ୍ଲା କୋରାଇ ବ୍ଲକ ଖମଣ ପଞ୍ଚାୟତର ରାଧାନଗର ପାଟଣା ଗାଁରେ ଡାଇରିଆ ଆତଙ୍କ । ୫୦ରୁ ଅଧିକ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି ହୋଇଛନ୍ତି । ରାଧାନଗର ପାଟଣା, ଠାକୁର ପାଟଣା, ଗୋଡ଼ିପାଟଣା ପ୍ରଭୃତି ଏକାଧିକ ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା ୫୦ରୁ ଉର୍ଦ୍ଧ୍ୱ ଶିଶୁ, ମହିଳା ଓ ପୁରୁଷ ଡାଇରିଆରେ ଆକ୍ରାନ୍ତ ହୋଇ ବିଭିନ୍ନ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତି ହୋଇଛନ୍ତି । କେତେକଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

କେଉଁ କାରଣରୁ ଏତେ ସଂଖ୍ୟାରେ ଲୋକ ଡାଇରିଆରେ ଆକ୍ରାନ୍ତ ହେଲେ ତାହା ହୋଇଛି ଏଠାରେ ବଡ଼ ପ୍ରଶ୍ନ । କିଛି ଲୋକ ଦହିବରା ବିକାଳି ପାଖରୁ ଦହିବରା ଖାଇ ଝାଡ଼ାବାନ୍ତିରେ ପଡିଥିବା କହୁଥିବା ବେଳେ ଗ୍ରାମବାସୀ ମୁଖ୍ୟତଃ ଏଠାକାର ଅସ୍ୱାସ୍ଥ୍ୟକର ପରିବେଶକୁ କାରଣ ଦର୍ଶାଇଛନ୍ତି । ଗାଁ ସାରା ନାଳନର୍ଦ୍ଦମା ପୁରିକି ରହିଛି । ଜଳ ନିଷ୍କାସନର କିଛି ବନ୍ଦୋବସ୍ତ କରାଯାଇନି । ସେପଟେ କେତେକ ସ୍ଥାନରେ ଡ୍ରେନ କଡ ଦେଇ ଯାଇଥିବା ପାଇପ ଲାଇନ ଗୁଡ଼ିକ ଭାଙ୍ଗିଯାଇଛି । ଆଉ ସେଥିରେ ନର୍ଦ୍ଦମାର ଦୂଷିତ ଜଳ ପ୍ରବେଶ କରି ଲୋକଙ୍କୁ ଡାଇରିଆ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେଣେ ସ୍ୱାସ୍ଥ୍ୟ ଟିମ୍ ଗାଁରେ ପହଂଚି ଲୋକଙ୍କୁ ସଚେତନ କରିବା ଏହାର ପ୍ରକୃତ କାରଣ ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଛି ।