ଯାଜପୁର ଜିଲ୍ଲା ଯୋଡିକୁଅ ଛକରେ ଚଳନ୍ତା ବାଇକ୍ ଉପରେ ପଡିଲା ଗଛ । ଜଣେ ୫ ବର୍ଷର ନାବାଳକର ମୃତ୍ୟୁ ।

161

କନକ ବ୍ୟୁରୋ: ମାଆ ବିରଜାଙ୍କ ଦର୍ଶନ କରିବାକୁ ବେଶ ହସଖୁସିରେ ଯାଇଥିଲେ ବାପା, ମାଆ ଓ ପୁଅଝିଅ । ହେଲେ ଏହି ଖୁସି ବେଶୀ ସମୟ ରହିନଥିଲା । ଦର୍ଶନ ସାରି ବାଇକରେ ଫେରୁଥିଲେ ପୁରା ପରିବାର । ହେଲେ, ବାଟରେ ଜଗିଥିଲା ଯମ । ବାଇକ୍ ଉପରେ ଭାଙ୍ଗି ପଡିଲା ଗଛ ଆଉ ଘଟଣାସ୍ଥଳରେ ଆଖି ବୁଝିଦେଲା ୫ ବର୍ଷର ପୁଅ ଏବଂ ଏହି ଘଟଣାରେ ଆହତ ହେଲେ ବାପା-ମାଆ ଓ ଝିଅ ।

ଯାଜପୁର ଟାଉନ ଥାନା ଅନ୍ତର୍ଗତ ଯୋଡିକୁଅ ଛକରେ ଏହି ଦୁଃଖଦ ଘଟଣା ଘଟିଛି । ସୂଚନା ଅନୁସାରେ ଭଦ୍ରକ ଅଂଚଳର ଏହି ପରିବାର ମାଆ ବିରଜାଙ୍କ ଦର୍ଶନ ସାରି ବାଇକରେ ଘରକୁ ଫେରୁଥିଲେ । ସେହି ସମୟରେ ରାସ୍ତା କଡରେ ଥିବା ଏକ ଗଛ କଟାଯାଉଥିଲା । ଆଉ ଗାଡିଟି ଗଛ ତଳେ ଅତିକ୍ରମ କରୁଥିବା ବେଳେ ଏଭଳି ଅଘଟଣ ଘଟିଛି ।

ଦୁର୍ଘଟଣାରେ ଜଣେ ୫ ବର୍ଷ ନାବାଳକର ମୃତ୍ୟୁ ହୋଇଥିବା ବେଳେ ଯୋଡିକୁଅ ଛକରେ ଉତ୍ତେଜନା ସୃଷ୍ଟି ହୋଇଛି । ଉତ୍ୟକ୍ତ ଲୋକେ ନିଆଁ ଜାଳି ରାସ୍ତାରୋକ କରିଥିଲେ । ଅନ୍ୟପଟେ ରାସ୍ତା ଉପର ବେଆଇନ୍ ଭାବେ ଗଛ କଟା ଯୋଗୁଁ ଏତେ ବଡ ଦୁର୍ଘଟଣା ଘଟିଲା ଏବଂ ଅକାଳରେ ନିରିହ ଶିଶୁଟିଏ ଝଡି ପଡିଲା ବୋଲି ଲୋକ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଆଖି ଆଗରେ କୁନି ପୁଅକୁ ହରାଇବା ପରେ ଅଧର୍ଯ୍ୟ ହୋଇପଡିଛନ୍ତି ବାପା ମାଆ । ଭାଇକୁ ହରାଇ ଭଉଣୀ ବି ସ୍ତବ୍ଧ ହୋଇଯାଇଛି ।