ବନୀକରଣ ନା ପ୍ରହସନ !! ଏନଏଟରୁ ହଜାର ହଜାର ଗଛ ଉଭାନ, ଠିକାସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଭୂମିକା ଉପରେ ବଢୁଛି ସନ୍ଦେହ
କନକ ବ୍ୟୁରୋ : କମ୍ପାନି ଦ୍ବାରା କରାଯାଉଥିବା ବନୀକରଣ ପ୍ରହସନ ପାଲଟିଛି। ଜାତୀୟ ରାଜପଥ କଡ଼ରେ ହଜାର ହଜାର ଗଛ ଲଗା ଯାଇଥିବା କୁହାଯାଉଥିଲେ ହେଁ ତାହା ଏବେ ଉଭାନ। ପାଣିକୋଇଲି-କେନ୍ଦୁଝର ରାସ୍ତା ପୂରା ଖରିବଣରେ ପୂର୍ଣ୍ଣ ହୋଇଛି। ବନୀକରଣ ନାମରେ କୋଟି କୋଟି ଟଙ୍କା କମ୍ପାନିଗୁଡ଼ିକ ଖର୍ଚ୍ଚ କରୁଛନ୍ତି। ପାରିପାର୍ଶ୍ବିକ ଉନ୍ନୟନ(ସିଏସଆର)ରେ ଏହାକୁ ଦର୍ଶାଇ ଚାଲିଛନ୍ତି। ଏହି କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛି। ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ଥିବା ଶିଳ୍ପ ସଂସ୍ଥାମାନଙ୍କଠାରୁ ଆରମ୍ଭ କରି ଜାତୀୟ ରାଜପଥରେ ବନୀକରଣ କରିଥିବା କମ୍ପାନିଗୁଡ଼ିକ ହଜାର ହଜାର ଗଛ ଉଭାନ ହୋଇଯାଇଛି। ନାମକୁ ମାତ୍ର ଗଛ ଲଗାଇ କେବଳ କାଗଜପତ୍ରରେ ବନୀକରଣ ଦର୍ଶାଯାଉଛି। ପାଣିକୋଇଲିଠାରୁ ରିମୁଳି ଜାତୀୟ ରାଜପଥରେ ଗଛ ନଥିବା ଜଙ୍ଗଲ ବିଭାଗ ତଦନ୍ତରୁ ସ୍ପଷ୍ଟ ହୋଇଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ଗତ ମାସ ୨୭ତାରିଖରେ କେନ୍ଦୁଝର ଡିଏଫ୍ଓ ଏହି ଗୁରୁତ୍ବପୂର୍ଣ୍ଣ ଜାତୀୟ ରାଜପଥ ପାର୍ଶ୍ବରେ ବନୀକରଣ କେଳେଙ୍କାରୀ ଉପରୁ ପର୍ଦ୍ଦା ଉନ୍ମୋଚନ କରିଛନ୍ତି। ଏହି ରାସ୍ତା ନିର୍ମାଣ କରୁଥିବା ଗାୟତ୍ରୀ ନାମକ ଠିକା ସଂସ୍ଥା ବନୀକରଣ ନାମରେ ସରକାରଙ୍କ ତହବିଲରୁ କୋଟି କୋଟି ଟଙ୍କା ନେଇଛନ୍ତି। ଅଥଚ ୨୦ହଜାର ଗଛ ମଧ୍ୟରୁ ମାତ୍ର ୩ହଜାର୬୮୯ଗଛ ୨୦୧୭ମସିହାରେ ଥିଲା ବୋଲି କୁହାଯାଇଥିଲା। ପାଣିକୋଇଲିରୁ ରିମୁଳି ପର୍ଯ୍ୟନ୍ତ ୧୬୬କିମି ଜାତୀୟ ରାଜପଥରୁ ହଜାର ହଜାର ଗଛ କଟାଯାଇଥିଲା। ପୂର୍ବ ନିୟମ ମୁତାବକ ଗୋଟିଏ ଗଛ କାଟିଲେ, ବଦଳରେ ୧୦ଟି ଗଛ ଲଗାଇବାକୁ କୁହାଯାଇଥିଲା। ଏବେ ଏହା ୨ଟି ଗଛକୁ କମାଇ ଦିଆଯାଇଛି। ଜାତୀୟ ରାଜପଥର ଦୁଇ ପାର୍ଶ୍ବ ଓ ମଝିରେ ଗଛ ଲଗାଇବାର ବ୍ୟବସ୍ଥା ଥିଲା।
୨୦୧୩-୧୪ ମସିହାରେ ବିରାଟ ବିରାଟ ଫଳନ୍ତି ଓ ଅନ୍ୟ ଗଛ କଟାଯାଇଥିଲା। ୨୦୧୭ ମସିହାରେ ଗଛ ଗଣତିରେ ମାତ୍ର ୩୬୮୯ ଗଛ ଥିଲା। ଏଥି ମଧ୍ୟରେ ୫ବର୍ଷ ବିତିଥିବା ବେଳେ ଏଥି ମଧ୍ୟରେ ୨ଶହ ଗଛ ବି ଦେଖାଯାଉ ନାହିଁ। ନିୟମ ମୁତାବକ ୩ ବର୍ଷ ଶତ ପ୍ରତିଶତ ଗଛ ଦେଖାଇବା ପରେ ବନୀକରଣ ଅର୍ଥ ସଂପୃକ୍ତ ବିଭାଗ ଓ ସଂସ୍ଥା ପାଇବାର ବ୍ୟବସ୍ଥା ରହିଛି। କିପରି ଅଧିକାରୀମାନେ କେଉଁ ସ୍ବାର୍ଥରେ କୋଟି କୋଟି ଟଙ୍କା ବିନା ଗଛରେ ଗାୟତ୍ରୀ ଠିକାସଂସ୍ଥାକୁ ଟେକିଦେଲେ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ମହାଦୁର୍ନୀତିର ତଦନ୍ତ କରାଗଲେ ବହୁ ରହସ୍ୟର ଉନ୍ମୋଚନ ହୋଇପାରିବ। ସୂଚନା ଯୋଗ୍ୟ ଚଣ୍ଡିଖୋଲ- ପାରାଦୀପ ଓ ଚଣ୍ଡିଖୋଲ-ଡୁବୁରି ଜାତୀୟ ରାଜପଥ ପାର୍ଶ୍ବରେ ଓଏଫଡ଼ିସି କରିଥିବା ବନୀକରଣକୁ ତୁଳନା କଲେ ପାଣିକୋଇଲି- ରିମୁଳି ଜାତୀୟ ରାଜପଥର ବନୀକରଣ ଘୋଟାଲା ପ୍ରମାଣିତ ହେବ ବୋଲି ଚର୍ଚ୍ଚା ହେଉଛି।