ଖରସ୍ରୋତାରେ ବିଲିନ ହୋଇଗଲାଣି ସ୍ରୋତ । ୧୨ ବର୍ଷର ଆନ୍ଦୋଳନ ପରେ ଉଦ୍ଧାର ପ୍ରତିଶ୍ରୁତି ଦେଲା ପ୍ରଶାସନ

53

କନକ ବ୍ୟୁରୋ : ଯାଜପୁର ରସୁଲପୁର ବ୍ଲକର ଛିଣ୍ଡା ଖରସୁଆ ନଦୀ । ଦିନଥିଲା ଏହି ନଦୀ ରସୁଲପୁର ବ୍ଲକର ଚାଷୀମାନଙ୍କର ଲାଇଫଲାଇନ ଥିଲା । ବ୍ଲକର ଟିକରପଡା, ଗନ୍ଧଣ, ବଡକଇଁଚି, ଭୋଟକା, ରସୁଲପୁର, ରାହାମ୍ବା ପ୍ରଭୃତି ପଂଚାୟତର ତିରିଶ ହଜାରରୁ ଅଧିକ ଲୋକେ ଏହି ଖରସ୍ରୋତା ନଦୀ ଉପରେ ନିର୍ଭର କରୁଥିଲେ । ଚାଷୀମାନେ ବିଭିନ୍ନ କିସମର ପନିପରିବା ଓ ଧାନ ଚାଷ କରି ପରିବାର ଚଳାଉଥିଲେ । ହେଲେ ଚଉଦ କିଲୋମିଟର ଲମ୍ବ ଏହି ନଦୀଟି ସମ୍ପୁର୍ଣ୍ଣ ପୋତି ହୋଇପଡିବା ସହ ଦଳରେ ଭର୍ତି ହୋଇ ରହିଛି । କିଛି କିଛି ସ୍ଥାନରେ ପାଣି ଜମି ରହିବା ଫଳରେ ଗାଈ ଗୋରୁ ସେହି ଦୂଷିତ ପାଣିକୁ ପିଉଛନ୍ତି । ନଦୀର ପୁନଃଉଦ୍ଧାର ପାଇଁ ସ୍ଥାନୀୟ ଲୋକେ ଏକାଠି ହୋଇ ବହୁବାର ଆନ୍ଦୋଳନ କରିଛନ୍ତି । ପ୍ରଶାସନ୍ ଅଧିକାରୀଙ୍କ ଦୃଷ୍ଟି ଅକାର୍ଷଣ କରୁଥିଲେ ବି ଏନେଇ କୌଣସି ସୁଫଳ ମିଳିପାରିନି ।

ବାର ବର୍ଷ ଆନ୍ଦୋଳନ ପରେ ଖରସ୍ରୋତା ନଦୀର ସ୍ଥିତିରେ କୌଣସି ସୁଧାର ଆସିନାହିଁ । ରାଜ୍ୟ ସରକାରଙ୍କ ଜଳ ଆୟୋଗ ପକ୍ଷରୁ ଏହି ନଦୀକୁ ମୃତ ବୋଲି ଘୋଷଣା ମଧ୍ୟ କରାଯାଇଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଏହା ଦୁଃଖ ଦେଇଛି । ବିଗତ ଦିନମାନଙ୍କରେ ଡ୍ରେନେଜ ଡିଭିଜନ ପକ୍ଷରୁ ଏହି ମୃତ ନଦୀ ଭିତରେ ନାଳ ଖୋଳି କୋଟି କୋଟି ଟଙ୍କା ଲୁଟି ନେଇଥିବା ଦେଖିବାକୁ ମିଳିଥିଲା । ଏବେ ଏହି ଖରସ୍ରୋତା ନଦୀର ପୁନଃଉଦ୍ଧାର ପାଇଁ ଆଗ୍ରହ ଦେଖିବାକୁ ମିଳିଥିବା ବେଳେ ପୁନଃଉଦ୍ଧାର ନେଇ ଆଶା ସଂଚାର ହୋଇଛି ।

ଖରସ୍ରୋତା ନଦୀର ପୁନଃଉଦ୍ଧାର ହେଲେ ରସୁଲପୁର ବ୍ଲକର ହଜାର ହଜାର ଲୋକଙ୍କ ଜୀବନଜିବୀକା ବଦଳିବା ସହିତ ଅର୍ଥନୈତିକ ପ୍ରଗତି ମଧ୍ୟ ହୋଇପାରିବ ।